ରିଲିଫ ଯୋଗାଇବାକୁ ବିଡିଓଙ୍କୁ ଦାବିପତ୍ର
ଭଣ୍ଡାରିପୋଖରୀ,(ଓ୍ବାଇଏନ୍ଏସ୍): ଚଳିତ ବର୍ଷ ବୈତରଣୀରେ ଦେଖାଦେଇଥିବା ଭୟଙ୍କର ବନ୍ୟା ଯୋଗୁ ବ୍ଲକର ୬ଗୋଟି ପଞ୍ଚାୟତ ସମ୍ପୂର୍ଣ୍ଣ ଓ ୪ଗୋଟି ପଞ୍ଚାୟତ ଆଂଶିକ କ୍ଷତିଗ୍ରସ୍ଥ ହୋଇଛି । ବନ୍ୟାପାଣି ଯୋଗୁ ଖରିଫ ଧାନଚାଷ ନଷ୍ଟ ହୋଇଥିବାବେଳେ କଚ୍ଚାଘର ମଧ୍ୟ କେତେକାଂଶରେ ଭାଙ୍ଗିଯାଇଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଶାନ୍ତ୍ୱନାମୂଳକ ଭାବେ ପ୍ରତ୍ୟକ ପରିବାରକୁ ୫୦କେଜି ଚାଉଳ ଓ ୫୦୦ଟଙ୍କା ଯୋଗାଯାଇଛି । ୨୦୧୧ଜନଗଣନା ଅନୁଯାୟୀ ରିଲିଫ ଯୋଗାଯାଇଥିଲେ ସୁଦ୍ଧା ଏଥିରୁ କିଛି ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ମିଲିଥିବା ଅଭିଯୋଗ ଅନୁଯାୟୀ ରଣଜିତ ପଞ୍ଚାୟତ ୧,୨,୩,୬,୭,୮,୯ନଂ ୱାର୍ଡର ଅଧିବାସୀମାନେ ରିଲିଫରୁ ବଞ୍ଚିତ ହୋଇଛନ୍ତି । ଏଠାରେ ୬୦ଭାଗ ହରିଜନ ଶ୍ରେଣୀର ଲୋକ ହୋଇଥିବାବେଳେ ବନ୍ୟାପାଣି ଦ୍ୱାରା ସେମାନେ ପ୍ରଭାବିତ ହୋଇଥିଲେ । ରିଲିଫ ପ୍ରଦାନବେଳେ ତାଙ୍କୁ ଏଥିରୁ ବାଦ ଦିଆଯାଇଥିବା ସେମାନେ ଜାଣିବା ପରେ ଏନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପଚାରିଥିଲେ । ହେଲେ ଅଧିକାରୀ ଜଣକ ଆଜିକାଲି କହି ସମୟ ଗଡାଇଚାଲିଥିବାବେଳେ ଷଡଯନ୍ତ୍ର କରି ସେମାନଙ୍କୁ ରିଲିଫରୁ ବଞ୍ଚିତ କରାଯାଇଥିବା ଗ୍ରାମର ହରେକୃଷ୍ଣ ଦାସ, ସୁଶାନ୍ତ ମଲ୍ଲିକ, ବଳରାମ ମଲ୍ଲିକ, କୁଞ୍ଜବିହାରୀ ମଲ୍ଲିକ, କୁନ୍ତଳା ଜେନା, ରମାମଣୀ ମଲ୍ଲିକ, ଗଙ୍ଗାଧର ମଳିକ, ଯଶୋଦା ମଳିକ, ଦେବକୀ ମଳିକ, ଶାନ୍ତିଲତା ମଲ୍ଲିକ ଆଜି ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେହଭଳି କୁରିଗାଁ ପଞ୍ଚାୟତ ଆଲିହା, ମହମଦପୁର, ବାଇଗଡିଆ, ସୁନି ପ୍ରମୁଖ ଗ୍ରାମର ବନ୍ୟାପ୍ରଭାବିତ ଲୋକମାନେ ରିଲିଫ ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ଏନେଇ ସେମାନେ ସରପଞ୍ଚଙ୍କୁ ବାରମ୍ବାର ଜଣାଉଥିଲେ ସୁଦ୍ଧା ସେ ଏହାକୁ କର୍ଣ୍ଣପାତ କରୁନାହାଁନ୍ତି । ତେଣୁ ଗ୍ରାମର ମନୋଜ କୁମାର ଜେନା, ଚକ୍ରଧର ବାରିକ, ପ୍ରଶାନ୍ତ ଜେନା, ନାରାୟଣ ଚନ୍ଦ୍ର ଜେନା, ଶଶିକାନ୍ତ ଜେନା, ରମାକାନ୍ତ ଜେନା ପ୍ରମୁଖ ଆଜି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏସମ୍ପର୍କରେ ବିଡିଓଙ୍କ ମତାମତ ନେବାରୁ ସମସ୍ତ ଅଭିଯୋଗକୁ ବିଚାରକୁ ନିଆଯାଉଥିବା ସେ କହିଛନ୍ତି ।


