ଶାସଙ୍ଗରେ ସରପଞ୍ଚ ପ୍ରାର୍ଥୀ ‘ନଜମା ଖାତୁନ’ଙ୍କ ଜୋରଦାର ପ୍ରଚାର
ବାଲେଶ୍ୱର, (ସରୋଜ ପଣ୍ଡା) : ଚଳିତ ପଞ୍ଚାୟତ ନିର୍ବାଚନର ଆସନ୍ତା ୨୪ ତାରିଖରେ ମତଦାନ ହେଉଥିବା ସଦର ବ୍ଲକର ଶାସଙ୍ଗ ପଞ୍ଚାୟତରେ ଏବେ ପ୍ରାର୍ଥମାନଙ୍କ ପକ୍ଷରୁ ଘମାଘୋଟ ପ୍ରଚାର ଚାଲିଛି । ୧୧ ୱାର୍ଡ଼ ବିଶିଷ୍ଟ ଏହି ପଞ୍ଚାୟତର ଭୋଟର ସଂଖ୍ୟା ୪,୦୯୭ । ଚଳିତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ୮ଜଣ ପ୍ରାର୍ଥୀ ରଣାଙ୍ଗନରେ ଉପନୀତ ହୋଇଛନ୍ତି । ମୁଖ୍ୟତଃ ୪ଜଣଙ୍କ ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ ଯୁବ ତଥା ଶିକ୍ଷିତ ପ୍ରାର୍ଥୀଙ୍କ ପ୍ରତି ଭୋଟରଙ୍କ ସମର୍ଥନ ବଢ଼ୁଥିବା ଲକ୍ଷ୍ୟ କରାଯାଇଛି । ତେବେ ଅନ୍ୟମାନଙ୍କ ତୁଳନାରେ ପ୍ରଚାରରେ ଆଗରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଉଚ୍ଚଶିକ୍ଷିତା ମହିଳା ନଜମା ଖାତୁନଙ୍କ ସମ୍ପର୍କରେ ସାରା ପଞ୍ଚାୟତରେ ଆଲୋଚନା ହେଉଛି । ଏମଏସଡବ୍ଲ୍ୟୁରେ ଡିଗ୍ରୀରେ ଉତ୍ତୀର୍ଣ୍ଣ ‘ନଜମା’ ସମାଜସେବାକୁ ବ୍ରତ ଭାବେ ଗ୍ରହଣ ପାଇଁ ସିଦ୍ଧାନ୍ତ ନେଇଛନ୍ତି । ଘର ଘର ବୁଲି କ୍ୟାମ୍ପେନିଂ କରିବା ଅବସରରେ ସୂର୍ଯ୍ୟ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିବା ସାଙ୍ଗକୁ ତାଙ୍କର ପ୍ରାର୍ଥୀ ହେବାର ଆଭିମୁଖ୍ୟ ସମ୍ପର୍କରେ ସେ ଭୋଟରମାନଙ୍କୁ ବୁଝାଉଛନ୍ତି । ତାଙ୍କ ପ୍ରତି ସବୁବର୍ଗ ଭୋଟରଙ୍କର ସମର୍ଥନ ବଢ଼ୁଥିବା ବେଳେ ନିଜର ବିଜୟକୁ ନେଇ ସେ ବେଶ ଆଶାବାଦୀ ଥିବା ଲକ୍ଷ୍ୟ କରାଯାଇଛି । ବିଶେଷ କରି ଏହି ନିର୍ବାଚନରେ ଅଧିକ ସଂଖ୍ୟକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବା ତାଙ୍କ ପାଇଁ ବେଶ ସୁଯୋଗ ଆଣିଛି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି ।


