ଶ୍ରୀବଳଦେବଜୀୟୁ କଲ୍ୟାଣ ମଣ୍ଡପକୁ କେନ୍ଦ୍ରାପଡା ପୈାରପାଳିକାକୁ ହସ୍ତାନ୍ତର ବିରୋଧରେ ପ୍ରତିବାଦ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀୟୁଙ୍କ କଲ୍ୟାଣ ମଣ୍ଡପକୁ କେନ୍ଦ୍ରାପଡା ପୋରପାଳିକାକୁ ହସ୍ତାନ୍ତର ଘଟଣାର ପ୍ରତିବାଦ କରାଯାଇଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ଟାଉନ ଥାନା ନିକଟସ୍ଥ ସାନ୍ତସାହି ମୈାଜାରେ ଶ୍ରୀବଳଦେବଜୀୟୁଙ୍କର ନିଜସ୍ୱ ଏ୦.୪୫ଡିସିମିଲି ଜମି ଉପରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଦୁଇ କୋଟି ଟଙ୍କାର ଅନୁଦାନ ରାଶି ମଞ୍ଜୁର କରିଥିଲେ । ସେହି ଅର୍ଥରେ ସାନ୍ତସାହିସ୍ଥିତ ଶ୍ରୀଜୀୟୁଙ୍କ ଜମି ଉପରେ କେନ୍ଦ୍ରାପଡା ପୂର୍ତ୍ତ ଡିଭିଜନ -୧ ଦ୍ୱାରା ନିର୍ମିତ କଲ୍ୟାଣ ମଣ୍ଡପକୁ ଏବେ କେନ୍ଦ୍ରାପଡା ପୈାରପରିଷଦକୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦେଶନାମା ଜାରିକରିଛି । ସେହି କଲ୍ୟାଣ ମଣ୍ଡପର ଆୟରେ ଶ୍ରୀବଳଦେବଜୀୟୁ ଦେବୋତ୍ତର ସଂସ୍ଥାର ଆୟ ବୃଦ୍ଧି ହେବା ସହ ଶ୍ରୀଜୀୟୁଙ୍କ ନୀତିକାନ୍ତୀ ଯାନିଯାତ୍ରାରେ ବିନିଯୋଗ ହେବା କଥା । ଶ୍ରୀବଳଦେବଜୀୟୁ ଠାକୁର ଓ ଶ୍ରୀ ବଳଦେବଜୀୟୁ ଦେବୋତ୍ତର ଟ୍ରଷ୍ଟବୋର୍ଡ ଏବଂ ହିନ୍ଦୁ ଦେବୋତ୍ତର କମିଶନର ଭୁବନେଶ୍ୱରଙ୍କ ବିନା ଅନୁମତିରେ ସଂପୃକ୍ତ କଲ୍ୟାଣ ମଣ୍ଡପକୁ ଜିଲ୍ଲା ପ୍ରସାସନ ପୈାରପରିଷଦକୁ ହସ୍ତାନ୍ତର ସମ୍ପୂର୍ଣ୍ଣ ବେଆଇନ ଓ ମନୋମୁଖୀ ବୋଲି ଅଭିଯୋଗ ହୋଇଛି । ଏଭଳି କାର୍ଯ୍ୟ ଦ୍ୱାରା ମହାପ୍ରଭୁ ଶ୍ରୀବଳଦେବଜୀୟୁ ତଥା ଦେବୋତ୍ତର ସଂସ୍ଥାର ସ୍ୱାର୍ଥ ହାନି ସହ ପ୍ରଭୁତ କ୍ଷତି ସାଧନ ହେବ ବୋଲି ଅଭିଯୋଗ ହୋଇଛି । କେନ୍ଦ୍ରାପଡାର ସଚେତନ ନାଗରିକ ଭାବରେ ଏଭଳି ବେଆଇନ କାର୍ଯ୍ୟର ଦୃଢ ପ୍ରତିବାଦ କରାଯିବା ସହ ଶ୍ରୀବଳଦେବଜୀୟୁ ଓ ଦେବୋତ୍ତର ସଂସ୍ଥାର ବୃହତ୍ତର ସ୍ୱାର୍ଥ ଓ ହିତ ଦୃଷ୍ଟିରୁ ସଂପୃକ୍ତ କଲ୍ୟାଣ ମଣ୍ଡପକୁ ଶ୍ରୀବଳଦେବଜୀୟୁ ଦେବୋତ୍ତର ସଂସ୍ଥା ଟ୍ରଷ୍ଟବୋର୍ଡକୁ ହସ୍ତାନ୍ତର କରାଯିବା ନିମନ୍ତେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଓକିଲ ସଙ୍ଘ ସଭାପତି ଧ୍ରୁବ ଚରଣ ଜେନା, ପୂର୍ବତନ ଟ୍ରଷ୍ଟବୋର୍ଡ ସଭ୍ୟ ଧିରେନ କୁମାର ସାହୁ, ଗିରିଶ ଚନ୍ଦ୍ର କର, ଟ୍ରଷ୍ଟବୋର୍ଡ ସଭ୍ୟ ରଞ୍ଜନ କୁମାର ପୃଷ୍ଟି, ଆଇନଜୀବୀ ପ୍ରଭାତ ଅଧିକାରୀ, ବିଧୁଭୂଷଣ ମହାପାତ୍ର, ବଳଦେବ ପ୍ରସାଦ ସାମନ୍ତରାୟ, ସେବକ ଟ୍ରଷ୍ଟି ଧରଣୀଧର ସୁଆର, ପୂର୍ବତନ ଅଧ୍ୟକ୍ଷ ଡଃ. ବଳରାମ ଲେଙ୍କା, ପଣ୍ଡିତ ହୃଷିକେଶ ରଥ, ନିରଞ୍ଜନ ମେକାପ, ଟ୍ରଷ୍ଟବୋର୍ଡର ପୂର୍ବତନ ନିର୍ବାହୀ ଅଧିକାରୀ ନିତ୍ୟାନନ୍ଦ ସୁଆର, ମାଧବ ଚନ୍ଦ୍ର ପତ୍ରୀ, ସେବକ ଟ୍ରଷ୍ଟି ବଳରାମ ସୁଆର, ପୂଜାପଣ୍ଡା ସେବକ ନୃସିଂହ ପ୍ରସାଦ ପତ୍ରୀ, ନେହେରୁ କୁମାର ସାହୁ, ଗଣେଶ ପ୍ରସାଦ ପତି ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ