ଶିକାରୀର ବିଦ୍ୟୁତ୍ ଫାଶରେ ଚାଷୀ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଚାଷୀ ଶିବରାମ ସ୍ୱାଇଁ (୪୫) ଶିକାରୀ ବିଛାଇ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିବା ଅଭିଯୋଗ ଆଣିଛନ୍ତି ଶିବରାମଙ୍କ ପୁଅ ଶୁଭମ୍ I ଶୁଭମ୍ ଙ୍କ ଏତାଲା ପ୍ରକାରେ ଗତ ଶୁକ୍ରବାର ରାତି ନଅ ଘଣ୍ଟା ସମୟରେ ତାଙ୍କ ବାପା ଶିବରାମ ଏବଂ ଗାଙ୍ଗପୁର ଥାନା ଅନ୍ତର୍ଗତ କୁମୁଣ୍ଡି ଗ୍ରାମର ଶ୍ରୀକର ବିଷୋୟୀ ବିଞ୍ଝଗିରି ଶିବ ମନ୍ଦିର ନିକଟରେ ଥିବା ଜମିକୁ ପାଣି ମଡାଇବା ପାଇଁ ଯାଇଥିଲେ I ସେମାନେ ଜମିରୁ ଫେରିବା ସମୟରେ ରାସ୍ତାରେ ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଶିବରାମ ଆସି ଗୁରୁତର ଆହତ ହୋଇଥିଲେ I ସେଠାରୁ ଶ୍ରୀକର ଏବଂ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଶିବରାମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଭଞ୍ଜନଗରରେ ଭର୍ତ୍ତି କରାଯାଇଥିଲା I କିନ୍ତୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ତାଙ୍କୁ ସେଠାରୁ ବ୍ରହ୍ମପୁର ଏବଂ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଦିଆଯାଇଥିଲା I ତେବେ ଶିବରାମ ଫେରିବା ରାସ୍ତାରେ କିଛି ବନ୍ୟଜନ୍ତୁ ଶିକାରୀ ବିଦ୍ୟୁତ୍ ତାର ବିଛାଇଥିବା ପୋଲିସ ଠାରୁ ଜଣାପଡିଛି । ଏନେଇ ଶୁଭମଙ୍କ ଏତାଲା ପ୍ରକାରେ ଗାଙ୍ଗପୁର ପୋଲିସ୍ ୬୫୩/୨୩ ରେ ଏକ ମାମଲା ରୁଜୁ କରି ବିଞ୍ଜିଗିରି ଗ୍ରାମର ଫକୀର ଗୌଡ଼ କୁ ଗିରଫ କରିବା ସହ ବିଦୂତ ତାର ଜବତ ଜରିଛି ଗାଙ୍ଗପୁର ପୋଲିସ । ଏହି ମାମଲାରେ ଆହୁରି ୨/୩ ଜଣ ସମ୍ପୃକ୍ତ ଥିବା ପୋଲିସ କହିଛି । ପ୍ରକାଶ ଥାଉକି କୁମୁଣ୍ଡି ବିଞ୍ଝଗିରି ଅଞ୍ଚଳରେ ବିଭିନ୍ନ ବନ୍ୟଜନ୍ତୁ ବିଚରଣ କରୁଥିବାରୁ ଶିକାରୀମାନେ ବହୁ ସମୟରେ ଏହି ଅଞ୍ଚଳରେ ବିଦ୍ୟୁତ୍ ତାର ବିଛାଇବାର ନଜିର ରହିଛି I ତେବେ ଶିକାରୀ ମାନଙ୍କର ଏହିଭଳି କାର୍ଯ୍ୟ ପାଇଁ ଅଞ୍ଚଳର ଚାଷୀମାନେ ଆଉ ନିଜକୁ ସୁରକ୍ଷିତ ମନେ କରୁନାହାଁନ୍ତି I ସଞ୍ଜ ନଇଁଲେ ଚାଷୀମାନେ ଜମିକୁ ଯିବାକୁ ଭୟ କରୁଛନ୍ତି I ତେଣୁ ଶିକାରୀଙ୍କ ରୋକିବା ଦିଗରେ ସ୍ଥାନୀୟ ବନ ବିଭାଗ,ପୋଲିସ୍ ଏବଂ ବିଦ୍ୟୁତ୍ ବିଭାଗ ମିଳିତ ପ୍ରୟାସ କରିବା ଉଚିତ୍ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ