ଷ୍ଟିକରିଂ ବ୍ୟବସ୍ଥା ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର
ବାରିକପୁର,(ୱାଇଏନ୍ଏସ୍): ଏବେ ସରକାରଙ୍କ ଯୋଜନାରେ ଅନେକ ପକ୍କାଗୃହ ନିର୍ମାଣ ହୋଇଥିବାବେଳେ ସେଥିରେ ରାଜ୍ୟ ସରକାର ଷ୍ଟିକରିଂ ବ୍ୟବସ୍ଥା କରିଥିବାରୁ ଏହାକୁ ବିଜେପି ତୀବ୍ର ବିରୋଧ କରିଛି । କାରଣ ପ୍ରଧାନମନ୍ତ୍ରୀ, ଇନ୍ଦିରାଆବସ, ବିଜୁ ପକ୍କାଘର ଯୋଜନାରେ ଗୃହ ନିର୍ମାଣ ହୋଇଥିବାବେଳେ ରାଜ୍ୟ ସରକାର ପ୍ରଶାସନ ଜରିଆରେ ଚତୁରତାର ସହିତ ବିଜୁ ପକ୍କାଘର ଲୋଗ ଥିବା ଷ୍ଟିକର ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଭଣ୍ଡାରିପୋଖରୀ ବ୍ଲକ ବିଜେପି ପକ୍ଷରୁ ଗତ କିଛିଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ହୋଇଥିବାବେଳେ ପରେପରେ ଉକ୍ତ ବ୍ୟବସ୍ଥା ପ୍ରଚଳନ ପାଇଁ ଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ଯାଏଁ ସମସ୍ତଙ୍କ ନାମରେ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ଏହା ସତ୍ତ୍ୱେ ଆଜି ବିଜେପି ଷ୍ଟିକରିଂ ବ୍ୟବସ୍ଥାକୁ ବିରୋଧକରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରିଛି । ବିଜେପି ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲ,କରୁଣାକର ସାହୁ, ଜଗବନ୍ଧୁ ସେନାପତି, ପର୍ଶୁରାମ ପରିଡା, ପର୍ଶୁରାମ ଜେନା, ରବିନ୍ଦ୍ର ସାହୁ, ଶିବାନନ୍ଦ ସାହୁ ପ୍ରମୁଖ କର୍ମୀମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ବିଜୁ ପକ୍କାଘର ଲୋଗଥିବା ଷ୍ଟିକରକୁ ବ୍ଲକ କାର୍ଯ୍ୟାଳୟ ଠାରେ କର୍ମୀମାନେ ପୋଡି ରାଜ୍ୟ ସରକାରଙ୍କ ଏଭଳି ହୀନମାନ୍ୟତାକୁ ଦୃଢ ନିନ୍ଦା କରିଛନ୍ତି ।


