ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଗୁଳି ପରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ
ବାଲେଶ୍ୱର, (ସରୋଜ ପଣ୍ଡା) : ସ୍ପଷ୍ଟ ଦିବାଲୋକରେ ତଥା ସର୍ବସାଧାରଣ ଯାତାୟାତ କରୁଥିବା ରାସ୍ତାରେ ଦୁର୍ବୃତ୍ତମାନେ ଜନୈକ ଯୁବକଙ୍କୁ ଗୁଳି କରିବା ପରେ ଭୁଜାଲିରେ ବେକ କାଟି ନୃସଂଶ ଭାବେ ହତ୍ୟା କରିବା ଘଟଣାଚୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହି ଘଟଣା ଘଟିଛି ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ବଜାରରେ । ରବିବାର ସକାଳ ପ୍ରାୟ ୯ଟା ବେଳେ ସଦର ଥାନାଠାରୁ ମାତ୍ର ୩ଶହ ମିଟର ଦୂର କୁରୁଡ଼ା ଛକରେ ଏହି ନାରକୀୟ କାଣ୍ଡ କରି ଦୁଇ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ମୃତକ ଜଣକ ହେଲେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଶାସଙ୍ଗ ଗ୍ରାମ ପଞ୍ଚାୟତର ଜଗନ୍ନାଥପାଟଣା ଅଞ୍ଚଳର ରବୀନ୍ଦ୍ର ମୋହନ ଦାସଙ୍କ ପୁତ୍ର ବିନୋଦ ବିହାରୀ ଦାସ(୩୦) । ଗତ କିଛିଦିନ ଧରି ସେ ଭାସ୍କରଗଞ୍ଜ ଅଞ୍ଚଳରେ ରହି କାମଧନ୍ଦା କରୁଥିଲେ । ତେବେ ଶନିବାର ସେ ନିଜ ଗାଁ ଜଗନ୍ନାଥପାଟଣାରୁ କୌଣସି କାର୍ଯ୍ୟ ପାଇଁ ବାଇକରେ କୁରୁଡା ଛକକୁ ଆସୁଥିଲେ । କୁରୁଡ଼ା ଛକରେ ସେ ଔଷଧ ନେବା ପାଇଁ ଦୋକାନକୁ ଯାଉଥିବା ବେଳେ ରାସ୍ତାରେ ଦୁଇ ଦୁର୍ବୃତ୍ତ ତାଙ୍କୁ ପିଛା କରି ବାଇକରେ ଗୋଡ଼ାଇଥିଲେ । ତେବେ ମୁଖ୍ୟ ରାସ୍ତାରୁ ଅନ୍ୟ ଏକ ରାସ୍ତା ଦେଇ ବିନୋଦ ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ପଛରୁୁ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ରେ ସେ ତଳେ ପଡ଼ିଯିବା ପରେ ସେମାନେ ବିନୋଦଙ୍କ ବେକକୁ ଭୁଜାଲିରେ ହାଣି ପକାଇଥିଲେ । ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଗୁରୁତର ବିନୋଦଙ୍କୁ ଉଦ୍ଧାର ସହ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୂର୍ବ ଶତ୍ରୁତାରୁ ବିନୋଦଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅତରିକ୍ତ ଆରକ୍ଷୀ ଅଧିକ୍ଷକ ଏ କେ ପାଣିଗ୍ରାହୀ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । ବିନୋଦ ଘରେ ଥିବା ବେଳେ ସକାଳେ ଏକ ଫୋନ କଲ ପାଇ କୁରୁଡ଼ା ଆସିଥିଲେ । ପୂର୍ବରୁ ଅପେକ୍ଷା କରିଥିବା ଦୁଇ ଦୁର୍ବୃତ୍ତ ତାଙ୍କୁ ପିଛାକରି କୁରୁଡ଼ାରେ ହତ୍ୟା କରିଥିବା ଆଡିସନାଲ ଏସପି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଫୋନ କଲ ଅଧାରକୁ ନେଇ ତଦନ୍ତ କରିବା ପରେ ଘଟଣାର କାରଣ ସମ୍ପର୍କରେ ଅଧିକ ତଥ୍ୟ ମିଳିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବାଲେଶ୍ୱର ଷ୍ଟେସନରେ ଟ୍ରେନ ଟିକଟ କଟାକୁ କେନ୍ଦ୍ର କରି ପୂର୍ବରୁ ଚାଲିଥିବା ବିବାଦ ଯୋଗୁଁ ଏହି ହତ୍ୟାକାଣ୍ଡ ହୋଇଥିବା ଆଲୋଚନା ହେଉଛି । ତେବେ ତଦନ୍ତ ପରେ ସବୁକିଛି ଜଣାପଡ଼ିବ ବୋଲି ପଲିସ ସୂଚନା ଦେଇଛି ।


