ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସମ୍ଭାବ୍ୟ ବାତ୍ୟା ଟଳିଗଲେ ମଧ୍ୟ ପ୍ରବଳ ବର୍ଷା  ଫଳରେ ବନ୍ୟା ଏବଂ ଭୂସ୍ଖଳନ ସମ୍ଭାବନା ଥିବାକୁ ନେଇ ପରିସ୍ଥିତିକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଗଜପତି ଜିଲ୍ଲା ପ୍ରଶାସନ । ଏନେଇ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ସମ୍ଭାବ୍ୟ ବାତ୍ୟା ନିମନ୍ତେ ନିଯୁକ୍ତ ହୋଇଥିବା ସମସ୍ତ ନୋଡାଲ ଅଧକାରୀ, ସବୁ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ ଏବଂ ତହସିଲଦାରମାନଙ୍କୁ ନେଇ ସମ୍ଭାବ୍ୟ ପ୍ରବଳ ବର୍ଷା ଏବଂ ଏଥିରେ ପ୍ରଭାବିତ ହେଉଥିବା ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ସହ ଏହାର ମୁକବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଓ ସମସ୍ତ ସ୍କୁଲ ଘର ଖୋଲା ରଖୁବା ସହ ସେଠାରେ ଶିକ୍ଷକମାନେ ଯେଭଳି ଉପସ୍ଥିତ ରହିଥିବେ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟୁତ ସରବରାହ ଯେଭଳି ଅସୁବିଧା ନକରେ ସେଥିପ୍ରତି ଧ୍ୟାନଦେବା ସହ ସଜାଗ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ସମ୍ଭାବ୍ୟ ପ୍ରବଳ ବର୍ଷା ଯୋଗୁଁ କୌଣସି ସ୍ଥାନରେ ରାସ୍ତା ଧୋଇଗଲେ ଏହାର ମରାମତି ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଉଭୟ ପୂର୍ତ୍ତ ଏବଂ ଗ୍ରାମ୍ୟ ନିର୍ମାଣ ବିଭାଗକୁ ସମସ୍ତ ଉପକରଣ ତଥା ସରଞ୍ଜାମ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବିଡିଓ ଏବଂ ତହସିଲଦାର ଲୋକ ପ୍ରତିନିଧୀମାନଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି । ସେହିଭଳି ଅଗ୍ନିଶମ ବିଭାଗକୁ ବାତ୍ୟାର ମୁକାବିଲା ପାଇଁ ସଜାଗ ରହିବା ସହ ସେମାନଙ୍କ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମାଟି ଅତଡା ଧସିବା ତଥା ଭୁସ୍ଖଳନ ସମ୍ଭାବନା ତଥା ଚିହ୍ନଟ ହୋଇ ଥିବା ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କିଭଳି ସୁରୁଖୁରେ ସ୍ଥାନାନ୍ତର କରାଯିବ ସେନେଇ ପୂର୍ବ ପ୍ରସ୍ତୁତି ରହିବାକୁ କୁହାଯାଇଛି । ସେହିପରି ସ୍ବତନ୍ତ୍ର ରିଲିଫ କମିଶନର ଙ୍କ ଦ୍ବାରା ନିୟୋଜିତ କରାଯାଇଥିବା ଓଡ୍ରାଫ ଟିମ୍ ଗୋଷାଣୀ ବ୍ଲକରେ ପ୍ରସ୍ତୁତ ହୋଇ ରହିଥିବେ ଏବଂ ଏଠାରୁ ସେମାନେ ଆବଶ୍ୟକୀୟ ସ୍ଥାନକୁ ତୁରନ୍ତ ଯିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଜିଲ୍ଲାରେ ୨ଗୋଟି ସନ୍ଧାନ ଏବଂ ଉଦ୍ଧାରକାରୀ ଟିମକୁ ପ୍ରସ୍ତୁତ ରହିଛନ୍ତି । ଶୁଖୁଲା ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯେଭଳି ପ୍ରତି ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ପହଞ୍ଚିବ । ସେନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କୁହାଯାଇଛି । ବାତ୍ୟା ସମ୍ପର୍କରେ ସୂଚନା ଆଦାନ ପ୍ରଦାନ ପାଇଁ ମୋବାଇଲ ସେବାର ଆବଶ୍ୟକତା ରହିଛି । ତେଣୁ ଏହି ସେବା ଯେଭଳି ସଠିକ ଭାବେ କାର୍ଯ୍ୟ କରିବ ସେଦିଗରେ ଧ୍ୟାନ ଦେବାକୁ ବିଏସଏନଏଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିଲେ ରିଲିଫ ବ୍ୟବସ୍ଥା  କିମ୍ବା କୌଣସି ସ୍ଥାନରେ ବିଶୃଙ୍ଖଳା ଘଟିଲେ ସେ ସ୍ଥାନମାନଙ୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାର ସମସ୍ତ ପୋଲିସ ଥାନାକୁ ଏଥିପାଇଁ ପ୍ରସ୍ତୁତ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ