ପ୍ରିୟତମଙ୍କ କୋମଳ ସ୍ପର୍ଶରେ ଯନ୍ତ୍ରଣା ହୁଏ ଉପଶମ
ପ୍ରିୟତମଙ୍କ କୋମଳ ସ୍ପର୍ଶରେ ଯନ୍ତ୍ରଣା ଉପଶମ ହୋଇଥାଏ । ଏ ନେଇ ଗବେଷକ ଦଳ ଏକ ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି । ପରସ୍ପରକୁ ଭଲ ପାଉଥିବା ପୁରୁଷ ଓ ମହିଳାଙ୍କ ମଧ୍ୟରେ ସ୍ଥଳ ବିଶେଷରେ ଅନେକ ଗୁଡିଏ ସମାନତା ରହିଥାଏ । ସେମାନଙ୍କର ଆଚାର ବ୍ୟବହାର ସମେତ ଦୈନନ୍ଦିନ ଜୀବନ ଶୈଳୀ, ପସନ୍ଦ ଖାଦ୍ୟ ପ୍ରଭୃତିରେ ଅନେକ ସମାନତା ପରିଲକ୍ଷିତ ହୋଇଥାଏ । ତେବେ ମାନସିକ ସ୍ତରରେ ମଧ୍ୟ ସେମାନଙ୍କ ମଧ୍ୟରେ ସମ୍ପର୍କ ଆପେ ଆପେ ସ୍ଥାପିତ ହୋଇଥାଏ ବୋଲି ଗବେଷକ ଦଳ ସୂଚିତ କରିଛନ୍ତି । ଫଳରେ ଜଣଙ୍କର ଯନ୍ତ୍ରଣା ସମୟରେ ଅନ୍ୟଜଣଙ୍କ କୋମଳ ସ୍ପର୍ଶ ଅମୃତତୁଲ୍ୟ ପ୍ରତିପାଦିତ ହୋଇଥାଏ । ଯନ୍ତ୍ରଣା ଉପଶମ ସହିତ ସ୍ପର୍ଶ ଦ୍ୱାରା ସ୍ନାୟୁ ମାଧ୍ୟମରେ ମସ୍ତିଷ୍କରେ ଏକ ପ୍ରକାର ସକାରାତ୍ମକ ତରଙ୍ଗ ସୃଷ୍ଟି ହୋଇଥାଏ । ପ୍ରେମୀ ଯୁଗଳଙ୍କ ମଧ୍ୟରେ କିପରି ଅତୁଟବନ୍ଧନ ସ୍ଥାପିତ ହୋଇଥାଏ ସେ ନେଇ କଲୋରାଡୋ ବିଶ୍ୱବିଦ୍ୟାଳୟର ଗବେଷକ ଦଳ ୨୨ ଯୋଡା ପ୍ରେମୀ ଯୁଗଳଙ୍କ ଉପରେ ଦୀର୍ଘଦିନ ଧରି ପରୀକ୍ଷାନିରୀକ୍ଷା କରିଥିଲେ । ଏ ନେଇ କେତେକଙ୍କର ମସ୍ତିଷ୍କରେ ସ୍କାନିଂ ମଧ୍ୟ କରାଯାଇଥିଲା । ସାଧାରଣ ସମୟରେ ମସ୍ତିଷ୍କରେ କିଭଳି ତରଙ୍ଗ ପ୍ରଭାହିତ ହେଉଛି ଏବଂ ଯନ୍ତ୍ରଣା ସମରେ ତରଙ୍ଗର ସ୍ଥିତିରେ ଥିବା ପରିବର୍ତ୍ତନକୁ ଅବଲୋକିତ କରାଯାଇଥିଲା । ଏହା ସହିତ ପ୍ରିୟତମଙ୍କ କୋମଳ ସ୍ପର୍ଶ ସମୟରେ ତରଙ୍ଗ କିପରି ପ୍ରବାହିତ ହେଉଛି ତାହା ଅନୁଧ୍ୟାନ କରାଯାଇଥିଲା । ଦେଖାଯାଇଥିଲା ଯନ୍ତ୍ରଣା ସମୟରେ ପ୍ରିୟତମଙ୍କ ସ୍ପର୍ଶ ଦ୍ୱାରା ମସ୍ତିଷ୍କର ତରଙ୍ଗରେ ଅନେକ ପରିବର୍ତ୍ତନ ହୋଇଥାଏ । ଯାହାକି ସାଧାରଣ ସମୟରେ ମସ୍ତିଷ୍କ ତରଙ୍ଗ ସ୍ଥିତି ସହିତ ପ୍ରାୟ ମେଳ ଖାଇଥିଲା ।


