ଜିଲ୍ଲାସ୍ତରୀୟ ବନ୍ୟା ଉଦ୍ଧାର ମକଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ଓ୍ବାଇଏନ୍ଏସ୍):ଆଜି ସ୍ଥାନୀୟ ସଦଭାବନା ସଭାଗୃହଠାରେ ଅକ୍ଟୋବର ୨୯ତାରିଖ ଦିନ ହେବାକୁ ଥିବା ବନ୍ୟା ଉଦ୍ଧାର ମକଡ୍ରିଲ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ହରିଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୀଳଗିରି ବ୍ଲକ ଅଯୋଧ୍ୟା ଗ୍ରାମ ପଂଚାୟତର ଖସାପଡିଆ ଗ୍ରାମ ସୋନ ନଦୀ ତଟରେ ଆସନ୍ତା କାଲି ହେବାକୁ ଥିବା ବନ୍ୟା ଉଦ୍ଧାର ମକଡ୍ରିଲ ନିମନ୍ତେ ହୋଇଥିବା ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟତଃ ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟକୁ ତ୍ୱରନ୍ୱିତ କରିବା ପାଇଁ କିଭଳି ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କିତ ବିଭିନ୍ନ କୌଶଳ ପ୍ରଦର୍ଶିତ କରାଯିବା ସହିତ ଏ ସମ୍ପର୍କରେ ଅଭ୍ୟାସ ଏହି ମକଡ୍ରିଲରେ କରାଯିବ । ବାଲେଶ୍ୱର ଜିଲ୍ଲା ବିଭିନ୍ନ ସମୟରେ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ଉପଯୁକ୍ତ ଯୋଜନା ଓ ପୂର୍ବ ପ୍ରସ୍ତୁତି ଦ୍ୱାରା ଧନଜୀବନର ସୁରକ୍ଷା ହୋଇପାରିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ । ମକଡ୍ରିଲ ସମୟରେ ଧନଜୀବନର ରକ୍ଷାକୁ କିଭଳି ପ୍ରାଧାନ୍ୟ ଦିଆଯିବ ସେ ସମ୍ବଦ୍ଧିତ କୌଶଳ ପ୍ରଦର୍ଶନ କରାଯିବ । ଗର୍ଭବତୀ ମହିଳା, ଦିବ୍ୟାଙ୍ଗ ବ୍ୟକ୍ତି, ବୃଦ୍ଧ-ବୃଦ୍ଧା ଏବଂ ଶିଶୁମାନଙ୍କୁ ପ୍ରାଥମିକତା ଦେଇ ଉଦ୍ଧାର କାର୍ଯ୍ୟ ସମ୍ପନ୍ନ କରିବା ନିମନ୍ତେ ଗୁରୁତ୍ୱ ଦେବାକୁ ଅଂଶଗ୍ରହଣକାରୀମାନଙ୍କୁ ଏଥିରେ ତାଲିମ ପ୍ରଦାନ କରାଯିବ । ଆଜିର ବୈଠକରେ ଏନ.ଡି.ଆର.ଏଫ. ଡେପୁଟୀ କମାଣ୍ଡଂଟ ଶ୍ରୀ ବର୍ଦ୍ଧମାନ ମିଶ୍ରା ଯୋଗ ଦେଇ ନିଜର ଅନୁଭୂତି ବଖାଣିବା ସହ ବନ୍ୟା ସମୟରେ କିଭଳି ଭାବେ ସୂଚାରୁ ରୂପେ ଉଦ୍ଧାର କାର୍ଯ୍ୟକୁ ସମ୍ପନ୍ନ କରାଯିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ତାପସ କୁମାର ସେଠୀ,ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଓସଡାମା ଶ୍ରୀ ଅବନୀକାନ୍ତ ଭୂୟାଁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ୟୁ.ଏନ.ଡି.ପି. ଶ୍ରୀ ଗୋପାଳ ବାରିକ ପ୍ରମୁଖ ମଂଚାସୀନ ଥିବା ବେଳେ ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀ ପୂରନ ସୋରେନ୍, ବିଭିନ୍ନ ଏନ.ଜି.ଓ.ର ସମ୍ପାଦକମାନେ ବୈଠକରେ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ । ଓସଡାମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଅବନୀକାନ୍ତ ଭୂୟାଁ ଏବଂ ଏନଡିଆରଏଫ ଇନସପେକ୍ଟର ଶ୍ରୀ ମନୋରଞ୍ଜନ ମହାନ୍ତି ମକଡ୍ରିଲର ବିଭିନ୍ନ ଦିଗ, ଟେବୁଲ ଟପ ଏକ୍ସରସାଇଜ ଓ ବନ୍ୟା ସମୟରେ ସୂଚନା ପ୍ରଦାନ ଏବଂ ଉଦ୍ଧାର କାର୍ଯ୍ୟର ପରିଚାଳନା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ ।


