ସମୁଦ୍ରକୂଳ ବେଳାଭୂମି ରେ ଗୁଡ଼ୁଙ୍କଙ୍କ ବୁଦା ବୃଦ୍ଧି ରେ ବିଚିତ୍ରାନନ୍ଦ ଓ ଅନ୍ତର୍ଯ୍ୟାମୀ
ନିମାପଡା, (ସନ୍ତୋଷ ଦାଶ ) :-ଅନେକ ଜାଣିନଥିବେ ଯେ, ସମୁଦ୍ରକୂଳ ବେଳାଭୂମି ର ସୁରକ୍ଷା ପାଇଁ ପ୍ରକୃତି ସ୍ଵ ବ୍ୟବସ୍ଥା କରିଛି l ବେଳାଭୂମି ରେ ସ୍ୱତଃ ସୃଷ୍ଟି ହେଉଥିବା କିଛି ଲତା ପ୍ରଜାତି, କିଛି ଗୁଳ୍ମ ପ୍ରଜାତି ର ଉଦ୍ଭିଦ ଓ ବାଲିସ୍ତୁପ ଅଶାନ୍ତ ସମୁଦ୍ର ର ଉଚ୍ଚ ଢେଉ ଓ ଲୁଣାଜୁଆର କୁ ପ୍ରତିରୋଧ କରିଥାଏ l ବେଳାଭୂମି ରେ ଦେଖାଯାଉଥିବା ଗୁଳ୍ମ (ବୁଦା) ପ୍ରଜାତି ରୁ ଗୁଡ଼ୁଙ୍କଙ୍କ ଗୋଟିଏ l ଏହାକୁ କିଛି ସ୍ଥାନ ରେ ରାବଣନିଶ ବୋଲି ମଧ୍ୟ କୁହା ଯାଇଥାଏ l ଏହାର ଇଂରାଜୀ ନାମ ହେଉଛି ସ୍ପିନୋଫେକ୍ସ। ଗୁଡୁଙ୍କଙ୍କ ଦେଖିବାକୁ ସୁନ୍ଦର ହୋଇଥିବାବେଳେ ଏହା ଚକ୍ର ପରି ପବନ ରେ ଦୁରକୁ ଅତି ସହଜ ରେ ଉଡିଯାଇଥାଏ l ଏଣୁ କିଛି ସ୍ଥାନ ରେ ସମୁଦ୍ରକୂଳକୁ ବୁଲିବାକୁ ଯାଉଥିବା ପିଲାମାନେ ଏହାକୁ ବୁଦlରୁ ଛିଣ୍ଡାଇନେଇ ସମୁଦ୍ରକୂଳ ର ସୁଲୁସୁଲିଆ ପବନ ରେ ଉଡାଇ ତାକୁ ଦୌଡ଼ି ଦୌଡ଼ି ଧରିଥାନ୍ତି l ପିଲା ଙ୍କ ପାଇଁ ଏହା ଏକ ଅସ୍ଥlୟୀ ଖେଳନା ପାଲଟିଯାଏ l ଏହା ବୁଦାଗଛ ହୋଇଥିବାରୁ ଏହାର ଚେର ଘଞ୍ଚ ହୋଇ ବାଲି ସବୁକୁ ଜାବୁଡି ଧରିଥାଏ l ଫଳରେ ବାଲି ଶୁଷ୍କ ହୋଇ ନପାରି ଉଡି ଚାଲିଯାଏ ନାହିଁ l ବରଂ ଅନ୍ୟ ଆଡୁ ଉଡିଆସୁଥିବା ବାଲି ସବୁ ଗଛ ର ବୁଦା ରେ ବାଜି ସେଠାରେ ଗଦା ହୋଇ ପ୍ରlକୃତିକ ଭାବେ ବାଲି ସ୍ତୁପ ରେ ପରିଣତ ହୋଇଯାଇଥାଏ l ଏହି ଗୁଡ଼ୁଙ୍କଙ୍କ ଏବେ ସମୁଦ୍ର ବେଳାଭୂମି ରେ ସେମିତି ପ୍ରଚୁର ପରିମାଣ ରେ ଦେଖାଯାଉନାହିଁ l ଫଳରେ ସମୁଦ୍ର ସ୍ଥାନେସ୍ଥାନେ କୂଳଲଙ୍ଘି ସ୍ଥଳମୁହାଁ ହେଉଛି l ଯାହା ଏବେ ସମଗ୍ର ବିଶ୍ୱ ପାଇଁ ଉଦବେଗ ର କାରଣ ପାଲଟିଛି l ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗାଁ ର ଯୁବ ସ୍ବେଛାସେବୀ ବିଚିତ୍ରା ନନ୍ଦ ବିଶ୍ୱାଳ ଯିଏ କି ବିଜୁପଟ୍ଟନାୟକ ରାଜ୍ୟ ବନ୍ୟପ୍ରାଣୀ ସରଂକ୍ଷଣ ଆୱାର୍ଡ ପାଇ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ରେ ନିଜକୁ ନିୟୋଜିତ କରି ରଖିଛନ୍ତି ସେ ଏବେ ଏହି ପ୍ରକୃତି ର ଅବଦାନ ଗୁଡୁଙ୍କଙ୍କ ଉଦ୍ଭିଦ କୁ ସମୁଦ୍ର ବେଳାଭୂମି ଅଂଚଳ ରେ ବୃଦ୍ଧି କରିବାକୁ ପ୍ରଚେଷ୍ଠା ଜାରି ରଖିଛନ୍ତି। ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ସାରା ରାଜ୍ୟ ରେ ଗଛ ସାର ଭାବେ ପରିଚିତ ନୟାଗଡ଼ କଣ୍ଟିଲୋ ଅଞ୍ଚଳ ର ସ୍ବେଛାସେବୀ ଅନ୍ତର୍ଯ୍ୟାମୀ ସାହୁ (୭୬) । ଏବେ ମୌସୁମୀ ପ୍ରଭାବରେ ବର୍ଷା ହେଲାଣି । ସମୁଦ୍ର କୂଳ ବେଳାଭୁମି ର ଶୁଷ୍କ, ଉତ୍ତପ୍ତ ବାଲି ଓଦା ହେଲାଣି। ଏହି ସମୟ ରେ ବେଳାଭୁମି ର ବିଭିନ୍ନ ସ୍ଥାନ ରେ ଥିବା ଗୁଡୁଙ୍କଙ୍କ ବୁଦା ରୁ କିଛି ଚେର ଥିବା ଗଛ ନେଇ ଅନ୍ୟତ୍ର ଖାଲି ସ୍ଥାନ ବେଳାଭୂମି ରେ ଉଭୟ ଲଗାଉଛନ୍ତି l ବର୍ଷାଋତୁ ରେ ଗୁଡ଼ୁଙ୍କଙ୍କ ବୁଦା ଗୁଡିକ ବଂଚିଗଲେ ତାଙ୍କ ଉଦ୍ୟମ ସଫଳ ହେବ ବୋଲି କୁହନ୍ତି ବିଚିତ୍ରାନନ୍ଦ ଓ ଅନ୍ତର୍ଯ୍ୟାମୀ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ସହନ, ଡାଳୁଅକଣି, ତଣ୍ଡାହାର, ଉଦୟ କଣି, ଛେନୁ, କଳମ କଣି ଓକେଉଟ ଜଙ୍ଗା ଠାରେ ପ୍ରତିବର୍ଷ ସମୁଦ୍ର କୂଳ ଲଙ୍ଘି ସ୍ଥଳ ଭାଗ କୁ ମାଡ଼ି ଆସୁଛି । ପ୍ରାକୃତିକ ବାଲି ସ୍ତୁପ ନଥିବା କାରଣରୁ ଲୁଣା ଜୁଆର ସହଜରେ ଜନବସତି ମୁହାଁ ହେଉଛି । ଗୁଡୁକଙ୍କ ଓ କିଛି ଲତା ପ୍ରଜାତି ର ଗଛ ରହିଲେ ସେଠାରେ ବେଳାଭୁମି ରୁ ମୃତ୍ତିକା କ୍ଷୟ ହେବ ନାହିଁ ଓ ସ୍ଵତଃ ପ୍ରାକୃତିକ ଉପାୟ ରେ ବାଲିସ୍ତୁପ ନିର୍ମାଣ ହୋଇ ପାରିବବୋଲି ଏମାନେ କହିଛନ୍ତି । ସେମାନଙ୍କ ର ଏହି ପ୍ରୟାସ କୁ ସବୁ ମହଲ ରେ ପ୍ରଂଶସା କରାଯାଇଛି l


