୧୦ ମାସ ପରେ ଖୋଲିଲା ୯ମ ଶ୍ରେଣୀ ପାଇଁ ବିଦ୍ୟାଳୟ
ମୋହନା ,(ଅଂଶୁମାନ ପଣ୍ଡା): ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଗତ ମାସରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଖୋଲିଥିବା ବେଳେ ପୁଣି କୋଭିଡ ନିୟମ ଅନୁଯାୟୀ ୯ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବାକୁ ଦିଆଯାଇଛି ଅନୁମତି । ପ୍ରାୟ ୧୦ ମାସ ଧରି ଘରେ ରହି ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ପାଠ ପଢୁଥିବା ବେଳେ ଅନେକ ସ୍ଥାନରେ ବିଦ୍ୟୁତ, ମୋବାଇଲ ଟାୱାର ନଥିବାରୁ ଅନେକ ଛାତ୍ରଛାତ୍ରୀ ପାଠ ପଢିବାରେ ବଚିଂତ ହୋଇଥିଲେ । ସରକାରଙ୍କ ବିଦ୍ୟାଳୟ ଖୋଲିବା ନିଷ୍ପତି ଘୋଷଣା ପରେ ଛାତ୍ରଛାତ୍ରୀମାନଙ୍କ ମନରେ ଉତ୍ସାହିତ ଦେଖିବାକୁ ମିଳିଛି । ମୋହନା ବ୍ଳକର ୪୩ଟି ବିଦ୍ୟାଳୟ ଖୋଲିଥିବା ବେଳେ ୫୦ ଭାଗ ଛାତ୍ରଛାତ୍ରୀ ପ୍ରଥମ ଦିନରେ ବିଦ୍ୟାଳୟକୁ ପ୍ରବେଶ କରିଛନ୍ତି । କୋଭିଡ ନିୟମ ଅନୁଯାୟୀ ସାନିଟାଇଜର, ଡିଜିଟାଲ ଥର୍ମାସ ବ୍ୟବହାର କରି ସାମାଜିକ ଦୂରତା ରଖି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ପ୍ରବେଶ କରାଯାଇଥିଲା । ସରକାରଙ୍କ ନିୟମ ଅନୁଯାୟୀ ସକାଳ ୮ ଟା ୩୦ ମି. ସମୟ ରୁ ୧୦ ଟା ୩୦ ମି ସମୟ ପର୍ଯ୍ୟନ୍ତ ୯ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯିବ ପୁଣି ୧୦ ଟା ୩୦ ରୁ ୧୦ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ । ଚାନ୍ଦିପୁଟ୍ ଲାଲା ବାହାଦୁର ଶାସ୍ତ୍ରୀ ବିଦ୍ୟାଳୟ, ମୋହନା ସରକାରୀ ବିଦ୍ୟାଳୟ, ବିମଳା ବାଳିକା ବିଦ୍ୟାଳୟ, ଅଡବା ବିଦ୍ୟାଳୟ, ଚନ୍ଦ୍ରଗିରି, ପାଣିଗଣ୍ଡା, ମାଣ୍ଡିମେରା ଭଳି ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ଖୋଲିବାର ଦେଖିବାକୁ ମିଳିଛି ।