ସହରଠାରୁ ପୁରୁପଲୀ ପର୍ଯ୍ୟନ୍ତ ଶ୍ରଦ୍ଧା-ଭକ୍ତିର ସହ ସାବିତ୍ରୀ ବ୍ରତ

ବାଲେଶ୍ୱର, (ସରୋଜ ପଣ୍ଡା):ସାମ୍ପ୍ରତିକ ସମାଜରେ ଅତ୍ୟାଧୁନିକ ପାଶ୍ଚାତ୍ୟ ଜୀବନ ଶୈଳୀ ପ୍ରତି ଲୋକେ ଯେତେ ଆକର୍ଷିତ ହେଲେ ନିଜ ପରମ୍ପରାକୁ ଯେ ଭୁଲି ନାହାନ୍ତି, ତାହା ଶୁକ୍ରବାର ପାଳିତ ହୋଇଥିବା ମହାସାବିତ୍ରୀ ବ୍ରତରୁ ବେଶ ପରିଲକ୍ଷିତ ହୋଇଛି । ଉତ୍କଳୀୟ ସଂସ୍କୃତିର ଅନନ୍ୟ ପର୍ବ ‘ସାବିତ୍ରୀ ବ୍ରତ’କୁ ବାଲେଶ୍ୱର ସହରଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ବିବାହିତ ମହିଳାମାନେ ବେଶ ଶ୍ରଦ୍ଧା ଓ ଭକ୍ତିର ସହିତ ପାଳନ କରିଥିବା ଦେଖିବାକୁ ମିଳିଛି । ସହରର ବିବେକାନନ୍ଦ ମାର୍ଗସ୍ଥିତ ଲଳିତେଶ୍ୱରୀ କାଳୀମନ୍ଦିର, ଝାଡ଼େଶ୍ୱର ମହାଦେବ ମନ୍ଦିର, ରାଜାବଗିଚା ରାଧାକୃଷ୍ଣ ମନ୍ଦିର, ବାଲିଘାଟସ୍ଥିତ ତାରିଣୀ ମନ୍ଦିର, ଓଟିରୋଡ଼ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ସମେତ ଅନ୍ୟାନ୍ୟ ବିଭିନ୍ନ ଶୈବପୀଠ ଓ ଶକ୍ତିପୀଠରେ ସକାଳଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମହିଳାଙ୍କର ଭିଡ଼ ହୋଇଥିବା ଲକ୍ଷ୍ୟ କରାଯାଇଛି । ମନ୍ଦିରର ଦେବାଦବୀଙ୍କ ନିକଟରେ ଶୋଡ଼ଷ ଉପଚାର ପୂଜା ସାଙ୍ଗକୁ ଭକ୍ତିପୁତ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ବ୍ରତଧାରୀମାନେ । ସ୍ୱାମୀଙ୍କ ଦୀର୍ଘ ଜୀବନ ସାଙ୍ଗକୁ ପରିବାରର ମଙ୍ଗଳ କାମନା କରିଥିଲେ ସମସ୍ତେ । ତେବେ ଜୀବନର ପ୍ରଥମଥର ପାଇଁ ସାବିତ୍ରୀ ବ୍ରତ ପାଳନ କରୁଥିବା ନବବିବାହିତାଙ୍କ ମଧ୍ୟରେ ପ୍ରବଳ ଉତ୍ସୁକତା ଲକ୍ଷ୍ୟ କରାଯାଇଥିଲା । ମହିଳାମାନେ ଅନ୍ୟ ସମୟରେ ଯେତେ ବି ଆଧୁନିକତାକୁ ଗ୍ରହଣ କରିଥିଲେ ବି ଅନ୍ତତଃପକ୍ଷେ ସାବିତ୍ରୀ ବ୍ରତ ପାଳନ ଅବସରରେ ସମ୍ପୂର୍ଣ୍ଣ ଓଡ଼ିଆ ଘରର ଗୃହିଣୀ ପରି ସମସ୍ତ ଉତ୍କଳୀୟ ପରମ୍ପରାକୁ ଗ୍ରହଣ ଦେଖିବାକୁ ମିଳିଥିଲା । ପରମ୍ପରା ଅନୁସାରେ ବିବାହିତ ଝିଅମାନଙ୍କ ପାଇଁ ବାପଘରୁ ସାବିତ୍ରୀ ଭାର ଆଜି ଆସିଥାଏ । ଅନ୍ୟପକ୍ଷରେ ବଜାରର ଫଳଦର ଆକଶଛୁଆଁ ହୋଇଥିଲେ ମଧ୍ୟ ସ୍ୱାମୀମାନେ ସେଥିପ୍ରତି ଭ୍ରୁକ୍ଷେପ ନକରି ପତିବ୍ରତା ପତ୍ନୀଙ୍କୁ ଖୁସି କରିବାକୁ ହାତଖୋଲା ଖର୍ଚ୍ଚ କରୁଛନ୍ତି । ସାବ୍ରିତ୍ରୀ ବ୍ରତରେ ଫଳ ଦୋକାନଠାରୁ ଆରମ୍ଭ କରି ଲୁଗାପଟା ଓ ଜଳଖିଆ ଦୋକାନରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଛି । ପତିଭକ୍ତିର ନିଦର୍ଶନ ଭାବେ ନାରୀର ଗାରିମାକୁ ଦୃଷ୍ଟିରେ ରଖି ଭାରତୀୟ ସଂସ୍କୃତି ସାବିତ୍ରୀ ବ୍ରତର ମହାନତା ଯୁଗେ ଯୁଗେ ପ୍ରତିପାଦିତ କରି ଆସିଛି । ପୌରାଣିକ କଥାବସ୍ତୁ ଆଧାରେ ସତୀ ସାବିତ୍ରୀଙ୍କ ପତିଭକ୍ତି ସ୍ୱାମୀ ସତ୍ୟବାନଙ୍କୁ ନୂଆ ଜୀବନ ପ୍ରଦାନ କରିଥିବା ବେଳେ ଏହା ଭାରତୀୟ ସଂସ୍କୃତି ପାଇଁ ଆଦର୍ଶ ହୋଇ ରହିଯାଇଛି । ଅନୁରୂପ ଭାବେ ଓଡ଼ିଆ ଘରର ବିବାହିତ ମହିଳାମାନେ ଆଜି ଏହାକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରୁଥିବା ଦେଖିବାକୁ ମିଳିଛି । ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳିତ ହେଉଥିବା ଏହି ସାବିତ୍ରୀ ବ୍ରତରେ ଓଡିଶାର ପ୍ରତ୍ୟେକ ବିବାହିତ ନାରୀ ସ୍ୱାମୀଙ୍କର ଦୀର୍ଘ ଆୟୁ ସାଙ୍ଗକୁ ନିରାମୟ ଜୀବନ ଏବଂ ସୁନ୍ଦର ସ୍ୱାସ୍ଥ୍ୟ କାମନା ପୂର୍ବକ ପୂଜାର୍ଚ୍ଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ