ଓଡ଼ିଶା ଆଶାକର୍ମୀ ସଂଘର ଜିଲା ସମ୍ମିଳନୀ
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ମଜଦୁର ସଂଘ (ବିଏମଏସ) ଅନୁବନ୍ଧିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ଜିଲ ସମ୍ମିଳନୀ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ ପରିସରରେ ସୋମବାର ହୋଇଯାଇଛି । ବିଏମଏସର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଗିରିଶ ଚନ୍ଦ୍ର ମହନ୍ତ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ହକ ଆଦାୟ ପାଇଁ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।ଏନେଇ ସମସ୍ତେ ସଂଗଠିତ ହୋଇ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ ସେ ପରାମର୍ଶ ଦେଇଥିଲେ । ବିଏମଏସର ରାଜ୍ୟ ସଭାପତି ଶ୍ରମିକ ନେତା ପୃଥ୍ୱୀରାଜ ପଣ୍ଡା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଶା କର୍ମୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା ଓ ସଂଗଠନକୁ ମଜବୁତ କରିବା ସହ ବିଏମଏସ ଆଦର୍ଶକୁ ଅନୁସରଣ ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲ ସେନ୍ ଜଗଦେବ, ଏନଏଚଏମ ଜିଲା ପ୍ରକଳ୍ପ ପରିଚାଳକ ଅନୀଲ କୁମାର ମହାନ୍ତି, ବିଏମଏସ ଜିଲା ପ୍ରଭାରୀ ମନୋଜ ବସନ୍ତରାୟ, ଜିଲା ସମ୍ପାଦକ ଅରୂପ କୁମାର ନାୟକ, ଆଶାକର୍ମୀ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶକୁନ୍ତଳା ଗୋଚ୍ଛାୟତ, ରାଜ୍ୟ ସଂଗଠନ ସମ୍ପାଦିକା କୁମମଣି ଦେଇ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଶାକର୍ମୀଙ୍କ ନିଷ୍ଠାପର କାର୍ଯ୍ୟଧାରା ଯୋଗୁଁ ସାମ୍ପ୍ରତିକ ସ୍ଥିତିରେ ସମାଜର ଶିଶୁ ଓ ମାତୃମୃତ୍ୟୁ ହାର ହ୍ରାସ ପାଇଛି ବୋଲି କହିଥିଲେ । ଏହା ସତ୍ୱେ ସେମାନଙ୍କ ସମସ୍ୟା ସମାଧାନକୁ ସରକାର ଗୁରୁତ୍ୱ ଦେବା ଉଚିତ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ସଂଗଠନର ଜିଲା ସଭାପତି ହରପ୍ରିୟା ପାଢ଼ୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦିକା ଜାନକୀ ରାଉଳ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ସ୍ୱର୍ଣ୍ଣଲତା ବିଶ୍ୱାଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଂଗଠନର ନୂତନ ଜିଲା କମିଟି ଗଠନ କରାଯାଇଥିଲା ।ଏହି କମିଟିରେ ହରପ୍ରିୟା ପାଢ଼ୀ ଜିଲା ସଭାପତି, ସ୍ୱର୍ଣ୍ଣଲତା ବିଶ୍ୱାଳ କାର୍ଯ୍ୟକାରୀ ସଭାପତି, କଳ୍ପଲତା ଦାଶ, ସୀତାରାଣୀ ଦାସ ଓ ମୀରା ପଲେଇ ଉପ-ସଭାପତି ଏବଂ ଜାନକୀ ରାଉଳ ସମ୍ପାଦିକା, କଳ୍ପନା ମିଶ୍ର ସହ-ସମ୍ପାଦିକା, ସନ୍ଧ୍ୟା ସାହାଣୀ ସଂଗଠନ ସମ୍ପାଦିକା ଏବଂ କୋଷାଧ୍ୟକ୍ଷା ଅପର୍ଣ୍ଣା ପରିଡ଼ାଙ୍କ ସମେତ ୧୫ ଜଣ କାର୍ଯ୍ୟକାରିଣୀ ସଦସ୍ୟା ମନୋନୀତ କରାଯାଇଛି ।


