ହେଲମେଟ୍ ନ ପିନ୍ଧିବାର ବିଷମ ପରିଣତି୨୦୧୮ ରେ ୪୩,୬୦୦ ଜୀବନ ଯାଇଛି
ନୂଆଦିଲ୍ଲୀ: ଦେଶରେ କାର୍ଯ୍ୟକାରୀ ହୋଇଥିବା ନୂଆ ମୋଟର ଯାନ ଆଇନ ଅଧୀନରେ ଯେଉଁ ଚାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା ଜରିମାନା ଲାଗୁ ହୋଇଛି । ନୂଆ ଆଇନ ଅଧୀନରେ ହେଲମେଟ ନ ପିନ୍ଧିଲେ ୧୦୦୦ ଟଙ୍କା ଜରିମାନା କରାଯାଉଛି । ତେବେ ଏଭଳି କଠୋର ଜରିମାନା ଲାଗୁ ଅତି ଜରୁରୀ ଥିଲା । କାରଣ ପ୍ରତିବର୍ଷ କେବଳ ହେଲମେଟ ନ ପିନ୍ଧିବା ଯୋଗୁଁ ଅକାରଣରେ ଅନେକ ଜୀବନ ଚାଲିଯାଉଛି । ୨୦୧୮ ମସିହାରେ ସଡ଼କ ଦୁର୍ଘଟଣାରେ ଯେତେ ଲୋକଙ୍କ ମୃତ୍ୟୁ ହୋଇଥିଲା ସେଥିମଧ୍ୟରୁ ହେଲମେଟ ପିନ୍ଧି ନଥିବା ଯୋଗୁଁ ୪୩,୬୦୦ ଲୋକଙ୍କର ମୃତ୍ୟୁ ହୋଇଛି । ୨୦୧୭ ମସିହାରେ ହେଲମେଟ ନ ପିନ୍ଧିଥିବା ଯୋଗୁଁ ୩୫, ୯୭୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ପକ୍ଷେ ୨ ଚକିଆ ଗାଡ଼ି ଚାଳକଙ୍କ ପଛରେ ବସୁଥିବା ବ୍ୟକ୍ତିଙ୍କର ମଧ୍ୟ ହେଲମେଟ ପିନ୍ଧିନଥିବା ଯୋଗୁଁ ମୃତ୍ୟୁ ହେଉଛି । ୨୦୧୮ ମସିହାରେ ଗାଡ଼ି ଚାଳକଙ୍କ ପଛରେ ବସିଥିବା ପ୍ରାୟ ୧୫,୩୬୦ ଲୋକଙ୍କର ହେଲମେଟ ପିନ୍ଧି ନଥିବା ଯୋଗୁଁ ମୃତ୍ୟୁ ହୋଇଥିଲା । ଉତ୍ତରପ୍ରଦେଶରେ ହେଲମେଟ ପିନ୍ଧି ନଥିବା ହେତୁ ଦୁଇ ଚକିଆ ଚାଳକଙ୍କ ମୃତ୍ୟୁ ସଂଖ୍ୟା ସର୍ବାଧିକ । ୨୦୧୮ରେ ଉତ୍ତରପ୍ରଦେଶରେ ୬,୦୨୦ ଜଣଙ୍କ ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ରରେ ମଧ୍ୟ ହେଲମେଟ ପିନ୍ଧିନଥିବା ଯୋଗୁଁ ୫୨୩୨ ଜଣ ଚାଳକଙ୍କ ମୃତ୍ୟୁ ହୋଇଛି । ତାମିଲନାଡ଼ୁରେ ହେଲମେଟ ପିନ୍ଧିନଥିବା ପ୍ରାୟ ୫୨୩୨ ଜଣ ଚାଳକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।
ଗୁଜରାଟରେ ଗତ ବର୍ଷ ୯୫୮ ଦୁଇ ଚକିଆ ଚାଳକଙ୍କର ବିନା ହେଲମେଟରେ ମୃତ୍ୟୁ ହୋଇଥିଲା । ଏହି ବର୍ଷ ଗାଡ଼ି ଚାଳକଙ୍କ ପଛରେ ବସିଥିବା ୫୬୦ ଜଣଙ୍କର ହେଲମେଟ ନ ପିନ୍ଧିଥିବା ଯୋଗୁଁ ମୃତ୍ୟୁ ହୋଇଥିଲା । ସେହିପରି ଝାଡ଼ଖଣ୍ଡରେ ମଧ୍ୟ ହେଲମେଟ୍ ପିନ୍ଧି ନଥିବା ଯୋଗୁଁ ପ୍ରାୟ ୭୯୦ ଜଣ ଦୁଇ ଚକିଆ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ପ୍ରାୟ ୪୫୦ ଜଣଙ୍କର ହେଲମେଟ୍ ପିନ୍ଧିନଥିବା ଯୋଗୁଁ ମୃତ୍ୟୁ ହୋଇଛି । ଗତ ସପ୍ତାହରେ ଏହି ୨ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ଚାଳକଙ୍କ ପଛରେ ବସିଥିବା ବ୍ୟକ୍ତି ଯଦି ହେଲମେଟ୍ ପିନ୍ଧି ନଥିବେ ତେବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ନାହିଁ ।
ଅନ୍ୟ ପକ୍ଷରେ ସିଟ୍ ବେଲଟ୍ ପିନ୍ଧୁନଥିବା ଯୋଗୁଁ ୨୦୧୮ ମସିହାରେ ପ୍ରାୟ ୨୪,୪୦୦ କାର ଚାଳକଙ୍କ ମୃତ୍ୟୁ ହୋଇଥିଲା । ୨୦୧୭ ମସିହାରେ ୨୮,୯୦୦ କାର୍ ଚାଳକଙ୍କର ସିଟ୍ ବେଲ୍ଟ ପିନ୍ଧି ନଥିବା ଯୋଗୁଁ ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି । ନୂଆ ମୋଟର ଯାନ ଆଇନ ଅଧୀନରେ ସିଟ୍ ବେଲଟ୍ ପିନ୍ଧି ନଥିବା ଗାଡ଼ି ଚାଳକଙ୍କୁ ୧୦୦୦ ଟଙ୍କା ଜରିମାନା କରାଯାଉଛି ।


