ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଆୟକର ବିଭାଗର ଚଢ଼ାଉ, ମିଳିଲା ୩୫୦ କୋଟି
ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ସମେତ ସିନେ ଜଗତ ସହ ଜଡିତ କିଛି ବ୍ୟକ୍ତି ତଥା କମ୍ପାନୀ ଉପରେ ଆୟକର ବିଭାଗର ଚଢଉ ଜାରି ରହିଛି। ଗତ ବୁଧବାର ଦିନ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଓ ଅଫିସରେ ଆୟକର ବିଭାଗ ଚଢ଼ଉ କରିଥିଲା । ରାତି ପର୍ଯ୍ୟନ୍ତ ଏହି ଚଢ଼ଉ ଚାଲିଥିଲା । ଆୟକର ବିଭାଗ ପକ୍ଷରୁ ଏହି ରେଡ୍ କେବଳ ତାପସୀ ଓ ଅନୁରାଗଙ୍କ ଘରେ ହୋଇନଥିଲା । ତାଙ୍କ ଘର ବ୍ୟତୀତ ଆଉ ଚାରୋଟି କମ୍ପାନୀ ଉପରେ ମଧ୍ୟ ରେଡ୍ କରାଯାଇଥିଲା । ଫାଣ୍ଟମ ଫିଲ୍ମସ୍, କ୍ୱାନ୍, ଏକ୍ସିଡ୍, ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଭଳି ସଂସ୍ଥା ଉପରେ ମଧ୍ୟ ଚଢ଼ଉ ହୋଇଛି । ତାପସୀ ଏବଂ ଅନୁରାଗ ଘର ବ୍ୟତୀତ ମଧୁ ମନଟେନା, ବିକାଶ ବହଲ ଏବଂ ଅନ୍ୟମାନଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଛି । ହେଲେ ଅନୁରାଗ ଏବଂ ତାପସୀଙ୍କ ଘର ଉପରେ ଅଧିକ ଫୋକସ୍ ରହିଥିଲା । କିଛି ପ୍ରଡକ୍ସନ ହାଉସର ଆୟ ଓ ଶେୟାର ରେ ବଡ ଧରଣର ହେରାଫେରି କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଆୟକର ବିଭାଗକୁ ୩୫୦ କୋଟି ଟଙ୍କାର ଟ୍ୟାକ୍ସରେ ହେରାଫେରି କରାଯାଇଥିବା ଜଣାପଡିଛି । କମ୍ପାନୀର ଅଧିକାରୀ ମାନେ ୩୫୦ କୋଟି ଟଙ୍କା ଉପରେ କିଛି ସ୍ପଷ୍ଟ ଜବାବ ଦେଇପାରୁ ନାହାଁନ୍ତି । ସେହିପରି ତାପସୀ ପନ୍ନୁ ନାମରେ ୫ କୋଟିର କ୍ୟାସ୍ ରିସିପ୍ଟ ମିଳିଛି । ଆୟକର ବିଭାଗ କହିଛି ଯେ ମାର୍ଚ୍ଚ ୩ ତାରିଖ ଦିନ ଦୁଇଟି ବଡ ଫିଲ୍ମ ପ୍ରଡକ୍ସନ ହାଉସ୍, ଜଣେ ଅଭିନେତ୍ରୀ ଓ ମୁମ୍ବାଇର ୨ ଟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ଠିକଣା ଉପରେ ରେଡ୍ କରାଯାଇଛି । ଏହି ରେଡ୍ ମୁମ୍ବାଇ, ଦିଲ୍ଲୀ, ପୁଣେ ଓ ହାଇଦ୍ରାବାଦରେ ଚାଲିଛି । ଅଫିସ ଓ ଘର ସମେତ ମୋଟ୍ ୨୮ ସ୍ଥାନରେ ଚଢଉ ଜାରି ରହିଛି ।୨ ଟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର କାର୍ଯ୍ୟାଳୟ ପରିସରରେ ଇମେଲ୍, ହ୍ୱାଟ୍ସଅପ୍ ଚାର୍ଟ, ହାର୍ଡ ଡିସ୍କ ଆଦିରୁ ବହୁ ଡିଜିଟାଲ ଡାଟା ଜବତ କରାଯାଇଛି । ଏଥିସହିତ ୭ଟି ବ୍ୟାଙ୍କ ଲକର୍ସ ମିଳିଛି । ଯାହାକୁ ଯାଞ୍ଚ ପରିଧି ଅନ୍ତର୍ଭୁକ୍ତ କରାଯାଇଛି ।


