ସ୍ୱାମୀକୁ ଜୀବନରେ ମାରି ଦେବାକୁ ଉଦ୍ୟମ କରାଯାଇଥିବା ପତ୍ନୀର ଥାନାରେ ଲିଖିତ ଅଭିଯୋଗ
ନାଉଗାଁ,ଓ୍ବାଇଏନ୍ଏସ୍): ନାଉଗାଁ ଥାନା ଅନ୍ତର୍ଗତ କୋରୁଅ ଗ୍ରାମର ମନୋଜ ଦାସଙ୍କୁ ଉକ୍ତ ଗ୍ରାମର କିଛି ଲୋକ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିବା ମନୋଜଙ୍କ ପତ୍ନୀ ଚୁମୁକି ଦାସ ଡିସେମ୍ବର ୨୯ ତାରିଖରେ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁୁତାବକ ତାଙ୍କ ସ୍ୱାମୀ ମନୋଜ ଗ୍ରାମରେ ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିବା ସମୟରେ ଏହି ଗ୍ରାମର ଲିଙ୍କନ ସ୍ୱାଇଁ ଓ ସନ୍ତୋଷ ସ୍ୱାଇଁ ତାଙ୍କ ସ୍ୱାମୀଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏପରିକି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ ମୁଣ୍ଡକୁ କୋଦାଳରେ ଏକ ଶକ୍ତ ଚୋଟ ବସାଇଥିଲେ । ମନୋଜ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ସେଠାରେ ଅଚେତ ହୋଇପଡିଥିଲେ । ତାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଥିବା ସମୟରେ ଆମ ଗ୍ରାମର କିଛି ଲୋକ ଏହା ଦେଖି ଆମକୁ ଖବର ଦେଇଥିଲେ । ଆମ ପରିବାର ଲୋକ ସେଠାକୁ ଯିବା ସମୟରେ ଯିଏ ଏଠାକୁ ଆସିବ ତାକୁ ପେଟ୍ରୋଲ ପକାଇ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ତାଙ୍କ କବଳରୁ ଆମ ପରିବାର ଲୋକ ମୋ ସ୍ୱାମୀକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ । ମୋ ସ୍ୱାମୀ ଏବେ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ୧୬୮/୨୦ରେ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି । କିିନ୍ତୁ ଅଭିଯୋଗକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନଥିବାରୁ ପୋଲିସ ଉପରେ ଆସ୍ଥା ହରାଇଥିବା ଚୁମୁକି କହିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢିବା ସହିତ ଅଭିଯୁକ୍ତ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣା ଦେବା ଆଲୋଚନା ହେଉଛି । ଏ ପ୍ରସଙ୍ଗରେ ଥାନା ଆଇଆଇସି ଭରତ କୁମାର ବେହେରାଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ।


