ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଯ୍ୟପଲ୍ଲୀ ଓ ଉପୁଲାପୁଟି ଓଡିଆରପି କଲୋନୀର ୨୯ ହିତାଧିକାରୀଙ୍କ ଘରକୁ ସିଲ୍
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ପ୍ରଶାସନର ବାରମ୍ବାର ସଚେତନତା ପରେ ବି ହିତାଧିକାରୀମାନେ ଓଡିଆରପି ଯୋଜନା ବାତ୍ୟା ନିରୋଧକ ଘରେ ରହୁ ନାହାନ୍ତି । ଏଭଳି ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଘରକୁ ସିଲ୍ କରିବା ପାଇଁ ମଙ୍ଗଳବାର ଜିଲ୍ଲା ପ୍ରଶାସନ ଏକ କଡା ପଦକ୍ଷେପ ନେଇଛନ୍ତି । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ ଓ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ ଆଜି ମିଳିତ ଭାବେ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଓ ଉପୁଲାପୁଟି ଓଡିଆରପି କଲୋନୀରେ ପ୍ରତ୍ୟେକ ହିତାଧିକାରୀଙ୍କ ଘର ଘର ବୁଲି ସେମାନେ ରହୁଥିବା ନେଇ ଯାଞ୍ଚ କରିଛନ୍ତି । ଏହି ଦୁଇ କଲୋନୀର ସମୁଦାୟ ୨୯ ଜଣ ହିତାଧିକାରୀଙ୍କ ଘରକୁ ସିଲ୍ କରାଯାଇଥିଲା । ଯେଉଁ ଘରକୁ ସିଲ୍ କରାଯାଇଥିଲା । ସେହି ଘର ସମ୍ମୁଖରେ ହିତାଧିକାରୀଙ୍କ ନାମରେ ଜିଲ୍ଲାପାଳଙ୍କ ଏକ ନୋଟିସ୍ ଛପା ଯାଇଥିଲା । ସେଥିରେ ଉଲ୍ଲେଖ ରହିଥିଲା ଯେ, ଓଡିଶା ବିର୍ପ୍ୟୟ ପ୍ରଶମନ ପ୍ରକଳ୍ପ ନିର୍ମିତ ଗୃହ ଆପଣଙ୍କର ନାମରୁ ବାଦ୍ କରାଯାଇ ସରକାରଙ୍କର ମାଲିକାନାକୁ ଅଧିକୃତ ହେବା ନିମିତ୍ତ ବୋଲି ଦର୍ଶାଯାଇଛି । ଯାଞ୍ଚ ବେଳେ ଆରମ୍ଭରୁ ହିଁ ଆର୍ଯ୍ୟପଲ୍ଲୀ ଓଡିଆରପି କଲୋନୀର ୧୧ ଜଣ ହିତାଧିକାରୀ ଯୋଗାଇ ଦିଆଯାଇଥିବା ଗୃହରେ ରହୁନଥିବା ନେଇ ଜଣାପଡିଥିଲା । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ନିଜେ ଉକ୍ତ ଘର ଗୁଡିକୁ ସିଲ୍ କରିଥିଲେ । ଏହି ଖବର ସମଗ୍ର କଲୋନୀରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ସମସ୍ତ ହିତାଧିକାରୀ କଲୋନୀରେ ରୁଣ୍ଡ ହୋଇଥିଲେ । ଆର୍ଯ୍ୟପଲ୍ଲୀ ସମିତି ସଭ୍ୟ ବି.ରାଧା ଓ ତାଙ୍କ ସ୍ୱାମୀ ବି.ଭୀମ ଘଟଣା ସ୍ଥଳେ ପହଞ୍ଚି ଜିଲ୍ଲା ପ୍ରଶାସନର ଏହି ସିଲ୍ ପ୍ରକ୍ରିୟାକୁ ଏକ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ମହଲତ ମାଗିଥିଲେ । ଏହା ମଧ୍ୟରେ ସମସ୍ତ ହିତାଧିକାରୀ ଯୋଗାଇ ଦିଆଯାଇଥିବା ଘରେ ରହିବା ପାଇଁ ସଚେତନତା କରାଯିବ । ନଚେତ ସେମାନଙ୍କ ଠାରୁ ଉକ୍ତ ଘର ଫେରାଇ ନିଆଯିବ ଅବଗତି କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଲିଖିତ ଭାବେ ପ୍ରଦାନ କରିଥିଲେ । ଆର୍ଯ୍ୟପଲ୍ଲୀ ଓଡିଆରପି କଲୋନୀରେ ସମୁଦାୟ ୭୩୨ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ଗୃହ ଯୋଗାଇ ଦିଆଯାଇଥିବା ବେଳେ ମାତ୍ର ୩୪୦ ଜଣ ହିତାଧିକାରୀ ନିଜ ଗୃହରେ ରହୁଥିବା ଜଣାପଡିଛି । ଅନ୍ୟମାନଙ୍କୁ ତୁରନ୍ତ ଘରେ ରହିବେ ନଚେତ ସେମାନଙ୍କ ଠାରୁ ଏହି ଘର ଛଡାଇ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଥିଲେ । ସେହିପରି ଛତ୍ରପୁର ବ୍ଲକର ଉପୁଲାପୁଟି ଓଡିଆରପି କଲୋନୀରେ ମଧ୍ୟ ହିତାଧିକାରୀମାନେ ଘରେ ରହୁଛନ୍ତି କି ନାହିଁ ଯାଞ୍ଚ ହୋଇଥିଲା । ଉକ୍ତ କଲୋନୀରେ ସଂପୂର୍ଣ୍ଣ ଭାବେ ନ ରହୁଥିବା ୧୮ ଜଣ ହିତାଧିକାରୀଙ୍କ ଘରକୁ ବିଡିଓ ଶ୍ରୀ ଦାଶ ସିଲ୍ କରିଥିଲେ । ଏହି କଲୋନୀରେ ୩୨୫ ହିତାଧିକାରୀଙ୍କୁ ଗୃହ ଯୋଗାଇ ଦିଆଯାଇଥିବା ବେଳେ ମାତ୍ର ୪୨ ଜଣ ହିତାଧିକାରୀ ସେମାନଙ୍କ ଘରେ ରହୁଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନର ଓଡିଆରପି କଲୋନୀରେ ଘର ଗୁଡିକ ସିଲ୍ କଲାବେଳେ ଓଡିଆରପି ଯୋଜାନର ସହକାରୀ ନିର୍ବାହୀ ଯନ୍ତ୍ରୀ ମୋନିକା ମୋନାଲୀ ମାନସିଂ, କନିଷ୍ଠ ଯନ୍ତ୍ରୀ ଉଷା ଗାୟତ୍ରୀ ଦାଶ, ସୋସିଆଲ୍ ଏକ୍ସପାର୍ଟ ପ୍ରଦୀପ କୁମାର ପାତ୍ର, କମ୍ୟୁନିଟ୍ ଅର୍ଗନାଇଜର୍ ସୁଶ୍ରିତା ସାମଲ ଓ ଶ୍ୟାମଘନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।