ଖଜୁରୀ ତାଡି କଟାକୁ ନେଇ ହତ୍ୟା, ହତ୍ୟାକାରୀ ଗିରଫ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ଲାଇଲାଇ ପଞ୍ଚାତର କୁରୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଖଜୁରୀ ଗଛ କଟାକୁ କେନ୍ଦ୍ର କରି ଜଣକୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ସମ୍ବରା ଶବର (୫୦) ଏହାକୁ ଭିତ୍ତି କରି ରାୟଗଡ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ଚଳିତ ମାସ ୨୪ ତାରିଖ ସନ୍ଧ୍ୟା ସମୟରେ କରୁଡା ଗ୍ରାମର ସମ୍ବରା ଶବର ତା ନିଜ ବଗଡରେଥିବା ଖଜୁରୀ ଗଛକୁ କାଟୁଥିବାବେଳେ ସେଠାରେ ସେହି ଗ୍ରାମର ଲାଜୁ ଶବର(୪୨) ପହଞ୍ôଚ ଉକ୍ତ ଗଛକୁ ମୁଁ କାଟିବି ବୋଲି କହିଥିଲେ । ଏହା ଶୁଣି ସମ୍ବରା ମୋ ଗଛ ତୁ କାହିଁକି କାଟିବୁ ମୁଁ କାଟିବି ବୋଲି କହିଥିଲେ । ତେବେ ଉକ୍ତ କଥାକୁନେଇ ପ୍ରଥମେ କଥାକଟାକଟି ଓ ପରେ ଉଭ୍ୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ଧସ୍ତାଧସ୍ତି ହୋଇଥିଲା । ଏହି ଘଟଣା ବେଳେ ସମ୍ବରାଙ୍କ ଶଳା ଦେଖି ଉକ୍ତ ସ୍ଥାନରୁ ଚାଲି ଯାଇଥିଲେ । ପରେ ସମ୍ବରା ଓ ଲାଜୁଙ୍କ ମଧ୍ୟରେ ପାଟିତୁଣ୍ଡ ଉଗ୍ରରୂପ ହୋଇଥିଲା । ସେଥିରେ ଲାଜୁ ଉତ୍କ୍ଷୀପ୍ତ ହୋଇ ସମ୍ବରାକୁ ମାରି ଦେଇଥିଲେ । ଘଟଣାସ୍ଥଳରେ ହିଁ ସମ୍ବରାର ମୃତ୍ୟୁ ହୋଇଥିଲା ଏବଂ ସେଠାରେହିଁ ପଡି ରହିଥିଲା । ସେଦିନ ସମ୍ବରା ଘରେ ତା ସ୍ତ୍ରୀ କିମ୍ବା ପୁଅମାନେ କେହିନଥିଲେ । ୨୫ ତାରିଖରେ ସମ୍ବରାର ଶଳା ଡେମା ଶବର ଗାଇ ଚରାଇବାକୁ ଯାଇଥିଲେ ଏବଂ ସେଠାରୁ ସେ ଆସି ସମ୍ବରାକୁ ଖୋଜାଖୋଜି କରିଥିଲେ । ପରେ ସେ ଉକ୍ତ ବଗଡ ସ୍ଥାନକୁ ଯାଇ ଦେଖିବାବେଳେ ସେଠାରେ ସମ୍ବରାଙ୍କ ମୃତ ଦେହ ପଡି ରହିଥିଲା । ଏହାପରେ ସମ୍ବରାର ଶଳା ଡେମା ରାୟଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ନେଇ ରାୟଗଡ ଥାନାରେ ଏକ ମାମଲା ନଂ ୮୫/୨୦ରେ ରୁଜୁ କରି ଅଭିଯୁକ୍ତ ଲାଜୁ ଶବରକୁ ଗିରଫ କରି କୋର୍ଟଚାଲାଣ କରିଥିବାର ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ସୂଚନା ଦେଇଛନ୍ତି ।


