କରୋନା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ସତର୍କତା ପରାମର୍ଶ

 ଛତ୍ରପୁର :  କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ  ବ୍ୟାପକ ସତର୍କତା ନିର୍ଦ୍ଦେଶାବଳୀ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରିଛନ୍ତି  । ଜନ ସାଧାରଣଙ୍କ ଚଳପ୍ରଚଳ ସୀମିତ କରିବାପାଇଁ ଜିଲ୍ଲାରେ ଥିବା  ବିଭିନ୍ନ ମଲ୍ , ମାର୍ଟ, ଗାଡି ଗ୍ୟାରେଜ୍, ଗାଡି ସୋ ରୁମ୍, ଲୁଗା ଦୋକାନ, ରେଡିମେଡ୍ ଗାର୍ମେଣ୍ଟ ଦୋକାନ, ବିୟୁଟି ପାର୍ଲର, ଫାଷ୍ଟ ଫୁଡ୍ ଦୋକାନ ଏବଂ ବାହାରେ ପରିବେଷଣ କରାଯାଉଥିବା ଖାଦ୍ୟ  ଗୁଡିକ ସମ୍ପୂର୍ଣ୍ଣ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି  । ସମସ୍ତ ଲଜିଂ  ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିବ  । ପାନ ଗୁଟଖା ଦୋକାନ ଗୁଡିକର ବିକ୍ରୟ ଉପରେ ଦୃଢ କଟକଣା ଜାରି କରାଯାଇଛି  । ଖାଇବା ହୋଟେଲ ଗୁଡିକରେ ସାଧାରଣ ଲୋକଙ୍କର ଭୋଜନ କୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି  । କୌଣସି ରୋଗୀ କିମ୍ବା ତାଙ୍କର ସହଯୋଗୀଙ୍କୁ ଖାଇବାପାଇଁ ଅନୁମତି ଦିଆଯିବ  । ଖାଇବା ଟେବୁଲ ପରସ୍ପର ଠାରୁ ୧ ମିଟର ଦୂରତ୍ବରେ ରହିବ  ଏବଂ ଆନୁସଙ୍ଗୀକ ସ୍ବାସ୍ଥ୍ୟପ୍ରଦ ବ୍ୟବସ୍ଥା ସଠିକ୍ ରଖାଯିବ  ।  ଅନଧିକୃତ ମାଛ, ମାଂସ ଦୋକାନ ଗୁଡିକ ତୁରନ୍ତ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି  । ପରିବାପତ୍ର ବିକ୍ରିପାଇଁ ଯେଉଁ ସ୍ଥାନ ଗୁଡିକ ଉଦ୍ଦିଷ୍ଟ କେବଳ ସେହିଠାରେ ତାହା ବିକ୍ରୟ ହେବ  ଏବଂ ପ୍ରତ୍ୟେକ ବିକ୍ରେତା ପରସ୍ପର ଠାରୁ ୨ ମିଟର ବ୍ୟବଧାନରେ ରହିବେ  । କରୋନାର ଭୂତାଣୁ ଜଳଦ୍ବାରା  ସଂକ୍ରମିତ ହେବାର ସମ୍ଭାବନା ଥିବାରୁ ପୋଖରୀରେ ଗାଧୋଇବା କିମ୍ବା ଏହାର ପାଣି ବ୍ୟବହାରକୁ ନିଷେଧ କରାଯାଇଛି  । ନଳକୂପ ପାଣି କିମ୍ବା ପାଇପ୍ ଦ୍ବାରା ଆସୁଥିବା ପାଣିକୁ ବ୍ୟବହାର କରିବାପାଇଁ କୁହାଯାଇଛି  । ସର୍ବସାଧାରଣ ପରିବହନ ଯାନ ଗୁଡିକର ଚାଳକ ମାନଙ୍କୁ କରୋନାରେ କଣ କରଣୀୟ ଏବଂ କଣ କରିବା ଉଚିତ ନୁହେଁ ସେ ବାବଦରେ ସଚେତନ କରିବାପାଇଁ  ପରିବହନ ମାଲିକ ସଂଘକୁ ନିର୍ଦ୍ଦେଶ ଦିଆ ଯାଇଛି  । କୌଣସି ଯାତ୍ରୀ ଠାରେ କରୋନାର କିଛି ଲକ୍ଷଣ ଦୃଷ୍ଟି ଗୋଚର ହେଲେ ସଂପୃକ୍ତ ପରିବହନ ଯାନର କର୍ମକର୍ତ୍ତା ତୁରନ୍ତ ଟେଲିଫୋନ୍ ନମ୍ବର ୦୬୮୦-୨୨୨୪୭୯୮ କିମ୍ବା ୯୪୩୯୯୮୩୯୫୬ ରେ  ଜଣାଇବା ପାଇଁ କୁହାଯାଇଛି  । ବିଭିନ୍ନ ପୋଖରୀ ଏବଂ ଜଳାଶୟ ନିକଟରେ କରୋନା ସଚେତନତା ପ୍ରାଚୀର ପତ୍ର ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି  । ଜିଲ୍ଲାର ରେଳଷ୍ଟେସନ ଓ ବସ୍ ଷ୍ଟାଣ୍ଡ ମାନଙ୍କରେ  କରୋନା ନିରୀକ୍ଷଣ କେନ୍ଦ୍ର ଖୋଲାଯାଇଛି  । ଯେଉଁ ମାନଙ୍କର ନିଃଶ୍ବାସ ପ୍ରଶ୍ଭାସ ସମସ୍ୟା କାଶ କଫ ସମସ୍ୟା,ଜ୍ଜର ପ୍ରଭୃତି ଲକ୍ଷଣ ଅନୁଭୂତ ହେଉଛି ତୁରନ୍ତ ଏହି କେନ୍ଦ୍ର ରେ ସ୍ବାସ୍ଥ୍ୟ ପରୀକ୍ଷା କରିବାପାଇଁ କୁହାଯାଇଛି  । ଆନ୍ଧ୍ର ସୀମାନ୍ତ ଗିରିଶୋଳା ଠାରେ ଜାତୀୟ ରାଜପଥରେ ଯାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବାପାଇଁ କରୋନା ନିରୀକ୍ଷଣ କେନ୍ଦ୍ର ଖୋଲାଯାଇଛି  । ଜିଲ୍ଲାର ସୀମାନ୍ତ ତପ୍ତପାଣି, ଗାଜଲବାଡି, ଦୂର୍ଗା ପ୍ରସାଦ ଏବଂ ଲଙ୍ଗଳେଶ୍ବର ଚେକ୍ ଗେଟ୍ ଠାରେ କରୋନା ନିରୀକ୍ଷଣ କେନ୍ଦ୍ର ଖୋଲିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି  । କରୋନା ନିର୍ଦ୍ଦେଶାବଳୀକୁ ଅମାନ୍ୟ କଲେ ଦୃଢ  ଆଇନଗତ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ସତର୍କ କରାଇ ଦେଇଛି  ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ