ୱାନ୍ନେସ୍’ ପୁସ୍ତକରେ ସ୍ଥାନ ପାଇଲାଶିଳ୍ପୀ ପଞ୍ଚାନନଙ୍କ ଚିତ୍ରକଳା
ଭୁବନେଶ୍ୱର- : ପଣ୍ଡିଚେରୀର ଅରୋଧନ ଆର୍ଟ ଗ୍ୟାଲେରୀ ଦ୍ୱାରା ବିଶ୍ୱର କେତେଜଣ ବିଶିଷ୍ଟ ଚିତ୍ରକର, ମୂର୍ତ୍ତିକାର, ନୃତ୍ୟଶିଳ୍ପୀ, ଲେଖକ, ଅଭିନେତା, ଫଟୋଗ୍ରାଫର ଓ ସଙ୍ଗୀତ ଶିଳ୍ପୀଙ୍କ କୃତିକୁ ନେଇ ‘ୱାନ୍ନେସ୍’ ଶୀର୍ଷକ ରଙ୍ଗୀନ ପୁସ୍ତକ ପ୍ରକାଶ ପାଇଛି । ଏହି ପୁସ୍ତକରେ ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ଚିତ୍ରକଳା ଓ ତାଙ୍କ କୃତି ବିଷୟରେ ତଥ୍ୟ ପ୍ରକାଶ ପାଇଛି । ଉକ୍ତ ପୁସ୍ତକକୁ ଭାରତର ବର୍ଷିୟାନ ରାଜନେତା ଓ ଲେଖକ ଡ. କରଣ ସିଂ, ପଣ୍ଡିଚେରୀର ରାଜ୍ୟପାଳ କିରଣ ବେଦୀ ଏବଂ ବିଶିଷ୍ଟ କଥାକାର, ପଦ୍ମଭୂଷଣ ଡ. ମନୋଜ ଦାସ ଏକ ବର୍ଣ୍ଣାଢ୍ୟ ସମାରୋହରେ ଶୁଭ ଉନ୍ମୋଚନ କରିଥିଲେ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଶିଳ୍ପୀମାନଙ୍କ ସଜୃନଶୀଳ ସୃଷ୍ଟି ଆମ ସମାଜକୁ ସରସ ଓ ସୁନ୍ଦର କରି ଗଢିତୋଳେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ନିଜର ଏକ ଚିତ୍ର ପୁସ୍ତିକା ଅତିଥିମାନଙ୍କୁ ଶ୍ରୀ ସାମଲ ପ୍ରଦାନ କରିଥିଲେ । ଉକ୍ତ ପୁସ୍ତକରେ ଅନ୍ୟମାନଙ୍କ ମଧ୍ୟରେ ଚେକୋସ୍ଲୋଭାକିଆର ଶିଳ୍ପୀ ଇଭାନା ପ୍ରୋସଭା, ଜର୍ମାନୀର ଆଲ୍ଫେଡ୍ ବେଷ୍ଟ ଓ ହେଲ୍ଗ୍ରଡ଼ ଜୁମୁଲ, ଆମେରିକାର କଟରିନ୍ ମାୟାର, ସ୍ୱିଜରଲ୍ୟାଣ୍ଡର ପିଏର ମାର୍କସ ଓ ଅଷ୍ଟ୍ରିୟାର ବିର୍ଜତ୍ତା ଭାଲାଜ୍ ପ୍ରମୁଖ ୨୫ଜଣ ବିଦେଶୀ ଶିଳ୍ପୀଙ୍କ କଳାକୃତି ସ୍ଥାନିତ ହୋଇଛି । ଏହି ପୁସ୍ତକ ଜରିଆରେ ଭାରତୀୟ କଳା ଓ ସଂସ୍କୃତିର ପ୍ରସାର ବିଦେଶ ମାଟିରେ ହେବ ବୋଲି ଆରୋଧନ ଆର୍ଟ ଗ୍ୟାଲେରୀର ନିର୍ଦ୍ଦେଶକ ଲଳିତ ବର୍ମା ପ୍ରକାଶ କରିଛନ୍ତି ।


