ପୋଲସରା ବ୍ଲକ, ଜିଲ୍ଲା ବାହାରେ ୧୬,୧୨୮ ଜଣ

ପୋଲସରା,(ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକର ଜିଲ୍ଲା ବାହାରେ ୧୬,୧୨୮ ଜଣ ଥିବା ବେଳେ ଓଡ଼ିଶା ମଧ୍ୟରେ ଅନ୍ୟ ଜିଲ୍ଲାରେ ୬୦୩୯ ଜଣ, ଓଡ଼ିଶା ବାହାରେ ଅନ୍ୟ ରାଜ୍ୟରେ ୧୦,୦୪୩ ଜଣ ଓ ଅନ୍ୟ ଦେଶରେ ୪୬ ଜଣ ଥିବା ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ ପ୍ରକାଶ କରିଛନ୍ତି। ଅନ୍ୟ ଜିଲ୍ଲା ଓ ଅନ୍ୟ ରାଜ୍ୟରେ ଥିବା ୧୬,୦୮୨ ଜଣଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ବ୍ୟକ୍ତି ହେଉଛନ୍ତି ଶ୍ରମିକ। ଅର୍ଥାତ ପୋଲସରା ବ୍ଳକର ପ୍ରାୟ ୧୪,୫୦୦ ଜଣ ଓଡ଼ିଆ ବାହାର ରାଜ୍ୟ ଓ ଜିଲ୍ଲାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଲକ ଡାଉନ ପାଇଁ ସବୁଠି କାର୍ଯ୍ୟ ବନ୍ଦ ଯୋଗୁଁ ସମସ୍ତ ଶ୍ରମିକ କାମ ନପାଇ ଭୋକ ଉପାସରେ ଦୟନୀୟ ଭାବେ ସମୟ କାଟୁଛନ୍ତି। ସେମାନେ ନିଜ ଭିଟାମାଟି ଗଞ୍ଜାମ ଜିଲ୍ଳାକୁ ଫେରିବାକୁ ବ୍ୟାକୁଳ ହେଉଥିବା ବେଳେ ସରକାରୀ କଟକଣା ଓ ଯାନବାହାନ ଚଳାଚଳ ବନ୍ଦ ରହିଥିବାରୁ ଫେରିବାରେ ଅନିଶ୍ଚିତତା ଦେଖାଦେଇଛି। ପ୍ରଶାସନ ଚାହିଁଲେ ହିଁ ସେମାନେ ଫେରିପାରିବେ। ଜିଲ୍ଲା ପ୍ରଶାସନ ଶ୍ରମିକଙ୍କ ଦୟନୀୟ ଅବସ୍ଥା ହୃଦୟଙ୍ଗମ କରୁଥିଲେବି ସମସ୍ତଙ୍କୁ ଫେରାଇ ଆଣି ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ବାଧ୍ୟ ଥିବା ବେଳେ ଏତେ ସଂଖ୍ୟକଙ୍କୁ କିପରି ସଙ୍ଗରୋଧରେ ରଖିବେ ଚିନ୍ତା ବଢ଼ାଇ ଦେଇଛି।ଅବଶ୍ୟ ପୋଲସର ବିଡ଼ିଓ ଶ୍ରୀ ନନ୍ଦୀଙ୍କ ପରାମର୍ଶ କ୍ରମେ ପୋଲସରା ବିଇଓ ତ୍ରିଲୋଚନ ତ୍ରିପାଠୀ, ଏବଂ ଏ ବିଇଓ ସ୍ୱରୂପ କୁମାର ପାତ୍ର ଓ ବାଳକୃଷ୍ଣ ପାତ୍ରଙ୍କ ନେତୃତ୍ୱରେ ବ୍ଳକର ୧୬୧ ଟି ବିଦ୍ୟାଳୟକୁ ସଫାସୁତୁରା କରି ଜିଲ୍ଲା ବାହାରୁ ଫେରିବା ବ୍ୟକ୍ତି ରହିବା ପାଇଁ ପ୍ରସ୍ତୁତ କରିଛନ୍ତି। ବିଦ୍ୟାଳୟର ଶ୍ରେଣୀ ଗୃହରେ ସାମାଜିକ ଦୂରତା ବଜାୟ ପ୍ରକାରେ ୫ ରୁ ୬ ଜଣ ରହିବେ। ଅଧିକାଂଶ ବିଦ୍ୟାଳୟରେ ୨ ରୁ ୩ ଟି ଶ୍ରେଣୀ ଗୃହ ଅଛି। କେବଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଅଧିକ ଶ୍ରେଣୀ ଗୃହ ଅଛି। ହାରାହାରି ଗୋଟିଏ ବିଦ୍ୟାଳୟରେ ୫୦ ଜଣ ରହିଲେ ବ୍ଲକର ୧୬୧ ବିଦ୍ୟାଳୟରେ ୮୦୫୦ ଜଣ ରହିପାରିବେ। ଯଦି ସମସ୍ତ ୧୪୫୦୦ ଶ୍ରମିକ ପୋଲସରା ବ୍ଲକକୁ ଫେରନ୍ତି ଓ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଯଦି ୪୦ ପ୍ରତିଶତ ନିଜ ଘରେ ସଙ୍ଗରୋଧରେ ରହନ୍ତି ତେବେ ୮୭୦୦ ଜଣ ବିଦ୍ୟାଳୟରେ ସଙ୍ଗରୋଧରେ ରହିବେ। ଅର୍ଥାତ ଆହୁରି ଗୃହର ଆବଶ୍ୟକ ପଡିପାରେ। ଅବଶ୍ୟ ବ୍ଲକରେ ଅନେକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଥିବା ସ୍ଥଳେ ପୋଲସର ବ୍ଳକ ପାଇଁ ସମସ୍ୟା ସୃଷ୍ଟି କରିନପାରେ। ତଥାପି ପ୍ରଶାସନ ବିକଳ୍ପ ପନ୍ଥା ଅବଲମ୍ବନ କରିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକତା ଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ