ରୁର୍ବାନ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ
ଛତ୍ରପୁର, (ଦେବଦତ୍ତ ମହାରଣା) :-ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ ଆନୁକୂଲ୍ୟରେ ରୁର୍ବାନ ଗଞ୍ଜାମ ପାଇଲଟ ପ୍ରୋଜେକ୍ଟର ଶୁଭାରମ୍ଭ ହୋଇଯାଇଛି । ରାଜ୍ୟରେ ସ୍ୱତନ୍ତ୍ର ଭାବେ ଗଞ୍ଜାମ ଜିଲ୍ଲାର ୫ ଟି ପଂଚାୟତକୁ ପାଇଲଟ ପ୍ରକଳ୍ପ ଭାବରେ ହାତକୁ ନିଆଯାଇଛି । ସେଗୁଡିକ ହେଲା ଛତ୍ରପୁର ବ୍ଲକର ଚମାଖଣ୍ଡି, କୁକୁଡାଖଣ୍ଡି ବ୍ଲକର ଲୋଚାପଡା ଓ ନିମଖଣ୍ଡି, ରଙ୍ଗେଇଲୁଣ୍ଡା ବ୍ଲକର କନିଷି ଏବଂ ହିଞ୍ଜିଳି ବ୍ଲକର ଦୁର୍ବନ୍ଧ ପଂଚାୟତ । ସହରାଂଚଳ ଗୁଡିକରେ ପୂର୍ବରୁ ଘରକୁ ଘର ବୁଲି ମଳ ସଂଗ୍ରହ କରି ଖତ ପ୍ରସ୍ତୁତ କରାଯାଉଥିବା ବେଳେ ଗ୍ରାମାଂଚଳ ମାନଙ୍କରେ ଏହା ପାଇଲଟ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯାଇଛି । ଗ୍ରାମାଂଚଳ ମାନଙ୍କରେ ଘରକୁ ଘର ବୁଲି ମଳ ସଂଗ୍ରହ କରାଯାଇ ସେଗୁଡିକୁ ମଳ ଉପଚାର କେନ୍ଦ୍ରକୁ ଅଣାଯିବ । ସେଠାରେ ଖତ ପ୍ରସ୍ତୁତ କରାଯିବ । ଏନେଇ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକର ଚମାଖଣ୍ଡି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଏହାର ଶୁଭାରମ୍ଭ ହେବା ସହ ପଂଚାୟତର ଜନସାଧାରଣ କିପରି ମଳ ଗୁଡିକୁ ସଠିକ୍ ଭାବେ ଗାଡି ଦ୍ୱାରା ପଠାଇବେ ସେଥି ପ୍ରତି ଜନସାଧାରଣ ମାନଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକୁ ଏସଏଚଜି ମା ମାନେ କିପରି ସୁପରିଚାଳନା କରିବେ ସେଥି ଲାଗି ଗୁରୁତ୍ୱ ଦିଆଯାଇଛି । ଚମାଖଣ୍ଡି ପଂଚାୟତକୁ ଛତ୍ରପୁର ଏନଏସି ସହ ଟ୍ୟାଗ କରାଯାଇଛି । ପଂଚାୟତର ଘରକୁ ଘର ବୁଲି ଛତ୍ରପୁର ଏନଏସିର ସେସପୁଲ ଗାଡି ମଳ ସଂଗ୍ରହ କରି ଛତ୍ରପୁର ରେ ଥିବା ମଳ ଉପଚାର କେନ୍ଦ୍ର କୁ ଆଣିବ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ, ଜିଲ୍ଲା ପରିମଳ ସଂଯୋଜକ ସଂଗ୍ରାମ ପଣ୍ଡା, ପିଇଓ ସନ୍ତୋଷ ବେହେରା ପ୍ରମୁଖଙ୍କ ସମେତ ବହୁ ମା ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପୋଖରୀ ସଫେଇ କରାଯାଇଥିଲା । ସେହିପରି ହିଞ୍ଜିଳି ବ୍ଲକର ଦୁର୍ବନ୍ଧ ଗ୍ରାମ ପଂଚାୟତକୁ ହିଞ୍ଜିଳି ମୁନିସିପାଲଟି ସହିତ ଟ୍ୟାଗ କରାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ହିଞ୍ଜିଳି ବିଡିଓ ସୁବ୍ରତ ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ, ଜଳ ଓ ପରିମଳ ବିଭାଗର ପ୍ରକଳ୍ପ ସଂଯୋଜକ ମହେଶ୍ୱର ତରାଇ ଉପସ୍ଥିତ ଥିଲେ । ସେହିପରି କନିଷି, ଲୋଚାପଡା ଓ ନିମଖଣ୍ଡି ଗ୍ରାମ ପଂଚାୟତକୁ ବ୍ରହ୍ମପୁର ବିଏମସି ସହିତ ଟ୍ୟାଗ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।


