ନାବାଳିକା ଦୁଷ୍କର୍ମ ଘଟଣାରେ ପିଡିତାଙ୍କୁ ଡାକ୍ତରୀ ପରୀକ୍ଷା କରାନଯିବା ଓ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ମାମଲା ରୁଜୁ କରାଯାଇଥିଲେବି ପିଡିତାକୁ ଡାକ୍ତରୀ ପରୀକ୍ଷା କରାନଯିବା ଓ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ସମ୍ପର୍କରେ ପିଡିତାଙ୍କ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁଯାଇ ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଭୁଇଁପୁର(ବନ୍ଧସାହି) ଗ୍ରାମର ଜନୈକ ୫ବର୍ଷର ନାବାଳିକାକୁ ଗତ ନଭେମ୍ବରମାସ ୨୩ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ତାଙ୍କ ଘର ଦାଣ୍ଡରେ ଖେଳୁଥିବା ବେଳେ ସେହି ଗ୍ରାମର ସ୍ୱର୍ଗତ ଚିନ୍ତାମଣୀ ପାତ୍ରଙ୍କ ପୁଅ ସୁନାକର ପାତ୍ର ସଂପୃକ୍ତ ନାବାଳିକାଙ୍କୁ ନିକଟସ୍ଥ କ୍ୟାବିନ ଭିତରକୁ ଟେକିନେଇ କବାଟ ବନ୍ଦ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପିଡିତାଙ୍କ ମା’ ଘର ବାହାରକୁ ଆସି ଦେଖିବାକୁ ପାଇଥିଲେ ଯେ ତାଙ୍କ ନାବାଳିକା ଝିଅ ସୁନାକରଙ୍କ କ୍ୟାବିନ ସମ୍ମୁଖରେ ପଡିଛି । ସେ ଘର ଭିତରକୁ ଝିଅକୁ ଟେକିନେଇ ଦେଖିଲା ବେଳକୁ ତାଙ୍କ ଝିଅର ସମ୍ବେଦନଶୀଳ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଏସମ୍ପର୍କରେ ସେ ସୁନାକରକୁ ପଚାରିବାରେ ସେ କିଛି ନଶୁଣିବାରୁ ସ୍ଥାନୀୟ ଲୋକଙ୍କୁ ଜଣାଇବାରେ ସୁନାକରଙ୍କ ପୁତ୍ର ସୁବାଷ ପାତ୍ର ସେଠାରେ ପହଁଚି ତାଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଧକ୍କା ମାରିଥିବା ଅଭିଯୋଗ ହୋଇଛି । ସେ ଥାନାକୁ ଅଭିଯୋଗ କରିବାକୁ ଗଲେ ତାଙ୍କୁ ଦୁଷ୍କର୍ମ କରିବେ ବୋଲି ସୁବାଷ ଧମକ ଦେଇଥିଲେ । ସୁବାଷଙ୍କ ଏଭଳି ବ୍ୟବହାରରେ ସେ ଅତ୍ୟନ୍ତ ଅତିଷ୍ଟ ହୋଇ ଆଳି ଥାନାକୁ ଅଭିଯୋଗ କରିବା ପାଇଁ ଯାଉଥିବା ବେଳେ ସେହି ଗ୍ରାମର ସର୍ବେଶ୍ୱର ପାତ୍ରଙ୍କ ପୁଅ ପପୁ ପାତ୍ର ତାଙ୍କୁ ଜବରଦସ୍ତି ବାଟରୁ ଫେରାଇ ନେଇ କୈାଣସି ସହାଯ୍ୟ କରିବା ପରିବର୍ତେ ପିଡିତାଙ୍କ ମା’ଙ୍କୁ ନଜରବନ୍ଦି କରି ରଖିଥିବା ଅଭିଯୋଗ ହୋଇଛି । ପରଦିନ ନାବାଳିକା ଝିଅର ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ପପୁ ପାତ୍ର ତାଙ୍କୁ ଯୋର ଜବରଦସ୍ତ ଯାଜପୁର ନେଇଯାଇ ସେଠାରେ ଜଣେ ଡାକ୍ତରଙ୍କୁ ତାଙ୍କ ନାବାଳିକା ଝିଅକୁ ଦେଖାଇବାରେ ସେହି ଡାକ୍ତର ଜଣଙ୍କ ଔଷଧ ଲେଖିଦେବା ସହ ତୁରନ୍ତ ପୋଲିସରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ପପୁ ପାତ୍ର ତାଙ୍କୁ ନଜରବନ୍ଦିରେ ରଖିଥିବାରୁ ସେ ଲୁଚିକରି ଗତ ନଭେମ୍ବରମାସ ୨୮ ତାରିଖରେ ଆଳି ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଆଳି ଥାନା ପୋଲିସ ତାଙ୍କ ଅଭିଯୋଗ ଉପରେ ୨୬୬/୨୦୨୦ରେ ଏକ ମାମଲା ରୁଜୁ କରିଥିଲେବି ୩ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପପୁ ପାତ୍ରଙ୍କ ନାମଟିକୁ ବାଦ ଦେଇଥିଲେ । ଏତଦଭିନ୍ନ ସରକାରୀ ନିୟମ ଅନୁଯାଇ ଦୁଷ୍କର୍ମ ପିଡିତା ନାବାଳିକା ଝିଅକୁ ଡାକ୍ତରୀ ପରୀକ୍ଷା ମଧ୍ୟ କରାଇନଥିଲେ । ପିଡିତାଙ୍କୁ ଶିଶୁ ମଙ୍ଗଳ ସମିତିରେ ଥିବା ୨ଜଣ ସଦସ୍ୟଙ୍କ ନିକଟରେ ପୋଲିସ ହାଜର କରାଯାଇଥିଲେବି ସେମାନେ ଅଭିଯୁକ୍ତଙ୍କ ସହ ସାମିଲ ଥିବାରୁ ପିଡିତା ନାବାଳିକା ଝିଅର ଡାକ୍ତରୀ ପରୀକ୍ଷା କରାଇବାର ସୁବ୍ୟବସ୍ଥା କରିନଥିବା ସହିତ ନାବାଳିକା ଝିଅ କିମ୍ବା ମା’ର ବୟାନ ମଧ୍ୟ ନେଇନଥିବା ଅଭିଯୋଗ ହୋଇଛି । ପରନ୍ତୁ ପୋଲିସ ସହ ସେମାନଙ୍କୁ ଫେରାଇ ଦେଇଥିବା ବେଳେ ଆଳି ଥାନା ପୋଲିସ ସେମାନଙ୍କୁ ସେହିଦିନ ରାତି ପ୍ରାୟ ୯ଟା ସମୟରେ ଆଳି ବଜାରରେ ଗାଡିରୁ ଓହ୍ଲାଇଦେଇ ପଳାଇ ଯାଇଥିବା ପିଡିତାଙ୍କ ମା ଅଭିଯୋଗ କରିଛନ୍ତି । ପିଡିତା ଏବଂ ତାଙ୍କ ମା’ଙ୍କ ଜୀବନ ପ୍ରତି ବିପଦ ରହିଥିବା ବେଳେ ସେସବୁକୁ ଗୁରୁତ୍ୱ ନଦେଇ ପୋଲିସ ଏଭଳି ଭାବେ ଏକ ଗୁରୁତର ଘଟଣାର ତଦନ୍ତକୁ ମନମୁଖି ଭାବେ ଚଳାଇ ଅଭିଯୁକ୍ତ ସୁନାକର ପାତ୍ରକୁ ଗିରଫ କରିଥିବା ବେଳେ ତାର ପୁଅ ସୁବାଷ ଏବଂ ପପୁ ପାତ୍ରଙ୍କୁ ଗିରଫ କରୁନଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ପପୁ ପାତ୍ର ଜୀବନରେ ମାରିଦେବାକୁ ଧମକ ଦେବାରୁ ୨ଟି ନାବାଳିକା ଝିଅଙ୍କ ସହ ତାଙ୍କ ମା ଘର ଛାଡି ଅନ୍ୟତ୍ର ରହିବାକୁ ବାଧ୍ୟ ହୋଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କର ସ୍ୱାମୀ ରାଜ୍ୟ ବାହାରେ ରହୁଥିବା ବେଳେ ତାଙ୍କୁ ମଧ୍ୟ ଫୋନ ଦ୍ୱାରା ଧମକ ଦିଆଯାଉଛି । ଏଭଳି ପରିସ୍ଥିତିରେ ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ପିଡିତାଙ୍କ ମା ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଏଥିସହିତ ଏସମ୍ପର୍କରେ ସେ ଆରକ୍ଷୀ ଅଧିକ୍ଷକ, ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା, ପୋଲିସ ମହାନିର୍ଦେଶକଙ୍କୁ ଜଣାଇଥିବା ମଧ୍ୟ ସୁଚନା ଦେଇଛନ୍ତି ।