ଲକଡାଉନ୍ ବଦଳାଇ ଦେଲା ଭାଗ୍ୟ

ନୂଆଦିଲ୍ଲୀ: ଏଣିକି ଗୋଟିଏ ଫୋନ କଲରେ ଆପଣଙ୍କ ପାଖକୁ ଚାଲିଚାଲି ଆସିବ ଚା’ । କଥାଟା ଟିକେ ମଜାଳିଆ ଲାଗୁଥିଲେ ବି ଘଟଣା କିନ୍ତୁ ସତ । କାରଣ ଏ ଚା’ର ନାଁ ରଖାଯାଇଛି ‘ଚାଲତା ବୋଲତା ଚା’ । ଜଣେ ସିକ୍ୟୁରିଟି ଗାର୍ଡରୁ କାଫେ ମାଲିକ ବନିଥିବା ଏ ଯୁବକ ଅନଲାଇନ ବ୍ୟବସାୟ ପାଇଁ ଏମିତି ନାମକରଣ କରିଛନ୍ତି । କୁହାଯାଏ ସମୟ ସବୁକିଛି ଶିଖାଇଦିଏ । ରାସ୍ତା କଡର ମଣିଷକୁ ବି ମାଲିକ କରିଦିଏ । ସେମିତି ଏକ କାହାଣୀ ପୁଣେ ସହରରୁ ଆସିଛି । ଯେଉଁଠି ରେଭାନ ସିନ୍ଦେ ନାମକ ଜଣେ ୨୮ ବର୍ଷୀୟ ଯୁବକ ସାଧାରଣ ସିକ୍ୟୁରିଟି ଗାର୍ଡରୁ କଫି ସପର ମାଲିକ ବନିଛନ୍ତି । ଆଉ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । ତେବେ କରୋନା କଟକଣା ପାଇଁ ଯେତେବେଳେ ସାରା ଦେଶରେ ତାଲା ପଡିଥିଲା ଠିକ ସେତିକିବେଳେ ଏକ କମ୍ପାନିରେ ସିକ୍ୟୁରିଟିଗାର୍ଡ ଭାବେ କାମ କରୁଥିବା ରେଭାନଙ୍କ ଚାକିରି ଚାଲି ଯାଇଥିଲା। ଆଉ ଚାକିରି ହରାଇବା ପରେ ଚା’ ବିକି ପେଟ ପୋଷିବାକୁ ମନସ୍ଥ କରିଥିଲେ ସେ । ତେବେ ଲକଡାଉନ ହିଁ ଉକ୍ତ ଯୁବକଙ୍କ ଲକ ବଦଳାଇଦେଇଥିଲା । ଅନଲାଇନରୁ ଆରମ୍ଭ କରିଥିବା ଚା’ ବ୍ୟବସାୟ ଧିରେ ଧିରେ ବଢିବାକୁ ଲାଗିଲା । ଆଉ ଏବେ ଧିରେ ଧିରେ ଯେତେବେଳେ ଅଫିସ କିମ୍ବା ବଡ ବଡ ମାର୍କେଟ ଖୋଲିଲା ତାଙ୍କ ବ୍ୟବସାୟ ଭଲରେ ଚାଲିଲା । ଆଉ ସେ କଫିସପ ‘କାଫେ ୧୮’ର ମାଲିକ ବି ବନିଗଲେ। ଫୁଡ ଡେଲିଭରି ପରି ଚା’ ଡେଲିଭରି କରୁଛନ୍ତି ରେଭାନ । ନିଜ କାଫେରେ ଗରମାଗରମ ଚା କରି ବାଇକରେ ବୁଲିବୁଲି ଦେଉଛନ୍ତି ତାଙ୍କ କର୍ମଚାରୀ । ତେବେ ଦୁଇ କପ ଚାରୁ ଆରମ୍ଭ ହୋଇଥିବା ବ୍ୟବସାୟ ଆଜି ୬୦୦ରୁ ୭୦୦ରେ ପହଞ୍ଚିଛି । ଦିନକୁ ପାଖାପାଖି ୭୦୦ କପ କଫି ଆଉ ଚା ବିକ୍ରି ହେଉଥିବା ବେଳେ ମାସକୁ ୫୦ରୁ ୬୦ ହଜାର ଟଙ୍କା ଲାଭ ହେଉଛି । ତେବେ ରେଭାନଙ୍କ ଏ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ବେଳେ ଲକଡାଉନ କେମିତି ଲକ ବଦଳାଇଦିଏ ପୁନେର ଏ ଯୁବକ ବଡ ଉଦାହରଣ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ