ବେଆଇନ଼ ପଥର ବିସ୍ଫୋରଣ ପ୍ରତିବାଦରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପଟିଗୁଡା ସିନ୍ଦୁରପୁର ନିକଟସ୍ଥ ଷ୍ଟୋନ କ୍ରସର ଓ ପଥର କୁଆଁରୀରେ ବେଆଇନ ବିସ୍ଫୋରଣ ପ୍ରତିବାଦରେ ତାତିଲେ ଗ୍ରାମବାସୀ । ବେଆଇନ ପଥର ଖାଦନରେ ପଥର ଫୁଟାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଥିଲେ ଗ୍ରାମବାସୀ । ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତିରେ ସୁଧାର ଆସିଥିଲା । ଦୀର୍ଘ ତିନି ଘଣ୍ଟା ଧରି ଏନ୍ଏଚ୍ ୩୨୬ର ପୁଡ଼ାମାରି ପଟିଗୁଡା ଗାଁ ଛକରେ ଆନ୍ଦୋଳନ କରାଯାଇଥିଲା । ସାନଖେମୁଣ୍ଡି ତହସିଲ ଅଧିନସ୍ଥ ପତ୍ତିଗୁଡ଼ା ସିନ୍ଦୁରପୁର ଗାଁ ନିକଟରେ ଏକ ବିରାଟ କ୍ରସର କମ୍ପାନୀ ରହିଛି । ଏହି କମ୍ପାନୀ କର୍ତ୍ତୃପକ୍ଷ ବେଆଇନ ଭାବେ ନିକଟସ୍ଥ ପାହାଡ଼ରୁ ପଥର ଫୁଟାଇବା ଯୋଗୁଁ ଶଦ୍ଦରେ ନିକଟରେ ଥିବା ଗାଁ ଲୋକଙ୍କ କାନ୍ଥ ଭାଙ୍ଗି ଯିବାର ଅଭିଯୋଗ ହୋଇଛି । ସେହିପରି କ୍ରସର କମ୍ପାନୀର ନିର୍ଗତ ବର୍ଜ୍ୟବସ୍ତୁରେ ଚାଷ ଜମିର ଉର୍ବରତା ନଷ୍ଟ ହେଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏନେଇ ଅଭିଯୋଗ କରିଲେ ପ୍ରଶାସନ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ବାଧ୍ୟ ହୋଇ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇ ଥିଲେ ବୋଲି ଜଣାପଡିଛି ।


