ଯୁବ ବିକାଶ ଫାଉଣ୍ଡେସନ ଆନୁକୂଲ୍ୟରେ “କେଶୁ କଳା କେନ୍ଦ୍ର” ଉଦ୍ଘାଟିତ
ବାଲେଶ୍ୱର, : ସୁନାମଧନ୍ୟ ଶିଳ୍ପୀ କେଶୁ ଦାସଙ୍କର ୫୫ ତମ ଜନ୍ମଦିନ ଅବସରରେ ଯୁବ ବିକାଶ ଅନୁଷ୍ଠାନ ତରଫରୁ ଜେଲ୍ ରୋଡସ୍ଥିତ ଯୁବ ବିକାଶ ଭବନଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଯୁବ ବିକାଶ ଅନୁଷ୍ଠାନ ତରଫରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ବିଭିନ୍ନ ସ୍ଥାନରୁ ଅନେକ ଛାତ୍ରଛାତ୍ରୀମାନେ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ଚିତ୍ରାଙ୍କନ ପ୍ରତିଯୋଗିତା କେଶୁ ଦାସଙ୍କ ଜୀବନ ଶୈଳୀ ଉପରେ ଆଧାରିତ ଥିଲା । ପ୍ରତିଯୋଗିତାରେ ତିନିଗୋଟି ଶ୍ରେଣୀ ବିଭାଜନ କରାଯାଇଥିଲା ଏବଂ ପ୍ରତି ଶ୍ରେଣୀର ଭିନ୍ନ ଭିନ୍ନ ବିଷୟବସ୍ତୁ ନିର୍ଦ୍ଧାରିତ କରାଯାଇଥିଲା । ଯଥା ପ୍ରଥମ ଶ୍ରେଣୀରୁ ଚତୁର୍ଥ ଶ୍ରେଣୀ ଗୋଟି ବିଭାଗ ଏହି ବିଭାଗର ବସ୍ତୁ ଥିଲା “କେଶୁ ଦାସଙ୍କ ରୂପ” ଦ୍ୱିତୀୟ ବିଭାଗଟି ଶ୍ରେଣୀ ପଞ୍ଚମରୁ ସପ୍ତମ ଏହି ବିଭାଗର ବିଷୟ ବସ୍ତୁ “କେଶୁ ଦାସଙ୍କ କାର୍ଯ୍ୟଧାରା” ଏବଂ ତୃତୀୟ ବିଭାଗଟି ଶ୍ରେଣୀ ଅଷ୍ଟମରୁ ଦଶମ ଏବଂ ଏହି ବିଭାଗର ବିଷୟବସ୍ତୁ ଥିଲା “କେଶୁ ଦାସଙ୍କ ଚିନ୍ତାଧାରା” । ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ମୋନହର ଭାବେ ଏହି ବିଷୟବସ୍ତୁଗୁଡିକୁ ରୂପ ଦେଇଥିଲେ ଏବଂ କେଶୁ ଦାସଙ୍କ ଜୀବନର ପ୍ରଚ୍ଛଟ୍ଟ ଛବି ସେହି ଚିତ୍ରଗୁଡିକରୁ ଝଲସି ଉଠୁଥିଲା । ଉକ୍ତ ଉଦ୍ଘାଟନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଇଂଲଣ୍ଡରୁ ପିଟର ଲିଟିଲ୍ଲ ଏବଂ ହେଲେନା ହାବ୍ଦିଜା ଏବଂ ଶିଳ୍ପୀ କେଶୁ ଦାସ ଉପସ୍ଥିତ ଥିଲେ । ଯୁବ ବିକାଶ ଅନୁଷ୍ଠାନର ମୁଖ୍ୟ ଗୋବିନ୍ଦ ବଲ୍ଲଭ ଦଳେଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପରେ ପରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ଦ୍ୱାରା “କେଶୁ କଳା କେନ୍ଦ୍ର”କୁ ଉଦ୍ଘାଟନ କରିଥିଲେ ଯେଉଁଥିରେ କି ଛାତ୍ରଛାତ୍ରୀମାନଙ୍କୁ ଚିତ୍ରାଙ୍କନର ଉତ୍ତମ ତାଲିମ ପ୍ରଦାନ କରାଯିବ ।


