୨୧ ତାରିଖ ଯୋଗ ମହୋତ୍ସବ ପାଇଁ ପତଞ୍ଜଳି ଯୋଗ ସମିତର ବିଶେଷ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା) :-ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତିକୁ ଗୁରୁତ୍ୱ ଦେଇ ଆସନ୍ତା ୨୧ ତାରିଖ ବିଶ୍ୱ ଯୋଗ ଦିବସକୁ ଦେଶର ୭୫ ଜିଲାରେ ଯୋଗ ମହୋସବ ଭାବେ ପାଳନ ପାଇଁ ଚାଲିଛି ବିଶେଷ ପ୍ରସ୍ତୁତି । ୭୫ ଜିଲା ମଧ୍ୟରେ ବାଲେଶ୍ୱର ସମେତ ଓଡ଼ିଶାର ୪ ଗୋଟି ଜିଲାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାମିଲ କରାଯାଇଛି । ଏନେଇ ଚଳିତ ବର୍ଷର ଯୋଗ ମହୋତ୍ସବକୁ ଅଧିକ ଆର୍କଷଣୀୟ ତଥା ଅର୍ଥପୂର୍ଣ୍ଣ କରିବା ପାଇଁ ପତଞ୍ଜଳି ଯୋଗ ସମିତି ବାଲେଶ୍ୱର ଶାଖା ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଥିବା ଆୟୋଜିତ ସମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ପତଞ୍ଜଳି ଯୋଗ ସମିତି ଜିଲା ପ୍ରଭାରୀ କରୁଣାକର ଶିଅଳଙ୍କ ଆବହକତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରଭାରୀ ସୁଧାଂଶୁ ଅଧିକାରୀ, ରାଜ୍ୟ ମହିଳା ପ୍ରଭାରୀ ଗିରିଜା ଦେବୀ, ସୂର୍ଯ୍ୟକାନ୍ତ ଭୋଇ ପ୍ରମୁଖ ଯୋଗଦେଇ ଆସନ୍ତା ୨୧ ତାରିଖର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହିଦିନ ସକାଳ ୬ଟା ୩୦ ମିନିଟରୁ ୭ଟା ୩୦ ମିନିଟ ପର୍ଯ୍ୟନ୍ତ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଯୋଗ ମହୋତ୍ସବ ଅନୁଷ୍ଠିତ ହେବ । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ସ୍ୱରୂପ ଦାସ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ସମେତ ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକାରୀ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ଏଥିରେ ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲାରୁ ୨ହଜାରରୁ ୫ ହଜାର ପର୍ଯ୍ୟନ୍ତ ଆବାଳ ବୃଦ୍ଧବନୀତାଙ୍କ ସମାବେଶ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ବାଲେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଯୋଗ ମହୋତ୍ସବକୁ ସଫଳ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ପତଞ୍ଜଳି ଯୋଗ ସମିତିର କର୍ମକର୍ତ୍ତାମାନେ ନିବେଦନ କରିଛନ୍ତି । ଏହି ଅବସରରେ ଯୋଗ ମହୋତ୍ସବ ପାଇଁ ସ୍ୱତନ୍ତ୍ର ଜର୍ସିକୁ କର୍ମକର୍ତ୍ତାମାନେ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶୋମତି ଶିଅଳ, ଅକ୍ଷୟ କୁମାର ସାହୁ, ମନୋଜ କୁମାର ଦେ, ଗୋବର୍ଦ୍ଧନ ସାହୁ, ମୁକ୍ତିକାନ୍ତ ପାଣିଗ୍ରାହୀ, ଦିବ୍ୟରଞ୍ଜନ ମହାନ୍ତି, ସୁଧାଂଶୁ ଶେଖର ଦାସ ପ୍ରମୁଖ କର୍ମକର୍ତ୍ତାମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ