୩ଦିନିଆ କୋଣାର୍କ ରଜଉତ୍ସବ ଉଦଘାଟିତ : ରଜଦୋଳି ଖେଳ ଓ ପିଠାପଣାର ମଜା ନେଲେ ପର୍ଯ୍ୟଟକ

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-କୋଣାର୍କ ପ୍ରସିଦ୍ଧ ଦେବୀପୀଠ ମା ଭଗବତୀଙ୍କ ପୀଠସ୍ଥଳରେ ୩ ଦିନିଆ ରଜଉତ୍ସବ ମଙ୍ଗଳବାର ଉଦଘାଟିତ ହୋଇଯାଇଅଛି । ସାମାଜିକ ଅନୁଷ୍ଠାନ ଅର୍କଶ୍ରୀ ପକ୍ଷରୁ ଆୟୋଜିତ ଏହି ଉତ୍ସବର ପ୍ରଥମ ଦିନରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବର୍ଷିଆନ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ, ପୁରୀଜିଲ୍ଲା ପରିଷଦ ଉପାଧ୍ୟକ ସ୍ୱାଧୀନ କୁମାର ନାୟକ, କୋଣାର୍କ ଏନଏସି ଅଧ୍ୟାକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାରାଣୀ ସ୍ୱାଇଁ, ନାଟ୍ୟକାର ପ୍ରଦୀପ ବିଶ୍ଵାଳ ଓ ଗୋପାଳ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ପ୍ରାଚୀନ ପରମ୍ପରା ପର୍ବ ରଜ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଓଡିଶାର  ପ୍ରାଚୀନ ପରମ୍ପରାର ସ୍ମୃତି ବହନ କରୁଥିବା ଗଣପର୍ବ ରଜପର୍ବ ଆଜିର ଦିନରେ ତାର ସ୍ୱତନ୍ତ୍ରତା ହରେଇ ବସିଥିବା ବେଳେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପରିଚୟ ବହନ କରୁଥିବା ପର୍ବ ରଜଉତ୍ସବ ଭଗବତୀ ପୀଠ ସ୍ଥଳରେ ଆରମ୍ଭ ହୋଇଯାଇଅଛି | ଏହି ପ୍ରାଚୀନ ପରମ୍ପରାକୁ ଉଜ୍ଜବିତ ରଖିବା ପାଇଁ ସ୍ଵେଛାସେବୀ ଅନୁଷ୍ଠାନ ଅର୍କଶ୍ରୀ ତାର ପ୍ରୟାସ ଯାରି ରଖିଛି |ଦୀର୍ଘ ୨୨ବର୍ଷ ଧରି ଏହି ଅନୁଷ୍ଠାନ ରଜପର୍ବକୁ ମହାଆଡ଼ମ୍ବରରେ ପାଳନ କରିଆସୁଛି। ତିନିଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରଜଦୋଳି ଠାରୁ ଆରମ୍ଭ କରି ହୁଳହୁଳି, କାନ୍ଦଣା, ରଜଗୀତ, ପାନଭଙ୍ଗା, ଝୋଟି, ନଡ଼ିଆ ଲଢେଇ, ଚିତ୍ରାଙ୍କନ, ଲୁଡୁ, ଚାଷ ଆଦି ପ୍ରତିଯୋଗିତା ଆୟୋଜିତ କରା ଯାଉଥିବା ବେଳେ ସଚେତନତାଧର୍ମୀ ଆଲୋଚନା ଓ ମନୋରଞ୍ଜନଭିତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥାଏ । ପ୍ରତିବର୍ଷ ପରି ସମାଜର ବିଭିନ୍ନ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ସଂମାନନୀତ କରାଯାଇଥାଏ । ଚଳିତବର୍ଷ ମଧ୍ୟ ବର୍ଷିଆନ ଜନନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କୁ “ଅର୍କଶ୍ରୀ “ସମ୍ମାନରେ ସଂମ୍ମାନନୀତ କରାଯାଇଛି । ଅର୍କଶ୍ରୀ ସଂପାଦକ ଉମେଶ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଏହି ଉତ୍ସବକୁ ସୁରେଶ୍ ସ୍ୱାଇଁ, ଗନ୍ଧର୍ବ ସେନାପତି ଓ ପ୍ରତାପ କୁମାର ରାଉତ ପ୍ରମୁଖ ପରିଚାଳନା କରିଥିଲେ। ସେହିପରି ଓଟିଡିସି ପକ୍ଷରୁ ଯାତ୍ରୀନିବାସ ଠାରେ ରଜପର୍ବ ନିଆରା ଢଙ୍ଗ ରେ ପାଳିତ ହୋଇଯାଇଅଛି। ପର୍ଯ୍ୟଟକଙ୍କ ପାଇଁ ସୁସଜ୍ଜିତ ଦୋଳି ସହ ଯାତ୍ରୀ ନିବାସରେ  ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରାଯାଇଥିବା ଦେଖିବାକୁ ମିଳିଥିଲା | ଯାହାକି ଆଗନ୍ତୁକ ପର୍ଯ୍ୟଟକ ମାନଙ୍କୁ ଓଡିଶାର ସଂସ୍କୃତି ଓ ପରମ୍ପରା ପ୍ରତି ଆକୃଷ୍ଟ କରିଥିବା କଥା ପରିଚାଳକ ବାପି ରଂଜନ ସାହୁ ସୂଚନା ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ