ସମସ୍ୟା ଘେରରେ ବୁଗୁଡା ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଳୟ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଓ ଏନଏସି ର ପଶୁ ଓ ପକ୍ଷୀଙ୍କ ଚିକିତ୍ସା ପାଇଁ ବୁଗୁଡ଼ାରେ ଅବସ୍ଥିତ ଏକମାତ୍ର ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଳୟ ବିଭିନ୍ନ ସମସ୍ୟା ଘେରରେ ପରିଚାଳିତ ହେଉଅଛି। ବୁଗୁଡାରେ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଳୟ ପାଇଁ ନୂତନ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ଅଳ୍ପ କିଛି କାର୍ଯ୍ୟ ହୋଇନଥିବା ଯୋଗୁଁ ତାହା ପ୍ରାୟ ଏକ ବର୍ଷ ହେଲା କାର୍ଯ୍ୟ ନହୋଇ ବିଭାଗକୁ ହସ୍ତାନ୍ତର ହେଉନାହିଁ। ନୂତନ କୋଠା ତୁରନ୍ତ ବିଭାଗକୁ ହସ୍ତାନ୍ତର ହେବା ଜରୁରୀ ଅଟେ, ଯେହେତୁ ବର୍ତ୍ତମାନ ଅତି ପୁରୁଣା କୋଠାରେ କାର୍ଯ୍ୟ ଚାଲୁଅଛି। ଏଥିସହ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସକଙ୍କ ପାଇଁ ଥିବା ବହୁ ପୁରୁଣା କୋଠା ରହିବା ପାଇଁ ଉପଯୁକ୍ତ ନଥିବା ବେଳେ ଡାକ୍ତରଙ୍କ ରହିବା ପାଇଁ ନୂତନ କୋଠା ନିର୍ମାଣ ବା ପୁରୁଣା କୋଠାକୁ ମରାମତି କରିବା ଆବଶ୍ୟକତା ରହିଅଛି। ବୁଗୁଡା ବ୍ଳକରେ ପୂର୍ବରୁ ଆଠ ଗୋଟି ପ୍ରାଣୀଧନ ଉପକେନ୍ଦ୍ର ଥିବା ବେଳେ ଆଉ ଦୁଇଟି ଉପକେନ୍ଦ୍ର ମଞ୍ଜୁରୀ ହୋଇ ୧୦ ଗୋଟି ଉପକେନ୍ଦ୍ର ବୁଗୁଡା ବ୍ଳକରେ ଥିବା ବେଳେ ୭ ଜଣ ପ୍ରାଣୀଧନ ନିରୀକ୍ଷକ ଅଛନ୍ତି। ଆହୁରି ତିନିଜଣ ପ୍ରାଣୀଧନ ନିରୀକ୍ଷକ ପଦବୀ ଖାଲି ପଡ଼ିଛି। ଏହି ୧୦ ଗୋଟି ଉପକେନ୍ଦ୍ର ମଧ୍ୟରୁ ମାଣିତରା, ପାଙ୍ଗିଡି, ଚିରିକିପଡା ଓ ଗୌଡ଼ିଆବୋରଦା ଉପକେନ୍ଦ୍ରର ନିଜସ୍ୱ କୋଠା ନାହିଁ। ଯାହା ଫଳରେ ପ୍ରାଣୀଧନ ନିରୀକ୍ଷକମାନେ ବିଭିନ୍ନ ବ୍ୟକ୍ତିଙ୍କ ବାରଣ୍ଡାରେ ବସି ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି। ଶୁଣା ଯାଉଛି ଏହି ଚାରିଗୋଟି ଉପକେନ୍ଦ୍ର ପାଇଁ ମତ୍ସ୍ୟ ଓ ପ୍ରାଣୀଧନ ବିକାଶ ବିଭାଗ ପକ୍ଷରୁ କୋଠା ନିର୍ମାଣ ପାଇଁ ବୁଗୁଡା ବ୍ଳକକୁ ଅର୍ଥ ଆସିଥିଲେ ମଧ୍ୟ ପ୍ରାଣୀଧନ ଉପକେନ୍ଦ୍ର ପାଇଁ କୋଠା ନିର୍ମାଣ ହୋଇପାରିନାହିଁ। ମାଣିତରା ଓ ପାଙ୍ଗିଡି ପ୍ରାଣୀଧନ ଉପକେନ୍ଦ୍ର ନିର୍ମାଣ କାର୍ଯ୍ୟ ପ୍ରାୟ ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ସ୍ଲାବ ଲେବଲ ପର୍ଯ୍ୟନ୍ତ କାନ୍ଥ ଉଠିଥିଲେ ମଧ୍ୟ ଉପର ଛାତ ନପଡ଼ି ରହିଅଛି। ଶୁଣାଯାଉଛି ଛାତ ପକାଇବା ପାଇଁ ବ୍ଲକରୁ ସିମେଣ୍ଟ ଉଠାଯାଇଥିଲେ ମଧ୍ୟ ଛାତ ପଡ଼ିନାହିଁ। ସେତେବେଳେ ବୁଗୁଡା ବ୍ଳକର ସହକାରୀ ଯନ୍ତ୍ରୀ ଭାବେ ଇଞ୍ଜିନିୟର ମୋହନ ସାହୁ ଥିବା ଶୁଣାଯାଉଛି। ବର୍ତ୍ତମାନ ସରକାର ଗୋପାଳନ, ଛେଳି ପାଳନ ଓ କୁକୁଡ଼ା ପାଳନ ପାଇଁ ସବସିଡ ଦେଉଥିବା ଯୋଗୁଁ ବହୁ ଯୁବକ ଏହି ଚାଷ ପାଇଁ ଆଗ୍ରହ ପ୍ରକାଶ କରି ଆତ୍ମନିର୍ଭରଶୀଳ ହେବାକୁ ଚାହୁଁଛନ୍ତି। ଯାହା ଫଳରେ ପ୍ରାଣୀଧନ ଚିକିତ୍ସା ପାଇଁ ବେବଳ ବୁଗୁଡାର ଏକମାତ୍ର ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଳୟ ଯଥେଷ୍ଟ ନୁହେଁ। ଏଣୁ ଆହୁରି ଦୁଇଟି ପ୍ରାଣୀଧନ ଚିକିତ୍ସାଳୟର ଆବଶ୍ୟକତା ରହିଅଛି। ବର୍ତ୍ତମାନ ମଧ୍ୟ ବୁଗୁଡ଼ାଠାରୁ ୨୦/୩୦ କିଲୋମିଟର ଦୂରରେ ଥିବା ଗ୍ରାମ ଗୁଡିକର ପ୍ରାଣୀମାନଙ୍କ ଚିକିତ୍ସା ପାଇଁ ପ୍ରାଣୀଧନ ଡାକ୍ତର ଯାଇ ପାରୁନାହାଁନ୍ତି କି ଚାଷୀମାନେ ପ୍ରାଣୀମାନଙ୍କୁ ବୁଗୁଡା ଆଣିପାରୁନାହାଁନ୍ତି। ପ୍ରାଣୀଧନ ନିରୀକ୍ଷକମାନଙ୍କ ପ୍ରାଥମିକ ଚିକିତ୍ସା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଖୁସିର ବିଷୟ ମାନ୍ୟବର ସ୍ଥାନୀୟ ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ବୁଗୁଡା ବ୍ଳକର ହୋଇଥିବା ବେଳେ ସେ ମତ୍ସ୍ୟ ଓ ପ୍ରାଣୀଧନ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ହୋଇ ବୁଗୁଡା ବ୍ଳକର ପ୍ରଥମ ମନ୍ତ୍ରୀ ଭାବେ ଗୌରବ ଆଣିପାରିଛନ୍ତି। ଆଶା କରାଯାଉଛି ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ବିଭାଗର ଉପରୋକ୍ତ ସମସ୍ୟା ନେଇ ପଦକ୍ଷେପ ଗ୍ରହଣ କରି ସମାଧାନ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ