ନାଉଗାଁରେ ସୌଭାଗ୍ୟ ଯୋଜନା ଦିଗହରା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ବିଦ୍ୟୁତ ସେବାକୁ ଅପହଂଚ ସ୍ଥାନରେ ଯୋଗାଇବା ସହିତ ଗରିବ ହିତାଧିକାରୀମାନଙ୍କ ଘରକୁ ବିଦ୍ୟୁତ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ‘ସୌଭାଗ୍ୟ ଯୋଜନା’ କାର୍ଯ୍ୟକାରୀ ହେଉଛି । ଏହି ଯୋଜନା କାର୍ଯ୍ୟକାରୀ କରାଯିବା ସହିତ ୨୦୧୯ ମାର୍ଚ ମାସ ଶେଷ ସୁଦ୍ଧା କାର୍ଯ୍ୟ ଶେଷ କରିବା ପାଇଁ ସରକାରଙ୍କ ପକ୍ଷରୁ ସେସୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଦାୟିତ୍ୱରେ ଥିବା ଠିକାଦାରମାନେ କାର୍ଯ୍ୟକୁ ଅଧା କରି ଛୁ ହୋଇଥିବା ଅଭିଯୋଗ ହେଉଛି । କେଉଁଠି ବିଦ୍ୟୁତ ସଂଯୋଗ ନଥାଇ ହିତାଧିକାରୀଙ୍କ ନାମରେ ବିଲ ଆସୁଛି ତ କେଉଁଠି ଠିକାଦାରଙ୍କୁ ଲାଂଚ ନ ଦିଆଯିବାରୁ ବିଦ୍ୟୁତ ଖୁଂଟ ପଡିପାରୁନାହିଁ । କେବଳ କାନ୍ଥରେ ବିଦ୍ୟୁତ ବୋର୍ଡ ଲଗାଇ ଦେଇ ଦେଖାନାହାନ୍ତି । ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ । ଏହି ବ୍ଲକରେ ସୌଭାଗ୍ୟ ଯୋଜନାରେ ଗରିବ ପରିବାରକୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ୪ଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ଏଥିରେ ବିଜୟ ଇଲେକ୍ଟ୍ରିକାଲ, ଲେଜର ପାୱାର, ଗୁପ୍ତା କରୁଥିବା ବେଳେ ନିଜେ ସେସୁ କାର୍ଯ୍ୟ କରୁଥିଲା । ଏମାନଙ୍କ ମଧ୍ୟରେ ବିଜୟ ଇଲେକ୍ଟ୍ରିକାଲକୁ ୪୯ଟି ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟ କରିବା ପାଇଁ ଦିଆଯାଇଥିବା ବେଳେ ୪୬ଟି ଶେଷ କରିଛି । ଲେଜର ପାୱାରକୁ ୭ଟି ବିଦ୍ୟୁତ ସବଷ୍ଟେସନ ଦିଆଯାଇଥିବା ବେଳେ ସମସ୍ତ କାର୍ଯ୍ୟ ଶେଷ କରିଛି । ସେହିପରି ଜିପିଏଲ ୩ଟି ବିଦ୍ୟୁତ ସବଷ୍ଟେସନରୁ ସମସ୍ତ ଶେଷ କରିଥିବା ବେଳେ ସେସୁ ବିଭାଗ ପକ୍ଷରୁ ୨୭ଟି ବିଦ୍ୟୁତ ସବଷ୍ଟେସନରୁ ୨୩ଟି ଶେଷ କରାଯାଇଛି । ଏ ସମସ୍ତ ସଂସ୍ଥା ପକ୍ଷରୁ ୩୧୭୭ ଜଣ ହିତାଧିକାରୀଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଥିବା ସେସୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାରଙ୍କ ପକ୍ଷରୁ ସୌଭାଗ୍ୟ ଯୋଜନାରେ ସମସ୍ତ ବିଦ୍ୟୁତ କାର୍ଯ୍ୟ ୨୦୧୯ ମାର୍ଚ୍ଚ ମାସ ଶେଷ ସୁଦ୍ଧା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେଣୁ ଉକ୍ତ ସଂସ୍ଥା ପକ୍ଷରୁ ହିତାଧିକାରୀଙ୍କ କାନ୍ଥରେ ବିଦ୍ୟୁତ ବୋର୍ଡ ବସାଇ ଦିଆଯାଇଥିଲା । କିନ୍ତୁ ଦିର୍ଘ ୮ମାସ ରୁ ଉର୍ଦ୍ଧ ଦିନ ଅତିବାହିତ ହୋଇଥିଲେ ମଧ୍ୟ ସଂପ୍ୃକ୍ତ ଠିକାଦାରଙ୍କ ପକ୍ଷରୁ ଦେଖା ମିଳି ନଥିଲା । ଏହିପରି ଅଭିଯୋଗ ଗତ ସୋମବାର ନାଉଗାଁ ବ୍ଳକ କାର୍ଯ୍ୟାଳୟ ପରିସରରେ ହେଉଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଲଣା ପଂଚାୟତ ମଧୁପୁର ଗ୍ରାମବାସୀଙ୍କ ପକ୍ଷରୁ ତୁଷାରକାନ୍ତ ମହାନ୍ତି ଏବଂ ସୁରେଶ ଚନ୍ଦ୍ର ପରିଡା ଅଭିଯୋଗ କରିଥିଲେ । ସେମାନଙ୍କ ଗ୍ରାମରେ ‘ସୌଭାଗ୍ୟ ଯୋଜନା’ରେ କାର୍ଯ୍ୟ କରୁଥିବା ଠିକାଦାର କେବଳ ଘରର କାନ୍ଥରେ ବିଦ୍ୟୁତ ବୋର୍ଡ ବସାଇ ପଳାଇଛନ୍ତି । ଘର ଠାରୁ ବିଦ୍ୟୁତ ଖୁଂଟ ୩୦ ମିଟରରୁ ଅଧିକ ହେଉଥିବାରୁ ବିଦ୍ୟୁତ ଖୁଂଟର ଆବଶ୍ୟକତା ରହିଛି । ସଂପୃକ୍ତ ଠିକାଦାର ପକ୍ଷରୁ ବିଦ୍ୟୁତ ଖୁଂଟ ପକାଯାଇ ନାହିଁ କି ତାର ଟଣା ଯାଉନାହିଁ । ସଂପୃକ୍ତ ଠିକଦାରଙ୍କୁ ଫୋନ କଲେ ମଧ୍ୟ ସେ ଆଜିକାଲି କହି ଆସୁନଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଯାହାପଳରେ ବିଦ୍ୟୁତ ସଂଯୋଗ ନ ହେବାରୁ ସେମାନେ ହଇରାଣ ହେଉଛନ୍ତି । ସମାନ ଅବସ୍ଥା ଦେଖିବାକୁ ମିଳୁଛି ତିରୁଣା ଓ କୋରୁଅ ପଂଚାୟତରେ । ତିରୁଣା ପଂଚାୟତସ୍ଥିତ ତେଂଟୋଇ ଗ୍ରାମର କାର୍ତିକ ସାହୁ ଓ ଗଣେଶ ସାହୁଙ୍କ ଘରେ ୧୦ମାସ ହେବ ବିଦ୍ୟୁତ ବୋର୍ଡ ଲଗା ଯାଇଛି । କିନ୍ତୁ ବିଦ୍ୟୁତ ଖୁଂଟର ଆବଶ୍ୟକ ଥିବାରୁ ବିଦ୍ୟୁତ ସଂଯୋଗ ଦିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିପରି ଅଭିଯୋଗ କୋରୁଅ ପଂଚାୟତର ସୁରେଶ ବେହେରାଙ୍କ ନିକଟରେ ଦେଖିବାକୁ ମିଳିଛି ତାଙ୍କର ଅଭିଯୋଗ ହେଉଛି ତାଙ୍କ ଘର କାନ୍ଥରେ ଅନ୍ୟ ଜଣେ ହିତାଧିକାରୀଙ୍କୁ ବିଦ୍ୟୁତ ବୋର୍ଡ ଲଗାଇ ଯାଇ ପାଖ ଘରକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି କିନ୍ତୁ ମୋ ନାମରେ ଥିବା ବିଦ୍ୟୁତ ବୋର୍ଡକୁ କେବଳ କାନ୍ଥରେ ବସାଇ ବିଦ୍ୟୁତ ଖୁଂଟ ଆସିଲେ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି କହି ସଂପୃକ୍ତ ଠିକାଦାରଙ୍କ ଆଉ ଦେଖା ନାହିଁ । ଅନ୍ୟପଟରେ ସୌଭାଗ୍ୟ ଯୋଜନାରେ ଯେଉଁମାନଙ୍କ ଘର କାନ୍ଥରେ ବିଦ୍ୟୁତ ବୋର୍ଡ ଲାଗାଯାଇଥିଲା ଅଥଚ ବିଦ୍ୟୁତ ଖୁଂଟ ନଥିବାରୁ ବିଦ୍ୟୁତ ସେବା ପାଇବାରୁ ବଂଚିତ ହୋଇ ରହିଥିଲେ । ସେମାନେ ଫନୀ ବାତ୍ୟା ପରେ ନିଜ ଖର୍ଚ୍ଚରେ ବିଦ୍ୟୁତ ଖୁଂଟ ଆଣି ପକାଇବାରୁ ସଂପୃକ୍ତ ଠିକାଦାର ଆସି ବିଦ୍ୟୁତ ସଂଯୋଗ କରିଥିବା ସେମାନେ କହିଛନ୍ତି । ଏହିପରି ଅନେକ ଗ୍ରାମରେ ବିଦ୍ୟୁତ ବୋର୍ଡ ଦିଆଯାଇଥିଲେ ମଧ୍ୟ ବିଦ୍ୟୁତ ସେବା ପାଇବାରୁ ବଂଚିତ ଥାଇପାରିନ୍ତି ବୋଲି ଆଲୋଚନା ହେଉଛି । ତେଣୁ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟୁତ ବୋର୍ଡ ପାଇଁ ମଧ୍ୟ ବିଦ୍ୟୁତ ସଂଯୋଗରୁ ବଂଚିଥିବା ହିତାଧିକାରୀଙ୍କୁ ତୁରନ୍ତ ବିଦ୍ୟୁତ ସେବା ଯୋଗାଇ ଦେବା ସହିତ ସୌଭଗ୍ୟ ଯୋଜନାରେ ପଡିଥିବା ବିଦ୍ୟୁତ ଖୁଂଟକୁ ଚିହ୍ନଟ କରିବାକୁ ଦାବି ହୋଇଛି । ଯାହାଫଳରେ ଫନୀ ବାତ୍ୟାରେ ପଡିଥିବା ବିଦ୍ୟୁତ ଖୁଂଟ ଜଣାପଡି ବୋଲି ସାଧାରଣରେ ଦାବି ହୋଇଛି । ଏ ସଂର୍ପକରେ ବିଦ୍ୟୁତ ବିଭାଗ ଏସଡିଓଙ୍କର ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ