୪ ଓ ୫ ନଂ ୱାର୍ଡରେ ବୁଲିଲା ଜୟ ଜଗନ୍ନାଥ ଅର୍ପଣ ରଥ : ଜୟ ଜଗନ୍ନାଥ ନାଦରେ ପ୍ରକମ୍ପିତ ହେଲା ସାରା ସହର
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଆସନ୍ତା ୧୭ ତାରିଖ ଦିନ ସାରା ବିଶ୍ୱର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ମନ୍ଦିରର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ହେବା ଭକ୍ତଙ୍କ ସହିତ ଭଗବାନଙ୍କୁ ଯୋଡିବା ପାଇଁ ରାଜ୍ୟର ବିଭିନ୍ନ ଅଂଚଳରୁ ଘରକୁ ଘର ବୁଲି ଗୁଆ ଓ ଚାଉଳ ସଂଗ୍ରହ କରାଯିବା ଲାଗି କାର୍ଯ୍ୟକ୍ରମ ଜାରି ରହିଛି । ଛତ୍ରପୁର ଏନଏସିର ବିଭିନ୍ନ ୱାର୍ଡ କୁ ୱାର୍ଡ, ସାହିକୁ ସାହି ବୁଲି ଗୁଆ ଓ ଚାଉଳ ସଂଗ୍ରହ କରୁଛି ଜୟ ଜଗନ୍ନାଥ ଅର୍ପଣ ରଥ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଛତ୍ରପୁର ଏନଏସିର ୪ ଓ ୫ ନମ୍ବର ୱାର୍ଡରେ ଜୟ ଜଗନ୍ନାଥ ଅର୍ପଣ ରଥ ବୁଲି ଲୋକଙ୍କ ଠାରୁ ଗୁଆ ଓ ଚାଉଳ ସଂଗ୍ରହ କରିଛି । ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓଙ୍କ ନେତୃତ୍ୱରେ ୫ ନଂ ୱାର୍ଡ ରେଡି ସାହି ସ୍ଥିତ ହନୁମାନ ପ୍ରତିମୂର୍ତ୍ତି ନିକଟରେ ଏହି ଜୟ ଜଗନ୍ନାଥ ଅର୍ପଣ ରଥକୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ୱାର୍ଡର ମା ମାଉସୀ ମାନେ ଭକ୍ତି ଓ ଶ୍ରଦ୍ଧାର ସହିତ ଗୁଆ ଓ ଚାଉଳ ପ୍ରଦାନ କରିଥିଲେ । ଯୋଡି ଶଙ୍ଖ, ହରେ କୃଷ୍ଣ ହରେ ରାମ ଓ ଜୟ ଜଗନ୍ନାଥ ନାଦରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଥିଲା । ଅଂଚଳରେ ଭକ୍ତି ମୟ ପରିବେଶ ସୃଷ୍ଠି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,ପୂର୍ବତନ ଏନଏସି ଅଧ୍ୟକ୍ଷା ଜି. ଆରତୀ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ଛତ୍ରପୁର ନଗର ବିଜେଡି ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ବିଜେଡି ସଭାପତି ସନମୁଖ ପଟ୍ଟନାୟକ, କେ. ଚନ୍ଦ୍ର ଶେଖର ରେଡ୍ଡୀ,ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା,କାଉନସିଲର ଦେବାଶିଷ ମିଶ୍ର, ପ୍ରୀତିଛନ୍ଦା ସାମଲ, ଅରୁନ୍ଧତୀ ରେଡ୍ଡୀ, ମମତା ପାତ୍ର, ଟି. ଗଣେଶ ରେଡ୍ଡୀ, ବି. ନିଶ୍ଚଳା,କେ. ରମେଶ, ସୁମନ୍ତ ନାହାକଙ୍କ ସମେତ ରେଡ୍ଡୀ ଭଦ୍ର ବ୍ୟକ୍ତି ଏବଂ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ ।


