ଆଇସୋଲେସନ୍ କକ୍ଷ ଅନୁଧ୍ୟାନ କଲେ ଅତିରିକ୍ତ ଜିଲ୍ଲାପାଳ
ଛତ୍ରପୁର : କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ପଞ୍ଚାୟତବାସୀଙ୍କୁ ବ୍ୟାପକ ସଚେତନତା ଦିଗରେ ଛତ୍ରପୁର ବ୍ଲକ ଅଧୀନ ୧୮ ଟି ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ନିମନ୍ତେ ଆଜି ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଓ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ ତଦାରଖ ନିମନ୍ତେ ଚମାଖଣ୍ଡି ପଞ୍ଚାୟତକୁ ଗସ୍ତ କରିଥିଲେ । ଜନସାଧାରଣଙ୍କୁ ସଚେତନତା କରିବା ସହ ପଞ୍ଚାୟତ କାର୍ଯ୍ୟାୟଳରେ କରୋନା ସିନ୍ଦିଗ୍ଧ ରୋଗୀଙ୍କ ପାଇଁ ଖୋଲାଯାଇଥିବା ଆଇସୋଲେସନ୍ କକ୍ଷକୁ ତଦାରଖ କରିଥିଲେ । ପଞ୍ଚାୟତ ଅଧୀନରେ ରହିଥିବା ଗାଁ ଗୁଡିକର ଲୋକମାନଙ୍କୁ କୌଣସି ସ୍ଥାନରେ ଏକତ୍ରିତ ନ ହେବା ସହ ବାରମ୍ବାର ହାତକୁ ସାବୁନ୍ରେ ଧୋଇବା, ଜ୍ୱର, କାଶ, ଛିଙ୍କ ଆସିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ । ଏଥିସହ ବାହାର ଦେଶ ଓ ରାଜ୍ୟରେ ପ୍ରତ୍ୟାବର୍ତ୍ତନ କରୁଥିବା ପଞ୍ଚାୟତବାସୀଙ୍କ ସୂଚନା ଦେଇ ସେମାନଙ୍କୁ ପରୀକ୍ଷଣ କରିବା ବ୍ୟବସ୍ଥାର ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଚମାଖଣ୍ଡି ପଞ୍ଚାୟତ ସରପଞ୍ଚ ସୁସ୍ମିତା ପ୍ରଧାନ, ସମିତି ସଭ୍ୟା ଅର୍ଚନା ପ୍ରଧାନ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ଜିଆର୍ଏସ୍ ଏ.ଦଣ୍ଡପାଣି, ଏମ୍ବିକେ ପି.ମାଧୁରୀ ରେଡ୍ଡୀ, ସିଆର୍ପି ଆର୍.ଜ୍ୟୋତି ରେଡ୍ଡୀ, ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


