ବିଦ୍ୟାଳୟ ମିଶ୍ରଣ ଯୋଜନା ସର୍ବଶିକ୍ଷା ଯୋଜନାର ପରିପନ୍ଥୀ :- ଜନଶକ୍ତି ପାର୍ଟି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ସରକାରଙ୍କ ସର୍ବଶିକ୍ଷା ଯୋଜନାର ‘ସଭିଏଁ ପଢନ୍ତୁ ସଭିଁଏ ବଢନ୍ତୁ’ ସ୍ଲୋଗାନ ଏବେ ବିଦ୍ୟାଳୟ ମିଶ୍ରଣ ଯୋଜନାରେ ଗରିବଙ୍କ ପାଠପଢାରେ ଡୋରି ବାନ୍ଧିବ । ପ୍ରଥମେ ଗ୍ରାମର ପିଲାମାନେ ଦୂରକୁ ନ ଯାଇ ନିଜ ଗ୍ରାମରେ ପଢିବା ପାଇଁ ଯୋଜନା କରି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସର୍ବଶିକ୍ଷା ଯୋଜନାରେ ପ୍ରତି ଗ୍ରାମରେ ଗୋଟିଏ ଲେଖାଁଏ ପ୍ରାଥମିକ ବିଦ୍ୟାଳୟ ଖୋଲାଯାଇଥିଲା । ହେଲେ ପ୍ରତି ଗ୍ରାମରେ ଥିବା ଧନୀ ଓ ସରକାରୀ ଚାକିରିଆମାନେ ଆର୍ଥିକ ସ୍ୱଚ୍ଛଳତା ହେତୁ ସେମାନଙ୍କ ପିଲାମାନଙ୍କୁ ବିଭିନ୍ନ ବେସରକାରୀ ବିଦ୍ୟାଳୟରେ ପଢାଉଥିବା ବେଳେ ଗ୍ରାମ ବିଦ୍ୟାଳୟରେ ଅଧିକାଂଶ ଗରିବ ପରିବାରର ପିଲାମାନେ ପଢିଆସୁଛନ୍ତି । ବର୍ତମାନ ସରକାରଙ୍କ ନିଷ୍ପତି ଅନୁଯାୟୀ ଯେଉଁ ବିଦ୍ୟାଳୟରେ ୨୦ ଜଣରୁ କମ୍ ଛାତ୍ରଛାତ୍ରୀ ରହିଛନ୍ତି ସେହି ବିଦ୍ୟାଳୟ ଗୁଡିକୁ ଏକ କିଲୋମିଟର ଦ୍ୱରରେ ଥିବା ବିଦ୍ୟାଳୟରେ ମିଶ୍ରଣ କରିବାକୁ ପଦକ୍ଷେପ ନିଆଯାଇଛି । ଏହା ଫଳରେ ବହୁ ଗରିବ ପରିବାରର ଛାତ୍ରଛାତ୍ରୀମାନେ ନିଜ ଗ୍ରାମ ଛାଡି ଅନ୍ୟ ଗ୍ରାମକୁ ଯିବା ପାଇଁ କୁଣ୍ଠିତ ହେଉଥିବା ବେଳେ ଦିନ ମଜୁରିଆ ଶ୍ରେଣୀର ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଗାଁରୁ ଦୂରକୁ ପାଠ ପଢାଇବା ପାଇଁ ପଠାଇବାକୁ ଉଚିତ୍ ମଣୁ ନାହାଁନ୍ତି । ଏହି ମିଶ୍ରଣ ଯୋଜନା ଦ୍ୱାରା ସରକାରୀ ଅର୍ଥରେ ନିର୍ମିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ଗୃହଟି ଅବ୍ୟବହୃତ ହୋଇ ପଡି ରହିବା ସହିତ ବହୁ ଗରୀବ ମେଧାବୀ ଛାତ୍ରଛାତ୍ରୀ ସେମାନଙ୍କ ପାଠପଢାରେ ଡୋରି ବାନ୍ଧିବେ ବୋଲି ସ୍ଥାନୀୟ ପବ୍ଲିକ ରିଡିଂ ରୁମ ପରିସରରେ ଏହି ଉପଲକ୍ଷେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ କ୍ଷୋଭର ସହ ପ୍ରକାଶ କରିଛନ୍ତି । ବର୍ତମାନ ପରିସ୍ଥିତିରେ ଗ୍ରାମ ମାନଙ୍କରେ ଭିତିଭୂମି ନ ଥାଇ ଛତୁଫୁଟିଲା ଭଳି ବେସରକାରୀ ବିଦ୍ୟାଳୟକୁ ପ୍ରଶାସନ ଓ ସରକାର ପୋତ୍ସାହନ ଦେଉଥିବା ବେଳେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡିକ ବନ୍ଦ କରି ଗରିବ ପିଲାଙ୍କୁ ଶିକ୍ଷାଲାଭରୁ ବଂଚିତ କରିବା ଏକ ଅଗଣତାନ୍ତ୍ରିକ ନିଷ୍ପତି ବୋଲି ସେ କହିଛନ୍ତି । ଯେଉଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡିକ ବନ୍ଦ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି ତାହାକୁ ପ୍ରତ୍ୟାହାର କରାନଗଲେ ଜନଶକ୍ତି ପାର୍ଟି ପକ୍ଷରୁ ଆଗାମୀ ଦିନରେ ରାଜ୍ୟବ୍ୟାପି ବିରାଟ ଜନଆନ୍ଦୋଳନ କରାଯିବ ବୋଲି ସଭାପତି ଶ୍ରୀ ଦାଶ କହିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ଶାସନ କରୁଥିବା ରାଜ୍ୟ ସରକାର ସ୍କୁଲ ଭାଙ୍ଗିବାକୁ ନିଷ୍ପତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ତୁରନ୍ତ ବେସରକାରୀ ବିଦ୍ୟାଳୟ ପରି ଶିକ୍ଷାଦାନର ବ୍ୟବସ୍ଥା କରାଗଲେ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲରେ ପଢିବା ପାଇଁ ବିମୁଖ ହେବେ ନାହିଁ ବୋଲି ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ଶ୍ରୀ ଦାଶ ମତବ୍ୟକ୍ତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରମିକ ନେତା ରମେଶ ଥାଟୋଇ, ସମବାୟ ସଭାପତି ପ୍ରଶାନ୍ତ ନାୟକ, ସଂଖ୍ୟାଲଘୁ ନେତା ସେକ ଅମିରୁଦ୍ଦିନ, ଦଳିତ ସେଲ ସଭାପତି ବିବେକ ନାୟକ, ଦିଲ୍ଲିପ ଜେନା, ପ୍ରଭାତ ବେହେରା, ଅମରବର ବିଶ୍ୱାଳ, ଶାନ୍ତନୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଗୋଲଖ ସେଠୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ