ଲୁଟ ହେବାରେ ଲାଗିଛି ଖଣିଜ ପଦାର୍ଥ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ସବୁ ତହସିଲ ଅଞ୍ଚଳର ପ୍ରତି କୋଣ ଅନୁକୋଣରେ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ନେଇ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କେଉଁଠି ଚୋରା ମୋରମ,ଚୋରା ବାଲି,ଚୋରା ପଥର ,ଚୋରା ଲୁହାପଥର ଚାଲାଣ ଚର୍ଚା ଥମିବାର ପ୍ରଶ୍ନ ଉଠୁନାହିଁ ।ଯାହାକୁ ନେଇ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି । ଲୋକଙ୍କର ପ୍ରତିବାଦର ସ୍ୱରକୁ ଗଣ ମାଧ୍ୟମ ଖବର କାଗଜରେ ମଣ୍ଡନ କଲେ ବି ତା’ର କୌଣସି ପ୍ରଶାସନିକ ପ୍ରଭାବ ପଡ଼ୁନାହିଁ । କେଉଁଠି କେତେବେଳେ କେମିତି ଚଢାଉ ହେଉନାହିଁ । ମାଫିଆମାନେ ପ୍ରଶାସନିକ କଳ ଏବଂ ଗ୍ରାମବାସୀଙ୍କୁ ହାତକରି ଲଘୁ ଖଣିଜ ପଦାର୍ଥ ଲୁଟି ଚାଲିଛନ୍ତି । କେଉଁ ଜାଗାରେ ପ୍ରଶାସନିକ କଳଳକୁ ଗ୍ରାମବାସୀ ଜଣାଇଲେ ତାହା କାର୍ଯ୍ୟ କାରୀ ହେଉ ନାହିଁ ।ରାଇରଙ୍ଗପୁର ତହସିଲ ଅଞ୍ଚଳର ବେଆଇନ ବାଲି ଚାଲାଣ ଖୁବ ଜୋରସୋରରେ ଚାଲିଛି । ଗତ ରବିବାର ଦିନ ରାଇରଙ୍ଗପୁର ତହସିଲ ଅଞ୍ଚଳର ଦାଣ୍ଡବୋଷ ନିକଟସ୍ଥ ଗମ୍ଭାରିଆ ପୋଲ ପାଖରେ ରାଇରଙ୍ଗପୁର ତହସିଲଦାର ଯୋଗ ରଞ୍ଜନ ନାୟକ , ଆରଆଇ ଜୟନ୍ତ ଅନ୍ୟ କର୍ମଚାରୀବୃନ୍ଦ ଏବଂ ରାଇରଙ୍ଗପୁର ପୋଲିସ ସହାୟତାରେ ଚଢ଼ାଉ କରି ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଏବଂ ୩ଟି ବାଲି ଖନନ ଆସବାବପତ୍ର ଥିବା ଖାଲି ଟ୍ରାକ୍ଟର ଜବତ କରି ରାଇରଙ୍ଗପୁର ଟାଉନ ଥାନାରେ ଅଟକ ରଖିଥିଲେ । ମଙ୍ଗଳବାର ଦିନ ଜୋରିମାନା କରାଯାଇଥିଲା ।ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ରୁ ୩୦,୦୦୦ଟଙ୍କା ଏବଂ ସାମାନପତ୍ର ଥିବା ୩ଟି ଟ୍ରାକ୍ଟରରୁ ୩୦,୦୦୦ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ତହସିଲ କତୃପକ୍ଷଙ୍କ ସୂଚନା ମିଳିଛି ।


