ରାଜମିସ୍ତ୍ରୀ ତାଲିମ ତାଲିକା ପ୍ରସ୍ତୁତିରେ ଅନିୟମିତତା
ବନ୍ତ, (ଚାନ୍ଦିନୀ ମହାନ୍ତି):ଗ୍ରାମାଞ୍ଚଳର ନିର୍ମାଣ କାର୍ଯ୍ୟ ବିଶେଷକରି ପ୍ରଧାନମନ୍ତ୍ରୀ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଗ୍ରାମାଞ୍ଚଳ ରାଜମିସ୍ତ୍ରୀ ମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଓଡିଶା ସରକାର ସେମାନଙ୍କୁ ପ୍ରୋତ୍ସାହନ ରାଶି ସହିତ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ବିଭିନ୍ନ ସଂସ୍ଥାକୁ ଦାୟୀତ୍ୱ ଦିଆଯାଇଛି । ପ୍ରଶାସନର ସହଯୋଗରେ ବନ୍ତ ବ୍ଲକରେ ଜିନ୍ଦଲ ଗ୍ରୁପ୍ ରାଜମିସ୍ତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରୁଛି । ପ୍ରତି ଗ୍ରାମପଞ୍ଚାୟତରେ ପ୍ରଥମେ ୩୦ ଜଣ ରାଜମିସ୍ତ୍ରୀଙ୍କୁ ତାଲିମ ଦେବାର ବ୍ୟବସ୍ଥା ହୋଇଛି । ରାଜମିସ୍ତ୍ରୀ ତାଲିକା ପ୍ରସ୍ତୁତି ପାଇଁ ସରପଞ୍ଚ ମାନଙ୍କ ଉପରେ ପ୍ରଶାସନ ନିର୍ଭର କରି କେତେକ ପଞ୍ଚାୟତରେ ତାଲିମ କାର୍ଯ୍ୟ ସମାପନ କରି ସାରିଛି । ସେଥିମଧ୍ୟରେ ଅଣିଜୋ, ବଡବର୍ଚ୍ଚିକୟାଁ, ନିଳୋକ, ଟିଲୋ ଗ୍ରାମ ପଞ୍ଚାୟତରେ ୩୦ ଜଣ କରି ରାଜମିସ୍ତ୍ରୀ ମାନଙ୍କୁ ତାଲିମ ଦିଆଯାଇ ସାରିଛି । ଅବଶିଷ୍ଟ ଗ୍ରାମ ପଞ୍ଚାୟତରେ ତାଲିମ ତାଲିକା ପ୍ରସ୍ତୁତ ହେଉଛି । ଅବଶିଷ୍ଟ ଗ୍ରାମ ପଞ୍ଚାୟତ ମଧ୍ୟରୁ କେତେକ ପଞ୍ଚାୟତରେ ତାଲିମ ପାଇଁ ରାଜମିସ୍ତ୍ରୀ ତାଲିକା ସଂପୃକ୍ତ ପଞ୍ଚାୟତର ସରପଞ୍ଚ ମାନେ ପ୍ରସ୍ତୁତ କରି ପ୍ରଶାସନ ପାଖରେ ଦାଖଲ କରିଛନ୍ତି । ଏହି ୨ୟ ପର୍ଯ୍ୟାୟ ତାଲିକା ପ୍ରସ୍ତୁତିରେ ଅନିୟମିତତା ପଦାକୁ ଆସିଛି । ସଂପୃକ୍ତ ପଞ୍ଚାୟତର ସରପଞ୍ଚ ନିଜ ଅଣ ରାଜମିସ୍ତ୍ରୀ ପୁଅର ନାମକୁ ରାଜମିସ୍ତ୍ରୀ ତାଲିକାରେ ସ୍ଥାନ ଦେଇ ପ୍ରୋତ୍ସାହନ ରାଶି ହାତେଇବାକୁ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି । ଉକ୍ତ ପଞ୍ଚାୟତରେ ବହୁ ପ୍ରକୃତ ରାଜମିସ୍ତ୍ରୀ ଥିବା ବେଳେ ସଂପୃକ୍ତ ସରପଞ୍ଚ ନିଜ ଅଣରାଜମିସ୍ତ୍ରୀ ପୁଅର ନାମକୁ ସାମିଲ କରିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲା ପ୍ରଶାସନ ଘଟଣା ସଂପର୍କରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।