୩୦ ଲିଟରରୁ ଉର୍ଦ୍ଧ ମଦ ଜବତ ସହିତ କାର ଓ ଜଣେ ଅଟକ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଛକ ନିକଟରେ ଏକ କାର ନମ୍ବର (ଓଆର ୦୨ ବିପି ୫୮୦୭) ଚୋରା ମଦ ବୋଝେଇ କରି ଆସୁଥିବା ସମୟରେ ଧରାପଡିଥିବା ଜଣାଯାଇଛି । ମଦ ଆସୁଥିବାର ବିଶେଷସୂତ୍ରରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ସ୍କ୍ୱାଡ ଖବର ପାଇ ଗାଡିକୁ ଜବତ କରିଥିଲେ । ପରେ ନାଉଗାଁ ଥାନା ଏଏସଆଇ ଅଶୋକ ମହାନ୍ତି ଘଟଣାସ୍ଥଳରେ ପହଁଚି ଉକ୍ତ ଗାଡି ସହିତ ଚାଳକ ତାପସ କୁମାର ଦାସଙ୍କୁ ଥାନାକୁ ଆଣିଥିଲେ । ଗାଡିଟିକୁ ଜବତ କରାଯାଇଥିବା ବେଳେ ଗାଡି ମଧ୍ୟରୁ ୧୭୦ ବୋତଲ ବିଦେଶୀ ମଦ ଜବତ କରାଯାଇଛି । ଯାହାକି ୩୦ ଲିଟରରୁ ଉର୍ଦ୍ଧ ମଦ ହେବ ବୋଲି ଜଣାଯାଇଛି । ଥାନା ପକ୍ଷରୁ ୧୪୭/୨୦ ରେ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଭରତ କୁମାର ବେହେରା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଉକ୍ତ ମଦ ବ୍ଳକ ଛକ ଠାରେ ଥିବା ସରକାରୀ ମଦ ଦୋକାନରୁ ଆସିଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସରକାରୀ ମଦ ଦୋକାନରୁ ପ୍ରତ୍ୟେହ ଚୋରା ବେପାରୀ ମାନଙ୍କୁ ବେଆଇନ ଭାବେ ମଦ ବିକ୍ରି ଚାଲିଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଯାହାଫଳରେ ଉକ୍ତ ମଦ ଦୋକାନ ବିଭିନ୍ନ ବ୍ରାଣ୍ଡରେ ଥିବା ପ୍ରିଂଟ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ନେଉଥିବା ବେଳେ ଚୋରା ବେପାରୀଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଜଣାଯାଇଛି । ଏବିଷୟରେ ଥାନାଧିକାରୀ ବେହେରା ଙ୍କୁ ପଚାରିବାରୁ ମଦ କେଉଁଠୁ ଆସିଛି ତଦନ୍ତ ପରେ ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ