ଲୋକପ୍ରିୟ ଅବସରପ୍ରାପ୍ତ ପ୍ରଫେସର ରବିନ୍ଦ୍ର ନାଥ ଜେନାଙ୍କ ପରଲୋକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡ଼ିଶାର ପ୍ରଖ୍ୟାତ ଐତିହାସିକ, ବିଶିଷ୍ଟ ହକି ଖେଳାଳୀ, କୁଶଳୀ କଳାକାର ରବୀନ୍ଦ୍ର ନାଥ ଜେନା ପୂର୍ବାହ୍ନ ୧୧ ସମୟରେ ଇହଲୀଳା ସମ୍ବରଣ କରିଥିଲେ. ସେ ଜଣେ ଛାତ୍ର ବତ୍ସଲ ପ୍ରଫେସର ଭାବରେ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ. ଛାତ୍ରଛାତ୍ରୀମାନେ ଠିକ ଭାବେ କାମ କରୁଛନ୍ତି କି ନାହିଁ ସେ ଘରଘର ବୁଲି ତଦାରଖ କରୁଥିଲେ. ଖାଲି ସେତିକି ନୁହେଁ, ଯଦି କୌଣସି ଛାତ୍ରଛାତ୍ରୀମାନେ ପାଠପଢାରେ ଅଗ୍ରଣୀ ଥିବେ ସେମାନଙ୍କ ପାଠପଢ଼ା ପାଇଁ ନିଜ ପକେଟରୁ ଖର୍ଚ୍ଚ କରି ପଢ଼ାଉଥିଲେ. ସ୍ଥାନିୟ ଶ୍ରୀ କୃଷ୍ଣଚନ୍ଦ୍ର ମହାବିଦ୍ୟାଳୟରେ ୧୯୮୦ ମସିହାରୁ ୧୯୯୨ମସିହା ପର୍ଯ୍ୟନ୍ତ ଇତିହାସ ବିଭାଗୀୟ ମୁଖ୍ୟ ଓ ପ୍ରାଧାପିକ ଭାବେ ବେଶ ସୁନାମ ଅର୍ଜନ କରିଥିଲେ. ତାଙ୍କ ସମୟରେ ପାରଳା କଲେଜରେ ଓଡ଼ିଆ ନାଟକ ‘ମଲାଜହ୍ନ’ ବେଶ ସଫଳତାର ସହ ପରିବେଷଣ କରାଯାଇଥିଲା. ଏହି ନାଟକ ଦେଖିବାକୁ ପାରଳା ସହରର ଜନସାଧାରଣଙ୍କୁ ମଧ୍ୟ ସୁଯୋଗ ମିଳିଥିଲା. ଏହି ନାଟକ ଦ୍ୱାରା ସେ ପାରଳାର ଘରେ ଘରେ ପରିଚିତ ହୋଇଥିଲେ. ତାଙ୍କର ବହୁ ଛାତ୍ରଛାତ୍ରୀମାନେ ରାଜ୍ୟ,ରାଜ୍ୟ ବାହାରେ, ଦେଶ ବିଦେଶରେ ବେଶ ଖ୍ୟାତି ଅର୍ଜନ କରି ବେଶ ପ୍ରତିଷ୍ଠା ଲାଭ କରିଛନ୍ତି. ଆହୁରି ମଧ୍ୟ ସେ ଜଣେ କ୍ରୀଡାପ୍ରେମୀ. ତାଙ୍କ ସମୟରେ ପାରଳା କଲେଜରେ ଶୈକ୍ଷିକ ବାତାବରଣ, କ୍ରୀଡା ଓ ନାଟକରେ ବେଶ ଲାଭ କରିଥିଲା. ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା. ଡିସେମ୍ବର ୬ ରିଖରେ ଦିନ ୧୧ ସମୟରେ ସେ ଶେଷ ନିଶ୍ୱାସ ପରିତ୍ୟାଗ କରିଥିଲେ. ବ୍ରାହ୍ମପୁରରେ ତାଙ୍କର ଶେଷକୃତ୍ୟ କରାଯିବ. ସେ ମୃତ୍ୟୁ ପଯ୍ୟନ୍ତ ବ୍ରହ୍ମପୁର ହଲପାଟଣାସ୍ଥିତ ବାସ ଭବନରେ ରହୁଥିଲେ. ସେ ଅବିଵାହିତ ଥିଲେ. ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା. ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଆତ୍ମିୟ ସୃଜନ ସମସ୍ତେ ଉପସ୍ଥିତ ଥିଲେ. ବ୍ରହ୍ମପୁର ସାସଂଦ ତାଙ୍କ ଛାତ୍ର, ଗଞ୍ଜାମ କ୍ରୀଡା ସଂପାଦକ ଅଶୋକ କୁମାର ସାହୁ, ପ୍ରଖ୍ୟାତ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଜଗନ୍ନାଥ ପାଢୀ ପ୍ରମୁଖ ତାଙ୍କର ଛାତ୍ର ଅଟନ୍ତି. ପ୍ରଫେସର ଓ ଲୋକପ୍ରିୟ ଶିକ୍ଷାବିତ ସ୍ବର୍ଗତ ଜେନାଙ୍କ ବିୟୋଗରେ କେବଳ ପାରଳାଖେମୁଣ୍ଡି ସହର ନୁହେଁ ଓଡ଼ିଶାର ବିଭିନ୍ନ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ, ଆଇନଜୀବୀ, ସାମ୍ବାଦିକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଠାରେ ଗଭୀର ଶୋକ ପ୍ରକାଶ ପାଇଛି.
,


