ହକି ବିଶ୍ୱକପ୍ ଟ୍ରଫିକୁ ଭବ୍ୟ ସ୍ୱାଗତପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆସନ୍ତା ଜାନୁୟାରୀମାସ ୧୯ତାରିଖରେ ପୁରୁଷ ବିଶ୍ୱକପ ହକି ଟ୍ରଫିର କେନ୍ଦ୍ରାପଡା ଜିଲ୍ଲା ପରିକ୍ରମା ଓ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମପାଇଁ ଜିଲ୍ଲା ପରିଷଦ ସମ୍ମଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, କେନ୍ଦ୍ରାପଡା ବି.ଡି.ଓ. ବନ୍ଦନା ଖଟୁଆ, ଡେରାବିଶ ବି.ଡି.ଓ. ନମିତା ବାରିକ, ଆଞ୍ଚଳିକ ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂହ, ସହକାରୀ ଅଗ୍ନିଶ୍ରମ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଟ୍ରଫିକୁ ଭବ୍ୟସ୍ୱାଗତ ପାଇଁ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇବାସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଟ୍ରଫିକୁ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦେବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ଶୋଭାଯାତ୍ରା(ମାରାଥିନ ଦୌଡ), ସାଂସୃତିକ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ବୈଠକରେ ବିସ୍ତୃତଭାବେ ଆଲୋଚନା କରାଯାଇ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଜାନୁୟାରୀ ୯ତାରିଖ ସନ୍ଧ୍ୟାରେ ଯାଜପୁର ଜିଲ୍ଲା ପ୍ରଶାସନ ଠାରୁ ଟ୍ରଫିକୁ ପଞ୍ଚୁପାଣ୍ଡବଠାରେ ଗ୍ରହଣ କରାଯିବାପରେ ତିନିମୁହାଣୀ ଛକରେ ଥିବା ରାମମନ୍ଦିର ନିକଟକୁ ଅଣାଯିବ । ଏହାକୁ କେନ୍ଦ୍ରାପଡା ବି.ଡି.ଓ. ଓ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇ କେନ୍ଦ୍ରାପଡା ପ୍ରଦକ୍ଷଣ(ସର୍କିଟ ହାଉସ) ରେ ରାତ୍ର ରହଣି ପାଇଁ ପାଛୋଟି ନିଆଯିବ । ପରଦିନ ପ୍ରାତଃ ୭ଟା ସମୟରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଦ୍ୱାରା ଟ୍ରଫିଟିକୁ ସ୍ୱାଗତ କରାଯାଇ ଏକ ମିନି ମାରାଥନ ଦୌଡ ଶୋଭାଯାତ୍ରା ମାଧ୍ୟମରେ ସଂସୃତି ଭବନକୁ ପାଛୋଟି ନିଆଯିବ । ସଂସୃତି ଭବନରେ ଜନସାଧାରଣଙ୍କ ଦର୍ଶନପାଇଁ ଟ୍ରଫି ରହିବାସହ ସେଠାରେ ସାଂସୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ଓ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯିବ । ସଂସୃତି ଭବନରୁ ଟ୍ରଫିଟିକୁ ବଳଦେବଜୀଉଙ୍କ ମନ୍ଦିରକୁ ନିଆଯିବା ସମୟରେ ସେଠାରେ କେନ୍ଦ୍ରାପଡା ଉପଜିଲ୍ଲାପାଳ, ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ, ସେବାୟତ ଓ କେନ୍ଦ୍ରାପଡା ପୌରପରିଷଦର ନିର୍ବାହୀ ଅଧିକାରୀ ସ୍ୱାଗତ ଜଣାଇବେ । ପରେ ଟ୍ରଫିଟିକୁ ଛଘରିଆ ଛକଠାରେ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ । ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକ ଶେଷରେ ଜିଲ୍ଲା ସାମରିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ଧନ୍ୟବାଦ ଅପର୍ଣ କରିଥିଲେ ।


