ହଦଗଡ ପଞ୍ଚାୟତରେ ଆଦିବାସୀଙ୍କ ମେଳି

ହାଟଡିହି,(ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହଦଗଡ ପଞ୍ଚାୟତର ଦଲକି, ପିତାନାଉ, ଜୁଣପସି ଆଦି ଗ୍ରାମର ଆଦିବାସୀ ମାନେ ସରକାରଙ୍କ ପୁନଃ ବିସ୍ଥାପିତକୁ ବିରୋଧ କରି ମେଳି କରିଛନ୍ତି । ପିତାନାଉ ଗ୍ରାମବାସୀଙ୍କୁ ଏବେ ଅଭୟାରଣ୍ୟ ମଧରୁ ବିସ୍ଥାପିତ କରାଯିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ବେଳେ ଏହାକୁ ବିରୋଧ କରି ଅଧିବାସୀ ମାନେ ଆଜି ମେଳି କରିଛନ୍ତି । ସେମାନେ ୧୯୭୧ ମସିହାରୁ ହଦଗଡ ଶାଳନ୍ଦୀ ଡ୍ୟାମ ନିର୍ମାଣ ସମୟରେ ବିସ୍ଥାପିତ ହୋଇ ପିତାନାଉ, ଦଲକି, ଯୁଣପସି ଆଦି ଗ୍ରାମରେ ରହି ଆସିଛନ୍ତି । ଗତ ବର୍ଷ ପିତାନାଉ ଗ୍ରାମର ୨୦ଭାଗ ଲୋକଙ୍କୁ ବନ ବିଭାଗ ପକ୍ଷରୁ ବିସ୍ଥାପନ କରାଯାଇ ଢ଼େଙ୍କା ପଞ୍ଚାୟତର ଝଣଝଣା ନିକଟରେ ଅବସ୍ଥାପିତ କରାଯାଇଛି । କିନ୍ତୁ ପିତାନାଉ ଗ୍ରାମରେ ଏବେବି ୮୦ଭାଗ ଲୋକ ବାସକରୁଛନ୍ତି । ସେହିପରି ଦଲକି, ରତ୍ନମରା, ପିତାନାଉ, ଜୁଣପସି ଆଦି ଗ୍ରାମ ଗୁଡିକରେ ଦୁଇହଜାରରୁ ଉର୍ଦ୍ଧ ଲୋକ ବସବାସ କରୁଥିବାବେଳେ ବନ ବିଭାଗ ଅଭୟାରଣ୍ୟ ନାମରେ ସେମାନଙ୍କୁ ସବୁବେଳେ ନାନା ଅସୁବିଧାରେ ପକାଇ ଆସୁଛି ବୋଲି ଅଧିବାସୀ ମାନେ ଅଭିଯୋଗ କରିଛନ୍ତି । ଏଠାରେ ବସବାସ କରୁଥିବା ଆଦିବାସୀମାନେ ସେମାନଙ୍କ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ନାନା ଦୁଃଖକଷ୍ଟରେ ରହୁଛନ୍ତି । ସରକାରଙ୍କ ପକ୍ଷରୁ ସମସ୍ତ ଗାଁକୁ ରାସ୍ତାଘାଟ ନିର୍ମାଣ କରାଯାଉଥିବାବେଳେ ହସ୍ତୀ ଅଭୟାରଣ୍ୟ ନାମରେ ଏହି ଗ୍ରାମର ବାସିନ୍ଦାମାନେ ରାସ୍ତା ଖଣ୍ଡିଏ ପାଇପାରୁ ନାହାନ୍ତି । ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ରୋଗୀ କିମ୍ବା ଗର୍ଭବତୀ ପ୍ରସୁତୀ ମହିଳା ମାନଙ୍କୁ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନସ ଟିଏ ମଧ୍ୟ ଆସି ପାରୁନି । ଯାହାଦ୍ୱାରାକି ଏହି ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ରହିଥାନ୍ତି । ସେହିପରି ଏହି ଗାଁ ଗୁଡିକରେ ଦୁଇ ହଜାରରୁ ଉର୍ଦ୍ଧ ଲୋକବସବାସ କରୁଥିବାବେଳେ ଏଠାରେ ବିଦ୍ୟୁତର କୌଣସି ସୁବିଧା ନଥିବାବେଳେ ଟେଲିଫୋନର ମଧ୍ୟ କୌଣସି ସୁବିଧା ସୁଯୋଗ ନାହିଁ । ପାନୀୟ ଜଳ ସମସ୍ୟା କଥା କହିଲେ ନସରେ । ଗତ ୨୦୧୩ରେ ଦଲକି, ପିତାନାଉ, ରତ୍ନମରା, ଜୁଣପସି ଆଦି ଗ୍ରାମରେ ମାତ୍ର କେତେଗୋଟି ନଳକୂପ ବସାଯାଇଥିଲେ ବି ତାହା ଠିକ ଭାବରେ କାର୍ଯ୍ୟକ୍ଷମ ହୋଇପାରିଲାନି । ଫଳରେ ଏହି ଗ୍ରାମର ଲୋକମାନେ ପାନୀୟଜଳ ଟୋପାଏ ପାଇପାରୁ ନାହାନ୍ତି । ସେହିପରି କାଠକଟା ଠାରେ ଜଂଗଲ ବିଭାଗ ପକ୍ଷରୁ ଏକ ଗେଟ ନିର୍ମାଣ କରାଯାଇ ଏହି ଗ୍ରାମକୁ ଯାଉଥିବା ଲୋକ ମାନଙ୍କୁ ଆକଟ କରାଯାଉଛି । ୧୦୮ ଆମ୍ବୁଲାନସକୁ ମଧ୍ୟ ଭିତରକୁ ଛଡାଯାଉ ନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।  କୌଣସି ବନ୍ଧୁ ବାନ୍ଧବ ଗାଁକୁ ଆସିଲେ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅଟକ ରଖାଯାଇ ବହୁ କୈଫିୟତ ଦେବାପରେ ଯାଇ ଛଡାଯାଉଛି । ଗାଁ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ଘର ଖଣ୍ଡିଏ କରିବାକୁ ଚାହୁଁଥିଲେ ବି ଘର କରିବାକୁ ଅଣାଯାଉଥିବା କଞ୍ଚା ମାଲ ଟ୍ରାକ୍ଟରକୁ ଗେଟ ଦେଇ ଭିତରକୁ ଛଡା ଯାଉ ନାହିଁ । ଯାହାଦ୍ୱାରାକି ଏହି ୩/୪ଟି ଗ୍ରାମର ଲୋକମାନେ ଜଂଗଲଜମି ପଟା ପାଇ ମଧ୍ୟ ଆବାସ ଯୋଜନା ଘରଖଣ୍ଡିଏ ନିର୍ମାଣ କରାପାରୁ ନାହିଁନ୍ତି । ଯଦି ବନ ବିଭାଗ ପକ୍ଷରୁ ଆମ ମାନଙ୍କୁ ବିସ୍ଥାପନ କରାଯିବାକୁ ଥିଲା ତେବେ ଆମକୁ ଜଂଗଲ ଜମି ପଟ୍ଟା ଦିଆଯାଉଥିଲା କାହିଁକି ବୋଲି ଗ୍ରାମବାସୀମନେ ପ୍ରଶ୍ନ କରିଛନ୍ତି । ପ୍ରଥମେ ଡ୍ୟାମ ନିର୍ମାଣ ପାଇଁ ବିସ୍ଥାପିତ ହୋଇ ବହୁ କଷ୍ଟ ସ୍ୱିକାର କରି ଏଠାରେ ବର୍ଷବର୍ଷ ଧରି ରହିଲୁ ଏବେ ପୁଣି ଅଭୟାରଣ୍ୟ ନାମରେ ଆମକୁ ବିସ୍ଥାପନ କରିବାକୁ ସରକାର ଯୋଜନା କରିଛନ୍ତି । ତେଣୁ ଆମେ ଭିଟାମାଟି ଛାଡିବୁ ନାହିଁ ବୋଲି ଗ୍ରାମବାସୀମାନେ ଆଜି ନିଷ୍ପତି ନେଇଛନ୍ତି । ଏହି ସବୁ ଗ୍ରାମରେ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ମାନ କରାଯାଇଥିଲେବି କୌଣସି ପ୍ରତିକାର କରାଯାଇ ପାରିନାହିଁ । ଫଳରେ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆଜି ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସଙ୍କ ଉପସ୍ଥିତିରେ ମାସାଙ୍ଗ ହାଁସଦା, ଗାଁ ମୁଖିଆ ବରୁଣ ବେହେରା, ରାମଚନ୍ଦ୍ର ବିନିସିଆ, ୱାର୍ଡ ସଭ୍ୟ ରବିନ୍ଦ୍ର ବେହେରା, ମଲ୍ଲୀ ଦଣ୍ଡପାଟ, ସୁବା ସେନାପତି, ବାସନ୍ତି ସେନାପତି, ପୁର୍ଣ୍ଣିମା ବେହେରା, ସୁବାସୀ ବିଶ୍ୱାଳ, ଜାହାଦୀ ପଇଦା, ରେବତୀ ତାସମାଣିଆ, ବନବାସୀ ବେହେରା, ସୁକାନ୍ତୀ ଖଟୁଆ, ମାର୍କଣ୍ଡ ହୋ, ଅନାଦି କସିମାଳିଆ, ବାସନ୍ତି ବଇଶାଳିଆ, ଜୟନ୍ତୀ ପଇଦା, ଝାଟି ଖଟୁଆ, ପାନି କଳପାଳିଆ, ବିନା ବେହେରା, ଙ୍କ ସମେତ ଶତାଧିକ ଗ୍ରାମବାସୀ ଏହି ବୈଠକରେ ସାମିଲ ହୋଇ ପ୍ରଶାସନ ପକ୍ଷରୁ ଆସନ୍ତା ୧ତାରିଖରେ ହେବାକୁଥିବା ଗ୍ରାମସଭାରେ ସାମିଲ ହୋଇ ସରକାରଙ୍କ ବିସ୍ଥାପିତ ପ୍ରସ୍ତାବକୁ ବିରୋଧ କରିବେ ବୋଲି ନିଷ୍ପତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ