କୃଷି ଅଧିକାରୀଙ୍କ ଦ୍ୱାରା ସାର ଦୋକାନ ଉପରେ ଚଢାଉ

ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକରେ ସାର କଳା ବଜାରୀକୁ ନେଇ ଶନିବାର ବ୍ଲକ କୃଷି ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଛି । ନାଉଗାଁ ବଜାରର ସମେତ ଗଂଗଦାହାଟରେ ଚଢାଉ କରାଯାଇଥିଲା । ଯେଉଁ ବ୍ୟବସାୟୀମାନେ ବିନା ପଂଜୀକରଣରେ ସାର ବିକ୍ରି କରୁଛନ୍ତି ସେମାନଙ୍କୁ ପଂଜୀକରଣ କରିବା, ଦୋକାନ ସମ୍ମୁଖରେ ସାରର ମୂଲ୍ୟ ସୂଚୀ ଲଗାଇବା, ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ବିକ୍ରୟ କରିବା ପାଇଁ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଯଦି ପୁନର୍ବାର କଳା ବଜାରରେ ବିକ୍ରି କରନ୍ତି ଓ ସରକାରୀ ନିର୍ଦ୍ଦେଶାନାମା ନ ମାନନ୍ତି ତେବେ ଆଇନାନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ସେହିପରି ଗଙ୍ଗଦାହାଟରେ ଥିବା ପ୍ରଶାନ୍ତ ଜେନାଙ୍କ ଦୋକାନରେ ଚଢାଉ କରି ୨ ବସ୍ତା ୟୁରିଆ ସାର ଜବତ କରାଯାଇଥିଲା । ପରେ ଅଧିକାରୀଙ୍କ ଉପସ୍ଥିତିରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଚାଷୀଙ୍କୁ ବିକ୍ରି କରାଯାଇଥିଲା । ଏହି ଚଢାଉରେ ନାଉଗାଁ କୃଷି କାର୍ଯ୍ୟାଳୟ ପକ୍ଷରୁ ସହ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ, ଗଜରାଜପୁର ସହ କୃଷି ଅଧିକାରୀ ତୁଷାର ରଂଜନ ସ୍ୱାଇଁ, ଗ୍ରାମ୍ୟ କୃଷି ସେବକ ବିଶ୍ୱଜିତ ପରିଡା, ସହକାରୀ ବୈଷୟିକ ପ୍ରବନ୍ଧକ ଅଭିଜିତ ସେଠୀଙ୍କ ସହିତ ପୋଲିସ ଅଧିକାରୀ ଭାବେ ଏଏସଆଇ ପ୍ରଦିପ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସାର ବେପାରୀମାନେ ବିନା ପଂଜୀକରଣରେ ସାର ଚଢା ଦରରେ ବିକ୍ରି କରି ଚାଷୀମାନଙ୍କୁ ଏକ ପ୍ରକାର ଶୋଷଣ କରୁଥିବାକୁ ନେଇ ସେପ୍ଟେମ୍ବର ୭ ତାରିଖରେ କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା । ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢୀ, ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ ପ୍ରମୁଖ ଘଟଣାସ୍ଥଳରେ ପହଂଚି କୃଷି କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଏକ ଟିମ ଗଠନ କରାଯାଇ ଚଢାଉ କରାଯିବାର ନିଷ୍ପତି ଗ୍ରହଣ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ନାଉଗାଁ କୃଷି କାର୍ଯ୍ୟାଳୟ ପକ୍ଷରୁ ସେପ୍ଟେମ୍ବର ୯ତାରିଖରେ ସାର ଦୋକାନ ଉପରେ ଲୋକ ଦେଖାଣିଆ ଚଢାଉ କରାଯାଇଥିଲା । ଯାହାର କୌଣସି ପ୍ରଭାବ କଳା ବଜାରୀଙ୍କ ଉପରେ ପଡି ନଥିଲା  ଚାଷୀମାନେ ପୂର୍ବ ପରି କଳା ବଜାରରେ ସାର କ୍ରୟ କରୁଥିଲେ । ପୁନର୍ବାର ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସେପ୍ଟେମ୍ବର ୧୧ ତାରିଖରେ କୃଷି କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ପରେ ଘଟଣାସ୍ଥଳରେ କୃଷି ବିଭାଗର ଜୈନିକ ଊପରୀସ୍ତ ଅଧିକାରୀ ପହଂଚି କୃଷି ବିଭାଗ ଓ ପୋଲିସ ମିଳିତ ଭାବେ ସାର ଦୋକାନ ଉପରେ ଚଢାଉ କରାଯିବା ସହିତ ଆଇନାନୁଯାୟୀ କଳା ବଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ