ପରିବା ଚାଷ ନଷ୍ଟ ଆଶଙ୍କା : ଚିନ୍ତାରେ ଚାଷୀ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଚାଷୀ ବହୁଳ ଅଞ୍ଚଳ ଭାବରେ ପରିଗଣିତ ହୋଇଥିବା ବେଳେ ଗଣିଜାଙ୍ଗ ପଞ୍ଚାୟତର ବିନାୟକପୁର ଓ ଛୟାଳସିଂ ପଞ୍ଚାୟତର ଗୋପାଳପୁର ଗ୍ରାମରେ ପ୍ରତ୍ୟେକ କିସମର ବିଭିନ୍ନ ପନିପରିବା ଚାଷ ଉପରେ ୫ ହଜାରରୁ ଉର୍ଦ୍ଧ୍ୱ ଚାଷୀ ପରିବାର ନିର୍ଭର କରି ଚଳିଥାନ୍ତି । ଉକ୍ତ ଚାଷୀଙ୍କର ପ୍ରତ୍ୟେହ ଦିନ କର୍ମକ୍ଷେତ୍ର ପାଲଟି ଥାଏ କ୍ଷେତ । ବିଭିନ୍ନ ଋତୁରେ ବିଭିନ୍ନ କିସମର ଧାନ ଚାଷ ସହିତ ବିରି, ମୁଗ ସହିତ ୧୨ ମାସିଆ ପରିବା ମଧ୍ୟ ଚାଷ କରିଥାନ୍ତି । ଏହାଦ୍ୱାରା ପ୍ରତି ଦିନ କୁଇଁଣ୍ଟାଲ କୁଇଁଣ୍ଟାଲ ପରିବା ଭଦ୍ରକ ସଦର ମହକୁମାକୁ ରପ୍ତାନି କରିଥାନ୍ତି । ରାତି ପାହିଲେ ଉକ୍ତ ୨ଟି ପଞ୍ଚାୟତର ଦୁଇ ଗ୍ରାମକୁ ଛୋଟବଡ ବେପାରୀଙ୍କ ଭିଡ ଜମି ଥାଏ । ସରକାର ବିଭିନ୍ନ ସମୟରେ ଚାଷୀଙ୍କ ସୁବିଧା ପାଇଁ ସାଲୋ ପଏଣ୍ଟ ଓ କେନାଲ ମାଧ୍ୟମରେ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି । ବିନାୟକପୁର ଗ୍ରାମରେ ୫ ଜଣ ଚାଷୀ ଗତ ୨୦୧୭ ମସିହାରେ ପ୍ରତ୍ୟେକ ୨୦ ହଜାର ଟଙ୍କା ଲେଖାଏ ଜମା କରିବା ପରେ ଓଡିଶା ଲିଫ୍ଟ ଇରିଗେସନ ଭୁବନେଶ୍ୱର ପକ୍ଷରୁ ୧୯ ଲକ୍ଷ ୪୭ ହଜାର ୫ ଶହ ଟଙ୍କା ଅଟକଳ ମୂଲ୍ୟରେ ଜଳନିଧି ଫେଜ୍‌-୨ ଯୋଜନାରେ ୨୫ ହେକ୍ଟର ଚାଷ ଜମି ନିମନ୍ତେ କ୍ଲଷ୍ଟର ସାଲୋ ପଏଣ୍ଟ ନିର୍ମାଣ କରାଯାଇଥିଲା । ଏହି କ୍ଲଷ୍ଟର ସାଲୋ ପଏଣ୍ଟ ଦ୍ୱାରା ୫ ଜଣ ଚାଷୀଙ୍କର ୨୫ ହେକ୍ଟର ଜମି ସମେତ ଆଖପାଖର ପ୍ରାୟ ୨୦ ଜଣ ଚାଷୀ ପନିପରିବା ଓ ଧାନ ଚାଷ କରିବାର ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ଉଠା ଜଳସେଚନ ବିଭାଗୀ ପକ୍ଷରୁ ନାମକୁ ମାତ୍ର କ୍ଲଷ୍ଟର ସାଲୋ ପଏଣ୍ଟ ନିର୍ମାଣ କରାଯାଇଥିବା ବେଳେ ତାହାକୁ ବିଦ୍ୟୁତ୍ ଚାର୍ଜ ନକରି ଜଳ ଯୋଗାଣର ବ୍ୟବସ୍ଥା କରାଯାଇନାହିଁ । ଫଳରେ ୨୫ ହେକ୍ଟର ଜମିର ପରିବା ଚାଷ ଏବେ ନଷ୍ଟ ହେବାକୁ ବସିଛି ବୋଲି ଚାଷୀ ଅର୍ଜ୍ଜୁନ ଦାସ, ପ୍ରଫୁଲ୍ଲ ଦାସ, ପୂର୍ଣ୍ଣ ଚନ୍ଦ୍ର ଦାସ, ସତ୍ୟବାନ ଦାସ, ସୁବାଷ ଦାସ ଅଭିଯୋଗ କରିଛନ୍ତି । ତୁରନ୍ତ ବିଦ୍ୟୁତ୍ ଚାର୍ଜ କରି ଜଳ ଯୋଗାଣର ବ୍ୟବସ୍ଥା କରିବା ସହିତ କ୍ଷତିପୂରଣ ପ୍ରଦାନ କରିବାକୁ ସେମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ