ପାଇକାରୀ ତେଜରାତି ଦୋକାନକୁ ସିଲ୍ କଲା ପ୍ରଶାସନ: ଚିନ୍ତାରେ ଖାଉଟି
ବନ୍ତ,(ଚାନ୍ଦିନୀ ମହାନ୍ତି) : ସୋମବାର କରୋନା କଟକଣା ନିୟମ ତଦାରଖ ନେଇ ମାଜିଷ୍ଟେଟ୍ ଦାୟୀତ୍ୱରେ ଥିବା ତହସିଲଦାର ଇନ୍ଦିରା ସାହୁ ଓ ଆଇଆଇସି ମିନା ବିନ୍ଧାଣୀ ବଜାର ପେଟ୍ରୋଲିଂ କରିବା ସମୟରେ ବନ୍ତ ବଜାରସ୍ଥିତ ପ୍ରକାଶ କୁମାର ସାହୁଙ୍କ ପାଇକାରୀ ତେଜରାତି ଦୋକାନରେ ଗହଳି ଥିବା ନେଇ ଦୋକାନକୁ ସିଲ୍ କରିବା ସହିତ ଦୋକାନୀ ଉପରେ ୫ ହଜାର ଜୋରିମାନା କରିଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ମାର୍ଚ୍ଚ ମାସ ଠାରୁ କରୋନା ମହାମାରୀକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଟକଣା ଲାଗୁ କରିଛନ୍ତି । ଲକ୍ ଡାଉନ୍ ସମୟରେ ଲୋକ ମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗତ ମଙ୍ଗଳବାର ଠାରୁ ଗୁରବାର ପର୍ଯ୍ୟନ୍ତ ବନ୍ତ, ଟିଲୋ, ପଧାନପଡା ପଞ୍ଚାୟତର ୩ ସରପଞ୍ଚ କରୋନା ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ବନ୍ତ ବଜାରକୁ ସଟ୍ ଡାଉନ୍ ଘୋଷଣା କରିଥିଲେ । ଶୁକ୍ରବାର ଗୋଟିଏ ଦିନ ବଜାର ଖୋଲା ରହିବା ପରେ ପୁନଶ୍ଚ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ନିୟମ ଅନୁଯାୟୀ ଶନିବାର ଓ ରବିବାର ବନ୍ତ ବଜାର ସଟ୍ ଡାଉନ୍ ରହିଥିଲା । ସୋମବାର ବଜାର ଖୋଲିବା ପରେ ଲୋକ ମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବନ୍ତ ବଜାରକୁ ଆସିଥିଲେ । ବନ୍ତ ବଜାରରେ ଏକ ମାତ୍ର ପାଇକାରୀ ତେଜରାତି ଦୋକାନ ପ୍ରକାଶ କୁମାର ସାହୁଙ୍କର ଥିବା ବେଳେ ଏହି ଦୋକାନ ଉପରେ ବ୍ଲକର ସର୍ବାଧିକ ପଞ୍ଚାୟତ ସମେତ ଭଣ୍ଡାରିପୋଖରୀ ବ୍ଲକ ଏବଂ କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକର ଶତାଧିକ ଖୁଚୁରା ବେପାରୀ ଓ ସାଧାରଣଲୋକେ ନିର୍ଭର କରିଥାନ୍ତି । ୫ ଦିନ ସଟ୍ ଡାଉନ୍ ରହିବା ପରେ ଆଜି ସାଧାରଣଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଉକ୍ତ ଦୋକାନକୁ ଆସିଥିଲେ । ଫଳରେ ଦୋକାନ ଆଗରେ ସାମାନ୍ୟ ଗହଳି ପରିଲକ୍ଷିତ ହୋଇଥିଲା । ଏପରିପେକ୍ଷୀରେ ତହସିଲଦାର ଦୋକାନ ପାଖରେ ପହଞ୍ôଚ ଦୋକାନକୁ ସିଲ୍ କରିଦେଇଥିଲେ । ଉକ୍ତ ଦୋକାନ ଉପରେ ଶହ ଶହ ଖାଉଟି ନିର୍ଭର କରୁଥିବା ବେଳେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ପାଇବା ଚିନ୍ତାରେ ଖାଉଟି ମାନେ ପଡିଛନ୍ତି । ଜିଲ୍ଲା ପ୍ରଶାସନ ଖାଉଟି ମାନଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ଉକ୍ତ ଦୋକାନକୁ ଖୋଲିବା ପାଇଁ ଅନୁମତି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।


