ବିଗ୍ ବି’ ଙ୍କ କୋରୋନା ସତର୍କତା
ଚୀନର ହୁବେଇ ପ୍ରଦେଶର ଉହାନ ସହରରୁ ଆରମ୍ଭ ହୋଇଥିବା ମହାମାରୀ କୋରୋନା ସାରା ବିଶ୍ବରେ ଏପରି କୋକୁଆ ଭୟ ସୃଷ୍ଟି କରିଛି ଯେ ସବୁକିଛି ଓଲଟପାଲଟ ହୋଇଯାଉଛି। ଖାସ ଏଥିପାଇଁ ମିଲେନିୟମ ସୁପରଷ୍ଟାର ତଥା ବଲିଉଡର ମହାନାୟକ ଅମିତାଭ ବଚ୍ଚନ ତାଙ୍କ ୩୭ ବର୍ଷର ପରମ୍ପରାକୁ ଭାଙ୍ଗିଛନ୍ତି। ଫଳରେ ୧୯୮୨ ମସିହା ପରେ ପ୍ରଥମ ଥର ପାଇଁ ତାଙ୍କ ବାସଭବନ ‘ଜଲସା’ ବାହାରେ ଅପେକ୍ଷାରତ ପ୍ରଶଂସକଙ୍କୁ ସେ ଭେଟିପାରି ନାହାନ୍ତି। ଅବଶ୍ୟ ଅମିତାଭ ଏହା ପୂର୍ବରୁ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ। କୋରୋନା ସଂକ୍ରମଣ ଲାଗି ରବିବାର ସନ୍ଧ୍ୟାରେ ତାଙ୍କ ବାସଭବନ ଜଲସା ବାହାରେ ଭିଡ଼ ନ ଜମାଇବାକୁ ସେ ତାଙ୍କ ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ। ବରଂ ନିଜକୁ ଭିଡ଼ରୁ ଦୂରରେ ରଖି ସୁରକ୍ଷିତ ରହିବା ପାଇଁ ସେ ପ୍ରଶଂସକଙ୍କୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟଯେ ୧୯୮୨ ମସିହା ଠାରୁ ପ୍ରତି ରବିବାର ସନ୍ଧ୍ୟାରେ ଅମିତାଭ ତାଙ୍କ ବାସଭବନ ବାହାରେ ଅପେକ୍ଷାରତ ପ୍ରଶଂସକଙ୍କୁ ଭେଟିଆସିଛନ୍ତି।