ଷ୍ଟେସନଛକ ଟ୍ରାଫିକ ପଏଣ୍ଟରେ ସିସି କ୍ୟାମେରା ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ଟ୍ରାଫିକ ବ୍ୟବସ୍ଥାର ସୁନିୟନ୍ତ୍ରଣ ସହ ଅପରାଧ ଓ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଜିଲା ପୁଲିସ ପକ୍ଷରୁ ପ୍ରୋଜେକ୍ଟ ସହଯୋଗ ଆନୁକୂଲ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଷ୍ଟେସନ ଛକ ଟ୍ରାଫିକ ପଏଣ୍ଟରେ ସିସି କ୍ୟାମେରା ସ୍ଥାପିତ ହୋଇଯାଇଛି । ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ସିସି କ୍ୟାମେରା ବ୍ୟବସ୍ଥାକୁ ଉଦଘାଟନ କରିବା ସହିତ ‘ପ୍ରୋଜେକ୍ଟ ସହଯୋଗ’ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସହରବାସୀଙ୍କ ସହଯୋଗରେ ତଥା କ୍ରାଉଡ ଫଣ୍ଡିଂ ଜରିଆରେ ବିଭିନ୍ନ ଛକରେ ଏହିଭଳି ସିସି କ୍ୟାମେରା ସ୍ଥାପନ କାର୍ଯ୍ୟ ଜାରି ରହିଛି ବୋଲି ସେ କହିଥିଲେ । ପ୍ରଥମ ପର୍ଯ୍ୟାୟରେ ସିନେମା ଛକରେ ଏହି ବ୍ୟବସ୍ଥା ସ୍ଥାପନ କରାଯାଇଥିବା ବେଳେ ଏବେ ଷ୍ଟେସନଛକରେ ଲଗାଯାଇଛି । ଆଗାମୀ ଦିନରେ ଗୋଳାପୋଖରୀ ଛକ, ଫୁଲାଡି ଛକ, ପୁରୁଣା ବାଲେଶ୍ୱର ସମେତ ୨୮ ଗୋଟି ସ୍ଥାନରେ ଏହି ବ୍ୟବସ୍ଥା ପ୍ରତିଷ୍ଠା କରାଯିବ ବୋଲି ଏସପି ଶ୍ରୀମତୀ ନାଥ ପ୍ରକାଶ କରିଛନ୍ତି । ନୂତନ ଭାବେ ଲଗାଯାଉଥିବା ସମସ୍ତ କ୍ୟାମେରା ବାଲେଶ୍ୱର ଟ୍ରାଫିକ ଥାନାର କେନ୍ଦ୍ରୀୟ କମାଣ୍ଡ ଓ କଂଣ୍ଟ୍ରୋଲ ସେଣ୍ଟର ସହିତ ସଂଯୁକ୍ତ କରାଯାଇଛି । ଏଥିପାଇଁ ବାଲେଶ୍ୱରର ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ସଂସ୍ଥା ‘ଓଡ଼ିନେଟ ଇନଫୋକମ୍ର ଫାଇବର ନେଟୱାର୍କ ବ୍ୟବହାର କରାଯାଉଛି । ଷ୍ଟେସନ ଛକରେ ଲଗାଯାଇଥିବା ସିସିଟିଭି କ୍ୟାମେରା ପାଇଁ ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଅବସର୍ରାପ୍ତ ଶିକ୍ଷକ ଭବାନୀ ଚରଣ ଦାସମହାପାତ୍ର ଆର୍ଥିକ ସହଯୋଗ ପ୍ରଦାନ କରିଥିବାରୁ ଏସପିି ଶ୍ରୀମତୀ ନାଥ ତାଙ୍କୁ ଓ ତାଙ୍କ ରିବାରବର୍ଗଙ୍କୁ ଏହି ଅବସରରେ ସାଧୁବାଦ ଜଣାଇଥିଲେ । ଆଗାମୀ ଦିନରେ ସହରର ବିଭିନ୍ନ ବ୍ୟାଙ୍କ, ଜୁୟେଲାରୀ ଦୋକାନ, ବ୍ୟବସାୟିକ ସଂସ୍ଥା ସହିତ ଆବାସିକ କଲ୍ୟାଣ ସଂଗଠନମାନଙ୍କରେ ଏହି ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବ । ଏହା ଦ୍ୱାରା ଅପରାଧ ନିୟନ୍ତ୍ରଣ ଓ ଅପରାଧିଙ୍କୁ ଚିହ୍ନଟ ସହ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ ବୋଲି ଏସପି କହିଛନ୍ତି । ବାଲେଶ୍ୱର ସହରରେ ଅପରାଧିକ କାର୍ଯ୍ୟକଳାପ ରୋକିବା ଦିଗରେ ପୁଲିସ ପ୍ରଶାସନକୁ ସହଯୋଗ ପାଇଁ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଶ୍ରୀ ଦାସମହାପାତ୍ର ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ଓ ଟ୍ରାଫିକ ଡିଏସିପି ଆଲୋକ ରଂଜନ ରାୟ, ଡିଆଇବି ଡିଏସପି ବ୍ରଜେଶ୍ୱରୀ ବଳ, ଡିଏସପି ମାନସ ଦେଓ, ସଦର ଏସଡିିଓ ଡ. ଶଶାଙ୍କ ଶେଖର ବେହୁରା, ସିଟି ଡିଏସପି ଗାୟତ୍ରୀ ବାଳା ପ୍ରଧାନ, ଟାଉନ ଥାନାଧିକାରୀ ପର୍ଶୁରାମ ସାହୁ, ସହଦେବଖୁଣ୍ଟା ଥାନାଧିକାରୀ ଶୁଭ୍ରାଂଶୁ ଶେଖର ନାୟକ, ରେମୁଣା ଥାନାଧିକାରିଣୀ ପ୍ରେମପ୍ରଜ୍ଞା ମହାନ୍ତି, ଟ୍ରାଫିକ ଥାନାଧିକାରୀ ଗଣେଶ୍ୱର ପ୍ରଧାନ, ଓଡ଼ିନେଟ୍ ଇନ୍ଫୋକମ୍ର ନିର୍ଦ୍ଦେଶକ ଦେବଜ୍ୟୋତି ଦାସ ମହାପାତ୍ର, ଦେବସ୍ନାନ ଦାସମହାପାତ୍ର ଓ ଓଡିନେଟର କର୍ମଚାରୀମାନେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


