ଜିଲ୍ଲା ସଡକ ନିରାପତ୍ତା କମିଟି ବୈଠକ
ଛତ୍ରପୁର, : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଜିଲ୍ଲା ସଡକ ନିରାପତ୍ତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆରଟିଓ କାର୍ଯ୍ୟାଳୟ ଓ ବାହାରେ ସଂପୂର୍ଣ୍ଣ ଦଲାଲ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଏହାକୁ କଡାକଡି ପାଳନ କରାଯିବ । ପ୍ରଶାସନ ଅଧିକାରୀମାନେ ଛଦ୍ମ ଭାବେ କାର୍ଯ୍ୟାଳୟରେ ଦଲାଲଙ୍କ ଗତିବିଧି ଉପରେ ନଜର ରଖାଯିବ । ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଭାଗ କାର୍ଯ୍ୟାଳୟର କର୍ମଚାରୀ ଏବଂ ଶିକ୍ଷକମାନେ ସ୍କୁଲ ଓ କାର୍ଯ୍ୟାଳୟକୁ ଗାଡି ଚାଳନା ବେଳେ ହେଲମେଟ୍ ଏବଂ ଅନ୍ୟାନ୍ୟ ଟ୍ରଫିକ ନିୟମକୁ ଉଲ୍ଲଂଘନ କଲେ ମଧ୍ୟ ସେମାନଙ୍କୁ ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିପାଇଁ ଆଜି ଠାରୁ ସମସ୍ତ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଯିବ । ବେପାରୁଆ ଗାଡି ଚାଳନା ପ୍ରତି ଦୃଷ୍ଟି ରଖିବା ପାଇଁ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ସିସିଟିଭି ପ୍ରଚଳନ ହେବ । ଛତ୍ରପୁର ଓ ହଳଦିଆପଦର ଠାରେ ସିସିଟିଭି ଗୁଡିକର କଣ୍ଟ୍ରୋଲ୍ ରୁମ୍ ରହିବ । ପରିବହନ ଓ ପୁଲିସ ବିଭାଗର ଜଣେ ଲେଖାଁଏ କର୍ମଚାରୀ ସେଠାରେ ଉପସ୍ଥିତ ରହି ଜାତୀୟ ରାଜପଥରେ ଟ୍ରାଫିକ୍ ନିୟକୁ ଉଲ୍ଲଂଘନ କରୁଥିବା ବେପାରୁଆ ଗାଡି ଚାଳକ ପ୍ରତି ଜରିମାନା ଆଦାୟ କରିବାରେ ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି । ପରିବହନ ଓ ପୁଲିସ ବିଭାଗର ସମନ୍ୱୟ ରଖି କେଶପୁର ଠାରୁ ଗୋଳନ୍ଥରା ପର୍ଯ୍ୟନ୍ତ ଜାତୀୟ ରାଜପଥ ଅଞ୍ଚଳରେ ସିସିଟିଭି ପ୍ରଚଳନ କ୍ଷେତ୍ରରେ ବିଭାଗୀୟ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେବା କୁହାଯାଇଛି । ଜାତୀୟ ରାଜପଥରେ ଯେ କୌଣସି ଲୋକଙ୍କ ଗାଇଗୋରୁ ବୁଲୁଥିବା ଦେଖିଲେ ତାକୁ ଉଠାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଖଲ୍ଲିକୋଟ ଅଞ୍ଚଳ ଜାତୀୟ ରାଜପଥ ଗୁଡିକରେ କିଛି ଅସମାଜିକ ବ୍ୟକ୍ତିମାନେ ଘାଟି ଅଞ୍ଚଳରେ ଦାଦାବଟି ଆଦାୟ କରୁଛନ୍ତି । ଏଣୁ ଘାଟି ଅନ୍ଧାରିଆ ଅଞ୍ଚଳରେ ସୌରଚାଳିତ ଲାଇଟ୍ ଓ ପୁଲିସ ପେଟ୍ରୋଲିଂ କଡାକଡି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁର ସହରରେ ବେଆଇନ୍ ବସ୍ ରହଣୀ କରାଗଲେ ଜରିମାନା ଆଦାୟ କରାଯିବ ବୋଲି ବସ୍ ମାଲିକ୍ ସଂଘକୁ ସୂଚନା ଦିଆଯାଇଛି । ଜିଲ୍ଲାର ସମସ୍ତ କଲେଜ ଗୁଡିକରେ ଲର୍ଣ୍ଣିଂ ଲାଇସେନ୍ସ୍ ପାଇଁ ପରିବହନ ବିଭାଗର ଶିବିର ଆୟୋଜନ କରାଯିବ । କଲେଜ ଗୁଡିକରେ ବିନା ହେଲମେଟ୍, ତିନିଜଣ ବସିଆସୁଥିବା ଛାତ୍ର ମାନଙ୍କ ଉପରେ ତୀକ୍ଷଣ ଦୃଷ୍ଟି ଦିଆଯିବ । ନଚେତ ସଂପୃକ୍ତ ପ୍ରିନ୍ସପାଲ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଟ୍ରକ ମାଲିସ ସଂଘ ଜାତୀୟ ରାଜପଥ କଡରେ ପାର୍କିଂ କରିବା ପାଇଁ ଘରୋଇ ଜମିକୁ ଚିହ୍ନଟ କାରଗଲେ ପାର୍କିଂ ସହିତ ଅନ୍ୟାନ୍ୟ ସୁବିଧା ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ମଧ୍ୟସ୍ଥା କରିବ ବୋଲି କୁହାଯାଇଛି । ଜାତୀୟ ରାଜପଥ ବିଭାଗର କର୍ମଚାରୀ ଗତ ବୈଠକରେ ଦିଆଯାଇଥିବା କିଛି ପ୍ରସ୍ତାବକୁ କାର୍ଯ୍ୟ କରିନଥିବାରୁ ବ୍ର୍ହ୍ମପୁର ବିଏମ୍ସି କମିଶନର ବିଭାଗୀୟ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁୁର ମହାନଗର ନିଗମ କମିଶନର ଚକ୍୍ରବର୍ତ୍ତୀ ସିଂ ରାଠୋର, ଗଂଜାମ ଏସ୍ପି ବ୍ରିଜେଶ କୁମାର ରାଏ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ଜିଲ୍ଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡା, ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁପ୍ରସାଦ ସୁପକାର, ଛତ୍ରପୁର ଏସ୍ଡିପିଓ ଉକ୍ରଳ କେଶରୀ ଦାଶ, ବ୍ରହ୍ମପୁର ଟ୍ରାଫିକ୍ ଡିଏସ୍ପି ରାମକୃଷ୍ଣ ପତି, କମିଟିର ସଭ୍ୟ ତଥା ଯୁବ ସାମ୍ବାଦିକ ବସନ୍ତ କୁମାର ମହାରଣା ଓ ଅନୀଲ କୁମାର ପାଢୀଙ୍କ ସମେତ ଅନ୍ୟାନ୍ୟ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଗଞ୍ଜାମ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ ବୈଠକକୁ ପରିଚାଳନା କରିଥିଲେ ।