ସରକାରୀ ଅର୍ଥ ହଡପ ଅଭିଯୋଗରେ ଦୁଇ ଶିକ୍ଷକଙ୍କୁ ଚାରି ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟ ୨ ଜଣ ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ୨୦୧୪ରେ ବାଲିଗୁଡ଼ା ବ୍ଲକର ଗୁମାକିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର‌୍ୟ୍ୟରତ ଥିବା ଶିକ୍ଷକ ସୀମାଞ୍ଚଳ ନାଏକଙ୍କ ବିରୋଧରେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ୬ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ବ୍ରହ୍ମପୁର ଭିଜିଲାନ୍‌ସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଫୁଲବାଣୀ ଭିଜିଲାନ୍‌ସ କୋର୍ଟରେ ମାମଲାର ବିଚାର ଚାଲିଥିଲା। ଗତକାଲି ଏହି ମାମଲାର ଶୁଣାଣି କରି ଭିଜିଲାନ୍‌ସ ବିଚାରପତି ସତ୍ୟପୀର ମିଶ୍ର ଅଭିଯୁକ୍ତ ଶିକ୍ଷକ ସୀମାଞ୍ଚଳଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ଏହା ସହିତ ୬ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଶିକ୍ଷକ ସୀମାଞ୍ଚଳଙ୍କୁ ଅଧିକ ଏକ ବର୍ଷ ଜେଲ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ରାୟରେ ପ୍ରକାଶ କରିଛନ୍ତି।ସେହିଭଳି ଅନ୍ୟ ଏକ ମାମଲାରେ ଆଉ ଜଣେ ଶିକ୍ଷକ ଉମେଶ ଚନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଫୁଲବାଣୀ ଭିଜିଲାନ୍‌ସ କୋର୍ଟ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।ଶ୍ରୀ ପ୍ରଧାନ ଘୁ.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଦଡ଼ପଡ଼ା ସେବାଶ୍ରମରେ ଶିକ୍ଷକ ଥିଲା ବେଳେ ସ୍କୁଲ ଗୃହ ନିର୍ମାଣ ପାଇଁ ଆସିଥିବା ୧ ଲକ୍ଷ ୫୫ ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ବ୍ରହ୍ମପୁର ଭିଜିଲାନ୍‌ସ ଥାନାରେ ଏକ ମାମଲା ରୁଜୁ ‌ହୋଇଥିଲା। ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଶିକ୍ଷକ ଉମେଶଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ୪ ବର୍ଷ ଜେଲ୍‌ଦଣ୍ଡ ସହ ୧ ଲକ୍ଷ ୫୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ତାଙ୍କୁ ଅଧିକ ୧ ବର୍ଷ ଜେଲ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି। ଉଭୟ ମାମଲାକୁ ସରକାରୀ ଅଧିବକ୍ତା ପ୍ରଦୀପ କୁମାର ଦୋରା ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ