ହାତ ଗୋଡ ବାନ୍ଧି ସଂଘବଦ୍ଧ ଭାବେ ଯୁବକଙ୍କୁ ନିର୍ମମ ହତ୍ୟା : ତଦନ୍ତ ଜାରି ରହିଛି
ମୋହନା, (ଅଂଶୁମାନ ପଣ୍ଡା) :-ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି-ଅନ୍ତର୍ବା ଯିବା ରାସ୍ତାର ଜଗନ୍ନାଥପୁର ଛକ ନିକଟରୁ ୫୦୦ମିଟର ଦୂର ଏକ ମକା ବାଡରେ ଜଣେ ଅଜଣା ଯୁବକଙ୍କୁ କିଛି ଦୁବୁର୍ତ୍ତ ହାତକୁ ପେଣ୍ଟ ବେଲ୍ଚ, ଗୋଡ଼କୁ ବୁଟର ଲେସ(ଦଉଡ଼ି) ଓ ମୁହଁକୁ କପଡାରେ ଘୋଡାଇ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଗୁରୁବାର ଦିନ ଏହି ଘଟଣା ଘଟିଛି । ଯୁବକ ଜଣକ ଭୂମିରେ ମୁହଁ ମାଡି ପଡିରହିଥିବା ଦେଖି କିଛି ସ୍ଥାନୀୟ ଲୋକ ଚନ୍ଦ୍ରଗିରି ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ଫାଣ୍ଡି ଅଧିକାରୀ ନିରଞ୍ଜନ ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ମୃତ ଯୁବକଙ୍କର ପରିଚୟ ମିଳିନାହିଁ । ଘଟଣାସ୍ଥଳରୁ ୧୦୦ ମିଟର ଦୂରରେ ଯୁବକଙ୍କର ହେଲମେଟ ଓ ଏକ କପଡା ବ୍ୟାଗ ପଡ଼ିରହିଥିବା ଦେଖିବାକୁ ମିଳିଛି । ଛତ୍ରପୁରରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବାପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି । ପଞ୍ଚାୟତ ନିର୍ବାଚନ ସରୁ ସରୁ ଏଭଳି ଏକ ଅଭାବନୀୟ ଘଟଣା ଚନ୍ଦ୍ରଗିରି ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।


