କୋଲକାତାକୁ ଚାଲି ଚାଲି ଯାଉଥିବା ୧୧ଜଣ ଯୁବକଙ୍କୁ କାଳିଆବାଲି ରୁ ଉଦ୍ଧାର କରିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

ଛତ୍ରପୁର (ଓ୍ବାଇଏନ୍ଏସ୍) : କୋଲକାତାକୁ ଚାଲି ଚାଲି ଯାଉଥିବା ବେଳେ ୧୧ଜଣ ଯୁବକଙ୍କୁ ଉଦ୍ଧାର କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ସେମାନଙ୍କୁ ଉଦ୍ଧାର କରାଯିବା ପରେ ସଙ୍ଗରୋଧରେ ରଖାଯାଇଛି । ଏମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାଯାଇଛି। ଏହି ୧୧ ଜଣ ଯୁବକ ଜଣେ ଠିକାଦାରଙ୍କ ଅଧୀନରେ ରହି ଗୋପାଳପୁର ଅଂଚଳ ରେ କାଠ କାମ କରୁଥିଲେ। ଲକଡାଉନ୍ ଘୋଷଣା ପରେ ଏମାନେ ସେଠାରେ ରହୁଥିଲେ। ହେଲେ ଠିକାଦାର ସେମାନଙ୍କର ଖାଇବା ପିଇବା ଯୋଗାଇବା ବନ୍ଦ କରି ଦେବାରୁ ସେମାନେ ବାଧ୍ୟ ହୋଇ ନିଜ ଘରକୁ ଫେରିବା ଉଦ୍ଦେଶ୍ୟରେ କୋଲକାତା ଅଭିମୁଖେ ଯାଉଥିଲେ। ସେମାନେ ଚମାଖଣ୍ଡି ଥାନା ଅନ୍ତର୍ଗତ କାଲିଆବାଲି ଛକ ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ସେଠାରେ ପ୍ରଶାସନ ସେମାନଙ୍କୁ ଅଟକାଇଥିଲା। ସେମାନଙ୍କଠାରୁ ସବୁ କଥା ଶୁଣି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାଶ ଓ ତହସିଲଦାର ନୀଳମାଧବ ଭୋଇ ସେମାନଙ୍କୁ କାଳିଆବାଲି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ରଖିଥିଲେ। ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବା ଜଣାଯାଇଛି। କରୋନାର ମୁକାବିଲା ଲାଗି କାମ କରୁଥିବା ଟିମକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଶଂସା କରିଛନ୍ତି। ସେହିପରି ଛତ୍ରପୁର ବ୍ଲକ ଚମଖଣ୍ଡି ଆଦର୍ଶ ବିଦ୍ୟାଳୟ ରେ ଗତ ୩୦ତାରିଖ ରୁ ରହୁଥିବା କେରଳ, ତାମିଲନାଡୁ ଓ ଝାଡ଼ଖଣ୍ଡ ଅଂଚଳର ୬୪ଜଣ ଶ୍ରମିକ ଙ୍କୁ ଅତିଥି ଭଳି ସମସ୍ତ ସୁବିଧା ପ୍ରଦାନ କରାଯାଉଥିବାରୁ ଶ୍ରମିକ ମାନେ ଖୁସି ରହିଥିବା ଜଣାପଡିଛି l ଏନେଇ ବିଭିନ୍ନ ପତ୍ରପତ୍ରିକା ବାହାରିବା ପରେ ଗଞ୍ଜାମ ଜ଼ିଲ୍ଲାପାଳ ଟୁଇଟ ଯୋଗେ ଛତ୍ରପୁର ବିଡ଼ିଓ, ତହସିଲଦାର, ଚମଖଣ୍ଡି ଥାନା ଅଧିକାରୀ, ସ୍ୱାସ୍ଥ୍ୟ କର୍ମଚାରୀ ଏବଂ କାର୍ଯ୍ୟ ରେ ନିୟୋଜିତ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଂଶସା ଜଣାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ