ସମିତି ସଭ୍ୟାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ନେଇ ତଦନ୍ତ ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲା ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତର ସମିତି ସଭ୍ୟା ପାର୍ବତୀ ଗମାଙ୍ଗ (୩୦) ଙ୍କ ଝୁଲନ୍ତା ମୃତଦେହକୁ ତାଙ୍କ ଘର ମଧ୍ଯରୁ ଉଦ୍ଧାର କରିଛି ପୋଲିସ୍ । ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଛି ବୋଲି ମୃତ ସମିତି ସଭ୍ୟଙ୍କ ଭାଇ ପୋଲିସରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିଭି କରି ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ସେରଙ୍ଗ ଥାନା ଅଧିକାରୀ ନଳୀନି କହଁର ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ.ଏବଂ ସେହି ଆଧାରରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ସେରଙ୍ଗ ଥାନା ଅନ୍ତର୍ଗତ ଗିରା ଗାଁର ପାର୍ବତୀ କାର୍ଜି ଓ ଜକ୍ଷ ଗମାଙ୍ଗଙ୍କ ମଧ୍ୟରେ ପ୍ରାୟ ୧୦ବର୍ଷ ତଳେ ବିବାହ ହୋଇଥିଲା । ଉଭୟଙ୍କ ଦୁଇ ପୁଅ ଓ ଜଣେ ଝିଅ ରହିଛନ୍ତି ।୨୦୨୨ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ପାର୍ବତୀ ସମିତି ସଭ୍ୟା ନିର୍ବାଚିତ ହୋଇଥିଲେ । ତେବେ ଗତ କିଛି ବର୍ଷ ହେଲା ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳିଝଗଡା ଲାଗି ରହୁଥିଲା । ଗତକାଲି ସକାଳୁ ତାଙ୍କ ଘରେ ପାର୍ବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।


