ହାଟଡିହି ବ୍ଲକ ଛକରୁ ଝାମ୍ପିନେଲେ ୩୦ହଜାର
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିନସ୍ଥ ହାଟଡିହି ବ୍ଲକଛକରୁ ଆଜି ଦିନ ୧୧ଟାବେଳେ ଦୁଇଜଣ ଲୁଟେରା ଜଣେ ବ୍ୟକ୍ତିଙ୍କ ଠାରୁ ୩୦ହଜାରରୁ ଉର୍ଦ୍ଧ ଟଙ୍କା ଝାମ୍ପି ନେଇଛନ୍ତି । ଖବରରୁ ଜଣାଯାଇଛି ଯେ ଆଜି ଦିନ ୧୧ଟାବେଳେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ପାଇଁ ଭାଗ୍ୟଲକ୍ଷ୍ମୀ ଜମାରାଶି ସଂଗ୍ରହ କରୁଥିବା ଆପଣ୍ଡା ଗ୍ରାମର ସୁବାସ ମିଶ୍ର ହାଟଡିହି ବ୍ଲକ ଛକରେ କିଛି ଦୋକାନୀଙ୍କ ଠାରୁ ଜମାଟଙ୍କା ସଂଗ୍ରହ କରୁଥିଲେ । ସେ ଟଙ୍କାବ୍ୟାଗ ଧରି ଏକ ଦୋକାନକୁ ଯାଉଥିବା ସମୟରେ ହଠାତ ଦୁଇଜଣ ଯୁବକ ଏକ ଆପାଚି ବାଇକରେ ଆସି ସୁବାସ ମିଶ୍ରଙ୍କ ନିକଟରୁ ଟଙ୍କା ବ୍ୟାଗଟି ଛଡାଇ ନେଇ ପଳାଇଥିଲେ । ସେ ଖୁବ ଜୋରରେ ପାଟି କରିବାରୁ କିଛି ସ୍ଥାନୀୟ ଯୁବକ ଲୁଟେରାଙ୍କ ପିଛା କରିଥିଲେ । ଲୁଟେରା ଦ୍ୱୟ ଓରାଳି ଦେଇ ପଳାଇବାକୁ ଚେଷ୍ଟା କରୁଥିବାବେଳେ ଓରାଳି ପେଟ୍ରୋଲ ପମ୍ପ ନିକଟରେ କିଛି ଲୋକ ରାସ୍ତା ଅବରୋଧ କରି ଠିଆ ହୋଇଥିବା ଦେଖି ସେମାନେ କ୍ଷେତୁଆଳି ବାଟଦେଇ ମରୈଗାଁ ଆଡକୁ ଆସି ଭଦ୍ରକ ରାସ୍ତାରେ ପଳାଇଥିଲେ । ଲୁଟେରାମାନେ ବ୍ୟାଗରୁ ଟଙ୍କାତକ ନେଇଯାଇ ବ୍ୟାଗଟିକୁ ମରେଗାଁ ଛକ ନିକଟରେ ଫେପାଡି ଦେଇ ପଳାଇଥିଲେ । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ବିଭିନ୍ନ ସ୍ଥାନରେ ଲାଗିତôବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି । ଗତ କିଛିମାସ ତଳେ ଏହି ସୁବାସ ମିଶ୍ର ବସନ୍ତିଆ ବଜାର ନିକଟରେ ଲୁଟର ଶୀକାର ହୋଇଥିବାବେଳେ ସେତେବେଳେ ଲୋକମାନେ ଲୁଟେରା ମାନଙ୍କୁ ଗୋଡାଇ ଗୋଡାଇ ଧରିବାରେ ସଫଳ ହୋଇଥିଲେ ।


